କାଙ୍କେରୀ ଠାରେ ନୂତନ ବ୍ଲକ ସ୍ଥାପନ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଦାବୀ ପତ୍ର

ଓଡ଼ିଆ ବାର୍ତ୍ତା/ ଧର୍ମଗଡ଼ (ଲବଣୀ ରାଉତ): ସରକାର ବ୍ଲକ ସମ୍ପ୍ରସାରଣ ନେଇ ସୂଚନା ଦେବା ପରେ ବ୍ଲକ ସ୍ଥାପନ ନେଇ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ସ୍ଥାନରେ ଦାବୀ ଜୋର ଧରିଥିବା ବେଳେ ଧର୍ମଗଡ ବ୍ଲକ ଅନ୍ତର୍ଗତ ବଡ ପହିଲପାର ଅଞ୍ଚଳର କେନ୍ଦ୍ର ବିନ୍ଦୁ କାଙ୍କେରୀ ଠାରେ ନୂତନ ବ୍ଲକ ସ୍ଥାପନ ନେଇ ଗୁରୁବାର ଦିନ କ୍ରିୟାନୁଷ୍ଠାନ କମିଟିର ଆହ୍ୱାନରେ ୭ଟି ପଞ୍ଚାୟତର ଜନତା ଧର୍ମଗଡ଼ ଉପଜିଲ୍ଲାପାଳଙ୍କ ମାଧ୍ୟମରେ ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀଊ ଉଦେଶ୍ୟରେ ଏକ ଦାବୀ ପତ୍ର ଦେଇଛନ୍ତି। ବିରାଟ ପଟୁଆଲରେ ଏକ ରେଲି ବାହାରି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲା। କ୍ରିୟାନୁଷ୍ଠାନ କମିଟି ଉପଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ସହକାରୀ ଜିଲ୍ଲାପାଳ ଶ୍ରୀକାନ୍ତ ଶତପଥିଙ୍କୁ ଦାବୀ ପତ୍ର ପ୍ରଦାନ କରିଥିଲେ। ପ୍ରସ୍ତାବିତ କାଙ୍କେରୀ ବ୍ଲକରେ କାଙ୍କେରୀ, କନାଗାଁ, ଡୁମେରଗୁଡା, ଟିପିଗୁଡା, ସନ୍ଧିକୁଳିହାରୀ, ଖମାର ହଳଦୀ, ଗଣ୍ଡାମେର ପଞ୍ଚାୟତ ଆଦି ପଞ୍ଚାୟତ ରହିଅଛି। ବିଗତ ସରକାର ସମୟରେ ମଧ୍ୟ କାଙ୍କେରୀ ଠାରେ ନୂତନ ବ୍ଲକ ସ୍ଥାପନ ନେଇ ଦାବୀ କରିଥିବା ବେଳେ ସରକାରଙ୍କ ତରଫରୁ ଅଫିସର ଆସି ଭିତ୍ତିଭୂମି ଅନୁସନ୍ଧାନ କରି ସରକାରଙ୍କୁ ପୋଜିଟିଭ୍ ରିପୋର୍ଟ ଦେଇଥିବା କ୍ରିୟାନୁଷ୍ଠାନ କମିଟିର ଆବାହକ କାଙ୍କେରୀ ସରପଞ୍ଚ ମମତା କେତକୀ ପ୍ରକାଶ କରିଛନ୍ତି। ଦାବିପତ୍ର ପ୍ରଦାନ ସମୟରେ କାଙ୍କେରୀ ସରପଞ୍ଚ ମମତା କେତକୀ, ସମିତି ସଭ୍ୟା ଜ୍ୟୋତ୍ସ୍ନାମୟୀ ଛତ୍ରିଆ, କ୍ରିୟାନୁଷ୍ଠାନ କମିଟିର ଅସ୍ଥାୟୀ ସଭାପତି ବିଶ୍ୱନାଥ ଛତ୍ରିଆ, ସମ୍ପାଦକ ଶ୍ୟାମଘନ କେତକୀ, ମହେଶ୍ୱର ସୁନାନୀ, ଭବେନ୍ଦ୍ର ଘି, ଲଳିତ ବାଗ, କୁମୁଦ ମେହେର, ଧୀରେନ୍ଦ୍ର ପୁରହିତ୍, ଦୟା କେତକୀ, ଶିମାନ ଛତ୍ରିଆ, ଦିଲୀପ ବାଗ, ବଂଶୀ କୈବର୍ତ୍ତ, ମନୁଧର କେତକୀ, ହରଦିପ, ସୁଧିର ପ୍ରମୁଖ ଉପସ୍ଥିତ ରହିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.