ଚାକିରୀ ନାଁରେ ଲକ୍ଷାଧିକ ଟଙ୍କା ଠକେଇ: ଧରାପଡିଲେ ଠକ

ଓଡ଼ିଆ ବାର୍ତ୍ତା/ ବଲାଙ୍ଗିର (ମୁନା ଗୌଡ଼): ବଡ଼ ଧରଣର ଠକେଇର ପର୍ଦ୍ଦାଫାଶ କରିଛି ବଲାଙ୍ଗିର ସାଇବର ଥାନା ପୋଲିସ । ବେକାର ଯୁବକଙ୍କୁ ଜାତୀୟ ଗୁଇନ୍ଦା ବ୍ୟୁରୋ ତଥା ଏନ୍‌ଆଇବିରେ ଚାକିରି ଦେବା ନାଁରେ ଲକ୍ଷାଧିକ ଟଙ୍କା ଠକେଇ ଅଭିଯୋଗରେ ଆଜି ବଲାଙ୍ଗିର ସାଇବର ଥାନା ପୋଲିସକୁ ମିଳିଛି ବଡ଼ ସଫଳତା । ଘଟଣାରେ ଦୁଇ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଗିରଫ ଦୁଇ ଅଭିଯୁକ୍ତ ମାନେ ଢେଙ୍କାନାଳ ଜିଲ୍ଲାର ମାତୃ ପ୍ରସାଦ ସେଠୀ (୫୪) ଓ କୋଲକାତାର ଗୋପାଳ ସ(୩୫) ବୋଲି ଜଣାପଡ଼ିଛି ।

ଏସ୍‌ପି ରିଷିକେଶ ଖିଲାରୀଙ୍କ ସୂଚନା ଅନୁସାରେ, ବଲାଙ୍ଗିର ସହରରେ ତଥା ଗ୍ରାମାଞ୍ଚଳରେ ଆର୍ଥିକ ଠକେଇ ବିଷୟରେ କମ୍ ଜ୍ଞାନ ଥିବା ବେକାର ଯୁବକ, ଦୋକାନମାଲିକ ମାନଙ୍କୁ ଟ୍ରଷ୍ଟ ଖୋଲିବାରେ, ସେଥିରେ ନିବେଶ କରି ବିଦେଶରୁ କୋଟି କୋଟି ଅନୁଦାନ ସହାୟତା ପାଇବା ପାଇଁ ଏବଂ ଜାତୀୟ ଗୁଇନ୍ଦା ବ୍ୟୁରୋ (ଏନ୍‌ଆଇବି)ରେ ଚାକିରୀ କରାଇ ମାସିକ ୪୪,୦୦୦/- ଟଙ୍କାରୁ ଅଧିକ ଦରମା ପାଇବା ପାଇଁ ସହରର ଗୋକୁଲ ଧାମ, ଆର୍‌ଆର୍‌ କୋଲେନୀ, ଖଲିଆପାଲି ଠାରେ ଅଫିସ ଖୋଲି ପ୍ରବର୍ତ୍ତାଇବା ସହ ଲକ୍ଷାଧିକ ଟଙ୍କା ଠକୁଥିଲେ ।

ଏପରିକି ଘଟଣାର ମୁଖ୍ୟ ଅଭିଯୁକ୍ତ ନିଜକୁ ସିଆର୍‌ ନନ୍ଦ କହୁଥିବା ବେଳେ ସିଆର୍‌ ନନ୍ଦ ତାଙ୍କର ଅର୍ଜିନାଲ ନାମ ନୁହେଁ ଓ ସେ ଢେଙ୍କାନାଲ ଜିଲ୍ଲାର ମାତୃ ପ୍ରସାଦ ସେଠୀ ବୋଲି ଏସ୍‌ପି କହିଛନ୍ତି । ଗିରଫ ଦୁଇ ଜଣ ଅନେକ ବେକାର ଯୁବକଙ୍କୁ ଲକ୍ଷାଧିକ ଟଙ୍କାର ଠକେଇ କରିଥିବା ବେଳେ ଗିରଫ ପରେ ଏମାନଙ୍କ ଠୁ ନଗଦ ୨୦୭୦୦୦ଟଙ୍କା, ୨୫ଟି କମ୍ପ୍ୟୁଟର ସେଟ୍‌, ୧୨ଟି ମୋବାଇଲ ଫୋନ୍‌, ୮ଟି ସିମ୍‌ କାର୍ଡ, ବ୍ୟାଙ୍କ ପାସ୍‌ବୁକ୍‌, ଏଟିଏମ୍‌, ୪ଟି ରେଣ୍ଟାଲ କାର୍‌ ସହ ଗୁଡ଼ାଏ ଇଲେକ୍ଟ୍ରୀ ଜିନିଷ ମଧ୍ୟ ପୋଲିସ ଜବତ କରିବାରେ ସଫଳ ହେବା ସହ ଗିରଫ ଅଭିଯୁକ୍ତ ମାନଙ୍କ ଆକାଉଣ୍ଟରେ ଥିବା ପଇସାକୁ ଫ୍ରିଜ୍‌ କରିଛି ।

ଏହି ଘଟଣାରେ ଆଉ କିଏ କିଏ ଜଡ଼ିତ ଅଛନ୍ତି, ଘଟଣାର ଚେର କେତେ ଦୂର ପର୍ଯ୍ୟନ୍ତ ଲମ୍ବିଛି ସେ ନେଇ ଖୋଲତାଡ଼ ଆରମ୍ଭ କରିଛି ବଲାଙ୍ଗିର ସାଇବର ଥାନା ପୋଲିସ ବୋଲି ଏସ୍‌ପି ରିଷିକଶେ ଖିଲାରୀ ସୂଚନା ଦେଇଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.