ଲାଞ୍ଜିଗଡ ବ୍ଲକସ୍ତରୀୟ ମନରେଗା ଜନଶୁଣାଣି ଶିବିର ଓ ସାମାଜିକ ସମୀକ୍ଷା ଅନୁଷ୍ଠିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ସରକାରଙ୍କ ଦ୍ବାରା ଅନେକ ଯୋଜନା କାର୍ଯ୍ୟକାରୀ କରାଯାଉଛି। ଏସବୁର ସୁଫଳ ପାଇବାକୁ ନେଇ ବିଭିନ୍ନ ଅଧିକାରୀ, କର୍ମଚାରୀଙ୍କ ସମେତ କ୍ଷେତ୍ର କର୍ମଚାରୀମାନେ ନିୟୋଜିତ ହୋଇଛନ୍ତି। ତେବେ ନିଜର ହକ ଓ ଅଧିକାରକୁ ନେଇ ସଚେତନତା ଅଭାବରୁ ବହୁ ସଂଖ୍ୟାରେ ଲୋକେ ସରକାରୀ ଯୋଜନରୁ ବଞ୍ଚିତ ହେଉଥିବା ଲକ୍ଷ୍ୟ କରାଯାଉଛି। ପ୍ରଶାସନ ଓ ସାଧାରଣ ଜନତାଙ୍କ ମଧ୍ୟରେ ସିଧାସଳଖ ଯୋଗସୂତ୍ର ସ୍ଥାପନ ସହିତ ପ୍ରଶାସନକୁ ଲୋକଙ୍କ ଦୁଆର ମୁହଁରେ ପହଞ୍ଚାଇବା ଓ ପ୍ରକୃତ ହିତାଧିକାରୀଙ୍କୁ ସରକାରୀ ସୁବିଧା ଉପଲବ୍‌ଧ କରାଇବାକୁ ଅଣ୍ଟା ଭିଡିଛି ଲାଞ୍ଜିଗଡ଼ ବ୍ଲକ ପ୍ରଶାସନ। ଆଜି ଲାଞ୍ଜିଗଡ଼ ବ୍ଲକ ପ୍ରଶାସନ ପକ୍ଷରୁ ବ୍ଲକ ପରିସରରେ ଆର୍ଥକ ବର୍ଷ ୨୦୨୩/୨୪ ବ୍ଲକ ସ୍ତରୀୟ ମହାତ୍ମା ଗାନ୍ଧୀ କର୍ମ ନିଯୁକ୍ତି ଯୋଜନା ଉପରେ ଏକ ଜନ ଶୁଣାଣି ଶିବିର ଓ ସାମାଜିକ ସମୀକ୍ଷା ଅନୁଷ୍ଠିତ ହୋଇଯାଇଛି। ଲାଞ୍ଜିଗଡ଼ ବିଡ଼ିଓ ଶଶାଙ୍କ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଶିବିରରେ ବ୍ଲକ ଉପାଧ୍ୟକ୍ଷ ସଂଜିବ କୁମାର ନାୟକ, ସହକାରୀ ଯନ୍ତ୍ରୀ କ୍ଷୀରୋଦ କୁମାର ନାୟକ, ବିଏସ୍ଏ ବିମଳ ବାଗ,କାନକୁଟ୍ରୁ ସମିତି ସଭ୍ୟ ମନୋହର ହରପାଳ ଏପିଓ ସଞ୍ଜିତ ପରିଡ଼ା, ସମେତ ୨୬ ଗୋଟି ପଞ୍ଚାୟତରୁ ସରପଞ୍ଚ, ସମିତି ସଭ୍ୟ/ସଭ୍ୟା ମାନେ ଉପସ୍ଥିତ ଥିଲେ। ଏଥିରେ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ, ଏଡିଓ ଏବଂ ଗ୍ରାମ ରୋଜଗାର ସେବକମାନେ ଉପସ୍ଥିତ ରହି ଆର୍ଥକ ବର୍ଷ ୨୦୨୩/୨୪ ରେ ବ୍ଲକ ରେ ମନରେଗା ଯୋଜନାରେ ହୋଇଥିବା କାର୍ଯ୍ୟ ଉପରେ ବିବରଣୀ ପ୍ରଦାନ କରିଥିଲେ। ମନରେଗା ଯୋଜନାରେ ବ୍ଲକର ଶ୍ରମିକ କେମିତି କାର୍ଯ୍ୟ କରି ଆତ୍ମ ନିର୍ଭରଶୀଳ ହେବେ ଓ ସେମାନଙ୍କ ଜୀବନ ଜୀବିକାରେ ଉନ୍ନତି ସାଧନ ହେବ ସେ ନେଇ ଉପସ୍ଥିତ ଅଧିକାରୀ ଓ ଜନ ପ୍ରତିନିଧିମାନେ ମତ ପ୍ରକାଶ କରିଥିଲେ। କାର୍ଯ୍ୟକ୍ରମକୁ ବ୍ଲକ ସାମାଜିକ ସମୀକ୍ଷକ ବିମଳ ବାଗ ପରିଚାଳନା କରିଥିବାବେଳେ ଶେଷରେ ବିଡିଓ ଶ୍ରୀ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.