ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ରୁପ୍ରାରୋଡ ସ୍ଥିତ ଜଗନ୍ନାଥ ମନ୍ଦିରରେ ଆରମ୍ଭ ହେବାକୁ ଯାଉଛି ଆଶିର୍ବାଦଜୀ ମହାରାଜଙ୍କ ପ୍ରବଚନ କାର୍ଯ୍ୟକ୍ରମ। ଆସନ୍ତା ଫେବୃୟାରୀ ୨ରୁ ୧୦ ତାରିଖ ପର୍ଯ୍ୟନ୍ତ ପ୍ରତହ୍ୟ ଅପରାହ୍ନ ୩ଘଣ୍ଟାରୁ ସନ୍ଧ୍ୟା ୭ ଘଣ୍ଟା ପର୍ଯ୍ୟନ୍ତ ଶ୍ରୀ ରାମ ଚରିତ ମାନସ ଶୁଣାଇବେ ଓଡ଼ିଶାର ବିଶିଷ୍ଟ ପ୍ରବଚକ ଆଶିର୍ବାଦଜୀ ମହାରାଜ। ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥିବା ସୂଚନା ଦେଇଛନ୍ତି ରୁପ୍ରାରୋଡ ଜଗନ୍ନାଥ ମନ୍ଦିରର ଉଦ୍ୟୋକ୍ତା ସ୍ବର୍ଗତ ଡ଼ଃ ସାଧୁରାମ ଅଗ୍ରୱାଲଙ୍କ ଜ୍ୟୋଷ୍ଠ ପୁତ୍ର ସୁନୀଲ କୁମାର ଅଗ୍ରୱାଲ। ଏଠାରେ ପ୍ରକାଶଯୋଗ୍ୟ ଯେ, ଡ଼ଃ ସାଧୁରାମ ଅଗ୍ରୱାଲଙ୍କ ସମୟରୁ ରୁପ୍ରାରୋଡ ଜଗନ୍ନାଥ ମନ୍ଦିରରେ ଦେବାଦେବୀଙ୍କ ପର୍ବପର୍ବାଣୀ ସହ ବିଭିନ୍ନ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଆସୁଛି। ଅଞ୍ଚଳରେ ଆଧ୍ୟାତ୍ମିକତାର ପ୍ରଚାର ପ୍ରସାର ପାଇଁ ସଦା ଚେଷ୍ଟିତ ଥିଲେ ଡ଼ଃ ଅଗ୍ରୱାଲ। ତାଙ୍କ ଆବର୍ତ୍ତମାନ ପରେ ମଧ୍ୟ ଏହି ଧାରା ଜାରି ରହିଛି। ସନାତନ ସଂସ୍କୃତିରେ ବିଶିଷ୍ଟ ପ୍ରଚାରକ ଆଶିର୍ବାଦଜୀ ମହାରାଜା ପୁରୀ ଗଜପତି ମହାରାଜାଙ୍କ ନିର୍ଦ୍ଦେଶରେ ରାଜ୍ୟର କୋଣ ଅନୁକୋଣରେ ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର କରିଥାନ୍ତି। ଏହାସହ ସେ ଶ୍ରୀମଦ୍ଭାଗବଦ୍, ରାମଚରିତ ମାନସ ପାରାୟଣ ଆଦି ହରିକଥା ସୁଣାଇ ସାରା ଓଡ଼ିଶାରେ ନିଜର ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରି ପାରିଛନ୍ତି। ପୂର୍ବରୁ ଆଶିର୍ବାଦଜୀ ମହାରାଜା ରୁପ୍ରାରୋଡ ଜଗନ୍ନାଥ ମନ୍ଦିରରେ ହରି କଥା ଶୁଣାଇଛନ୍ତି, ତେଣୁ ସେ ପୁନର୍ବାର ଆସୁଥିବା ଖବର ଜଣାପଡିବା ପରେ ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଉଦ୍ଦୀପନା ଦେଖିବାକୁ ମିଳିଛି। ଏହି ପ୍ରବଚନ କାର୍ଯ୍ୟକ୍ରମରେ ସମସ୍ତେ ଯୋଗଦେଇ ହରି କଥା ଶ୍ରବଣ କରିବାକୁ ରୁପ୍ରାରୋଡ ଜଗନ୍ନାଥ ମନ୍ଦିର କମିଟି ପକ୍ଷରୁ ଅନୁରୋଧ କରାଯାଇଛି।