ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ଜାନୁୟାରୀ ୧ ରୁ ୩୧ ତାରିଖ ପର୍ଯ୍ୟନ୍ତ ସଡ଼କ ସୁରକ୍ଷା ମାସ ପାଳନ କରାଯାଇଥିବା ବେଳେ ଆଜି ସଚେତନତା ମାସ ପାଳନର ଉଦଯାପନୀ ଦିବସ ଜିଲ୍ଲା ପରିବହନ ବିଭାଗ ତରଫରୁ ଅନୁଷ୍ଠିତ କରାଯାଇଛି। ଏହି ପରିପ୍ରେକ୍ଷୀରେ ଜିଲ୍ଲା ପରିବହନ ବିଭାଗ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ସମାରୋହରେ ସୁବର୍ଣ୍ଣପୁର ଜିଲ୍ଲାପାଳ ଶ୍ରୀମତୀ ଅନ୍ୟା ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସଚେତନତା ବାର୍ତ୍ତା ପ୍ରଦାନ କରଥିଲେ।
ସେ ଏହି ଅବସରରେ ସମସ୍ତ ଜନସାଧାରଣ ଜୀବନର ଗୁରୁତ୍ୱକୁ ଉପଲବ୍ଧ କରିବାକୁ ପରାମର୍ଶ ଦେଇ ସଡ଼କ ଦୁର୍ଘଟଣାରେ ଜୀବନ ହାନୀ ଜାତି ଓ ସମାଜ ପାଇଁ ଅପୂରଣୀୟ କ୍ଷତି ବୋଲି କହିଥିଲେ।ବିକାଶଶୀଳ ଦେଶ ବା ରାଜ୍ୟରେ ସଡ଼କ ଦୁର୍ଘଟଣାରେ ମୃତ୍ୟୁହାର କମ ବା ଶୂନ, ଶୃଙ୍ଖଳିତ ଓ ବ୍ୟବସ୍ଥିତ ଗାଡି ଚାଳନା ଆମ ସାମାଜିକ ଓ ଅର୍ଥନୈତିକ ବିକାଶର ପ୍ରତିଫଳନ। ଏଣୁ ଆମର ଶୃଙ୍ଖଳିତ ଓ ବ୍ୟବସ୍ଥିତ ଜୀବନଚର୍ଯ୍ୟା ସଡ଼କ ଦୁର୍ଘଟଣାକୁ ବହୁମାତ୍ରାରେ ପ୍ରତିହତ କରିପାରିବ ବୋଲି କହିବା ସହିତ ଜିଲ୍ଲାରେ ସଡ଼କ ଦୁର୍ଘଟଣା ମୃତ୍ୟୁହାରକୁ ଶୂନ୍ୟ କରିବା ଲକ୍ଷ୍ୟରେ ସମସ୍ତେ ଆଗେଇ ଆସିବାକୁ ପରାମର୍ଶ ଦେଇଥିଲେ। ସମ୍ମାନିତ ଅତିଥିଭାବେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ କେ.କେ ହରିପ୍ରସାଦ, ଉପଜିଲ୍ଲାପାଳ ସୋନପୁର ଡ଼ଃ ସୌମ୍ୟା ରୁପା ରଥ, ଉପ ଆରକ୍ଷୀ ଅଧିକ୍ଷକ ଚନ୍ଦ୍ର ଶେଖର ଶବର ପ୍ରମୁଖ ଯୋଗଦାନ କରି ନିଜ ନିଜର ସଚେତନତା ବାର୍ତ୍ତା ପ୍ରଦାନ କରି ଯାନବାହାନ ଚାଳନା ସମୟରେ ମନର ଆବେଗରେ ବଶବର୍ତ୍ତୀ ନହେବାକୁ ପରାମର୍ଶ ଦେଇଥିଲେ।
