କଳାହାଣ୍ଡି,୩/୧୨: ଦାଦନର ଦୁଃଖ ସରୁନି କଳାହାଣ୍ଡି ପାଇଁ । ରୋଜଗାର ଆଶାରେ ବାହାର ରାଜ୍ୟକୁ ଯାଇ କିଛି ଅର୍ଥ ରୋଜଗାର କରୁଛନ୍ତି ସତ ହେଲେ ଦିନେ ଶବ ହେଇଫେରିବାକୁ ପଡ଼ୁଛି ଗାଁ ମାଟିକୁ । ଗାଁରେ ଶବ ଫେରିଲା ପରେ ବାପା-ମାଁଙ୍କ ସବୁ ସ୍ୱପ୍ନ କ୍ଷଣିକରେ ଚୁରମାର ହେଇଯାଉଚି । ଏମିତି ଏକ ଘଟଣାର ପୁନରାବୃତ୍ତି ହେଇଛି କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ମୋହନଗିରୀ ଗ୍ରାମ ପଂଚାୟତର ପଣ୍ଡାପଦର ଗ୍ରାମରେ । ଗ୍ରାମର ଅରୁଣ ପରୁଆଙ୍କ ପୁଅ ସୀତାରାମ ପରୁଆ(୨୨) ଗତ ଛଅ ମାସରୁ ଉଦ୍ଧ୍ୱର୍ ହେବ ରୋଜଗାର ସହ ନିଜର ତିନି ଭଉଣୀ ଭିତରୁ ବଡ଼ ଭଉଣୀକୁ ବାହା ଦେବା ସହ ଘର ଚଳେଇବା ଲକ୍ଷ୍ୟରେ ରାଜକୋଟକୁ ଯାଇଥିଲେ ଦାଦନ ସାଜି । ସେଠାରେ କାମ କରି ପ୍ରତିମାସରେ ଘରକୁ ଟଙ୍କା ପଠାଉଥିଲେ ଯାହା ଥିଲା ପରିବାର ଚଳିବାର ଏକମାତ୍ର ରୋଜଗାର । ତେବେ ହଠାତ ସେଠାରେ ସେ ଅସୁସ୍ଥ ହେଇପଡ଼ିବା ପରେ ତାଙ୍କୁ ସେଠାରେ ଡ଼ାକ୍ତରଖାନା ନିଆଯାଇଥିଲେ ବି ତାଙ୍କର ମୃତ୍ୟୁ ହେଇଯାଇଥିଲ । ପରେ ନିଜ ଗ୍ରାମର ଅନ୍ୟସାଙ୍ଗମାନେ ଯୋଉମାନେ ତାଙ୍କ ସହ ମିଶି କାମ କରୁଥିଲେ, ମିଳିତ ଭାବରେ ସେମାନେ ସେଠାରୁ ଏକ ଆମ୍ବୁଲାନ୍ସ ଯୋଗେ ନିଜ ନିଜ ଭିତରେ ଚାନ୍ଦା ସଂଗ୍ରହ କରି ୩୨୭୦୦/- ମୂଲ୍ୟ ଭଡ଼ା ଦେଇ ସୀତାରାମ ଙ୍କ ଶବକୁ ଆଜି ସନ୍ଧ୍ୟା ୫ଘଂଟା ସମୟରେ ଘରକୁ ଆଣିଥିଲେ ।
ଗାଁରେ ଶବ ପହଂଚିବା ପରେ ଚେତାଶୂନ୍ୟ ହେଇପଡ଼ିଥିଲେ ବାପା-ମାଁ ଏକମାତ୍ର ରୋଜଗାର କ୍ଷମ ପୁଅକୁ ହରାଇ । କାନ୍ଦ ବୋବାଳି ରେ ଫାଟି ପଡ଼ିଥିଲା ଗାଁ ଦାଣ୍ଡ । ଏଠାରେ ସୂଚନା ଥାଉ କି, ସୀତାରାମଙ୍କ ବଡ଼ ଭାଇଙ୍କର ମଧ୍ୟ କିଛି ବର୍ଷ ତଳେ ପରଲୋକ ହେବା ପରେ ସୀତାରାମ ହିଁ ଥିଲେ ଘରର ଏକମାତ୍ର ଆଶା ଓ ଭରସା । ତାଙ୍କଠାରୁ ସାନ ତିନି ଭଉଣୀଙ୍କୁ ନିଜର ଏକମାତ୍ର ଭାଇକୁ ହରାଇ,ଭାଇ ଆମମାନଙ୍କ ପାଇଁ ଦାଦନ ହେଇଥିଲା । ଆମମାନଙ୍କ ମୁହଁରେ ହସ ଦେବାକୁ ଯାଇ ସେ ଶେଷରେ ଶବ ହେଇଫେରିଲା ବୋଲି କୋହଭରା କଣ୍ଠରେ ଆମ ପ୍ରତିନିଧିଙ୍କୁ ସୂଚନା ଦେଇଥିବାବେଳେ ବାପା-ମାଁ ବାକଶୂନ୍ୟ ହେଇପଡ଼ିଥିଲେ । ପରେ ସନ୍ଧ୍ୟାରେ ଗାଁ ଶ୍ମସାନରେ ସୀତାରାମଙ୍କ ଶବକୁ ପରିବାର,ଗାଁଲୋକଙ୍କ ଉପସ୍ଥିତିରେ ଶୋକାକୁଳ ପରିବେଶରେ ଦାହ କରାଯାଇଥିବାବେଳେ ପ୍ରଶାସନ ତରଫରୁ କିଛି ସହାୟତା ପ୍ରଦାନ କରିବାକୁ ଗ୍ରାମବାସୀ ଦାବୀ କରିଛନ୍ତି ।
ସ୍ୱତନ୍ତ୍ର ପ୍ରତିନିଧି ହେମନ୍ତ ସାହୁଙ୍କ ରିପୋର୍ଟ odiabarta.in