ସୁବର୍ଣ୍ଣପୁର ଆଞ୍ଚଳିକ ପରିବହନ ଅଧିକାରୀ ଅକ୍ଷୟ କୁମାର ଜେନା ସମାରୋହରେ ଅଧ୍ୟକ୍ଷତା କରିଥିଲେ। ଜିଲ୍ଲା ପ୍ରଶାସନ ତଥା ପରିବହନ ବିଭାଗ ତରଫରୁ ସଚେତନତା ମାସ ପାଳନ ନିମନ୍ତେ ନିଆଯାଇଥିବା ସଡ଼କ ସୁରକ୍ଷା ନିମିତ୍ତ ଗାଡି ଚଳାଚଳ ନିମନ୍ତେ ବ୍ୟବସ୍ଥିତ ଆଇନ, ଦାୟିତ୍ୱ ଓ କର୍ତ୍ତବ୍ୟ ଉପରେ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମର ଆଲୋକପାତ କରିଥିଲେ। ଏହି ପରିପେକ୍ଷୀ ରେ ବିଭିନ୍ନ ସମୟରେ ରାସ୍ତାରେ ଦୁର୍ଘଟଣା ଗ୍ରସ୍ତ ଲୋକଙ୍କୁ ଡାକ୍ତରଖାନାରେ ପହଞ୍ଚାଇ ଥିବା ୭ ଜଣ ବ୍ୟକ୍ତିଙ୍କୁ ଗୁଡ଼ ସାମରିଟନ୍ ଭାବରେ ପ୍ରତ୍ୟେକଙ୍କୁ ୨୦୦୦ ଟଙ୍କାର ଚେକ୍ ଓ ମାନପତ୍ର ଦେଇ ଅତିଥିବୃନ୍ଦ ସମ୍ମାନିତ କରିଥିଲେ। ପରେ ଜିଲ୍ଳା ସ୍ତରୀୟ ପେଣ୍ଟିଂ ଓ ସ୍ଲୋଗାନ କମ୍ପିଟିସନରେ କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କାର ବିତରଣ କରାଯାଇଥିଲା।
ଜାତୀୟ ସଡକ ସୁରକ୍ଷା ମାସ ଅବସରରେ ବିଭିନ୍ନ ପ୍ରକାର ସହଯୋଗ ପାଇଁ ସହରରର ବିଭିନ୍ନ ଅନୁଷ୍ଠାନ ଯଥା ବୁଢ଼ାରଜା ଯୁବ ସମାଜ ସେବୀ ସଙ୍ଗଠନ, ନେହେରୁ ଯୁବା କେନ୍ଦ୍ର, ରେଆର ସୋନପୁର, କଦମ୍ବ ମୂଳ ଅନୁଷ୍ଠାନ, ଚାଇଲ୍ଡ ଲାଇନ, କୋଶଳ ଉଚ୍ଚ ବିଦ୍ୟାଳୟକୁ ମାନପତ୍ର ଦେଇ ସମ୍ମାନିତ କରାଯାଇଥିଲା। ପରିବହନ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ଉଦଯାପନୀ ଦିବସ କାର୍ଯ୍ୟକ୍ରମରେ ସୁକାନ୍ତି ଏକାଡେମୀ, ସାହାରା ଟ୍ରଷ୍ଟ ଉଚ୍ଚ ବିଦ୍ୟାଳୟ, କୋଶଳ ଉଚ୍ଚ ବିଦ୍ୟାଳୟ, ମହିଳା ଡିଗ୍ରୀ କଲେଜ, ଚନ୍ଦ୍ର ଏକାଡେମୀ ପ୍ରଭୁତି ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ର ଛାତ୍ରୀ ଉପସ୍ଥିତ ରହିଥିବା ବେଳେ କାର୍ଯ୍ୟଳୟର ଏମଭିଆଇ ବିଶ୍ୱରଞ୍ଜନ ସାହୁ, ଟିଏସଆଇ ପୂଜା ଭେଙ୍ଗରା, ଅବିନାଶ ଭୁଏ, ହିମାଂଶୁ ରଞ୍ଜନ ସାହୁ, ଚିତ୍ତରଞ୍ଜନ ଭୋଇ, ଜ୍ୟୋତି ପ୍ରସାଦ ସାହୁ, ମଳୟ ପ୍ରତାପ ପାଣିଗ୍ରାହୀ, ଏନଫୋର୍ସମେଣ୍ଟ ଟିମ୍ ଏବଂ କାର୍ଯ୍ୟଳୟର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ।