ସାହିତ୍ୟ ଏକାଡେମୀରେ ଲିଥୁଆନିଆର ଲେଖକଙ୍କ ଗଳ୍ପ ପାଠ

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ (ରଜତ ବଂଶଲ): ଲିଥୁଆନିଆ ଗଣରାଜ୍ୟର ଦୂତାବାସ ସହଯୋଗରେ ସାହିତ୍ୟ ଏକାଡେମୀ ଦ୍ୱାରା ଏକ ସ୍ବତନ୍ତ୍ର ସାହିତ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଲିଥୁଆନିଆର ପ୍ରଖ୍ୟାତ ଲେଖକ, ଦାର୍ଶନିକ ଏବଂ ସମାଲୋଚକ ୟାରୋସ୍ଲାଭାସ୍ ମେଲନିକାସ୍ ତାଙ୍କ ଗଳ୍ପ ସଂଗ୍ରହ ‘ଦି ଲାଷ୍ଟ ଡେ’ରୁ ଏକ ଗଳ୍ପ ପାଠ କରିଥିଲେ। ଭାରତରେ ଥିବା ଲିଥୁଆନିଆ ଦୂତାବାସର ରାଷ୍ଟ୍ରଦୂତ ଡାଏନା ମିକେଭିସିଏନେ ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ।

କାର୍ଯ୍ୟକ୍ରମ ଆରମ୍ଭରେ ସାହିତ୍ୟ ଏକାଡେମୀର ସଚିବ କେ. ଶ୍ରୀନିବାସରାଓ ସମସ୍ତଙ୍କୁ ସ୍ୱାଗତ କରିଥିଲେ। ସ୍ୱାଗତ ଭାଷଣରେ ଡକ୍ଟର ରାଓ କହିଥିଲେ ଯେ ସମସ୍ତ ଲେଖକ ଆମ ଜୀବନ ଏବଂ ଚାରିପାଖର ପରିବେଶ ମଧ୍ୟରେ ସମ୍ପର୍କକୁ ବୁଝିବାକୁ ଚେଷ୍ଟା କରନ୍ତି। ଏହି ପ୍ରକ୍ରିୟା ମଧ୍ୟରେ ପ୍ରତ୍ୟେକ ଲେଖକ ଏହାକୁ ଭିନ୍ନ ଭିନ୍ନ ଦୃଷ୍ଟିରେ ଦେଖନ୍ତି ଏବଂ ଲେଖନ୍ତି। ୟାରୋସ୍ଲାଭସ୍ ମେଲନିକସ୍ ଜଣେ ଦାର୍ଶନିକ ଏବଂ ଚିନ୍ତକ ଭାବରେ ମାନବ ଅସ୍ତିତ୍ୱ ବିଷୟରେ ମଧ୍ୟ ପ୍ରଶ୍ନ ଉଠାଇ ଆସୁଛନ୍ତି। ଆଧୁନିକ ସମାଜରେ ବିକାଶ ଏବଂ ପ୍ରଯୁକ୍ତିବିଦ୍ୟା ଯୋଗୁଁ ଆସିଥିବା ପରିବର୍ତ୍ତନଗୁଡ଼ିକୁ ସେ ଗମ୍ଭୀରତାର ସହିତ ଅନୁଭବ କରି ଲେଖିଛନ୍ତି। ଏହା ଆମର ନୈତିକ ଆଚରଣ ଉପରେ କିଭଳି ପ୍ରଭାବ ପକାଏ ତାହା ମଧ୍ୟ ଦର୍ଶାଇଛନ୍ତି।

ଲିଥୁଆନିଆ ଦୂତାବାସର ରାଷ୍ଟ୍ରଦୂତ ଡାଏନା ମିକେଭିସିଏନେ ଏଭଲି କାର୍ଯ୍ୟକ୍ରମ ଆୟୋଜନ ପାଇଁ ସାହିତ୍ୟ ଏକାଡେମୀକୁ ଧନ୍ୟବାଦ ଜଣାଇ କହିଥିଲେ ଯେ ଅନୁବାଦ ମାଧ୍ୟମରେ ଲିଥୁଆନିଆ ଏବଂ ଭାରତର ସାହିତ୍ୟ ମଧ୍ୟରେ ଆଦାନ ପ୍ରଦାନପାଇଁ ଉଦ୍ୟମ କରାଯିବ। ନିଜର ପରିଚୟ ଦେଇ ୟାରୋସ୍ଲାଭାସ୍ ମେଲନିକସ୍ କହିଥିଲେ ଯେ ସେ ୧୫ଟି ପୁସ୍ତକ ରଚନା କରିଛନ୍ତି ଯାହା ଇଂରାଜୀ, ଜର୍ମାନ ଏବଂ ଫରାସୀ ଭାଷାରେ ଅନୂଦିତ ହୋଇଛି। ନିକଟରେ, ତାଙ୍କ କାହାଣୀ ଉପରେ ଆଧାରିତ ଏକ ଫିଚର ଫିଲ୍ମ ମଧ୍ୟ ପ୍ରଦର୍ଶିତ ହୋଇଛି। ତା’ପରେ ସେ ଲିଥୁଆନିଆନ ଭାଷାରେ ତାଙ୍କ ଗଳ୍ପର ଏକ ଅଂଶ ପାଠ କରିଥିଲେ ଏବଂ ତାହାର ଇଂରାଜୀ ଅନୁବାଦ ରାଷ୍ଟ୍ରଦୂତଙ୍କ ଦ୍ୱାରା ଉପସ୍ଥାପିତ ହୋଇଥିଲା।

ଏହା ପରେ ରେଖା ସେଠୀ ସମ୍ପୂର୍ଣ୍ଣ କାହାଣୀର ହିନ୍ଦୀ ଅନୁବାଦ ଉପସ୍ଥାପନ କରିଥିଲେ ଯାହାର ଶୀର୍ଷକ ଥିଲା “ତୁମେ ମୋତେ କ୍ଷମା କରିବ କି?” କାହାଣୀଟିରେ ମାନବୀୟ ଭାବନାକୁ ଭିନ୍ନ ଢଙ୍ଗରେ ଦର୍ଶାଯାଇଛି। କାର୍ଯ୍ୟକ୍ରମ ଶେଷରେ ଉପସ୍ଥିତ ଶ୍ରୋତାମାନେ ଲେଖକଙ୍କୁ ବିଭିନ୍ନ ପ୍ରଶ୍ନ ପଚାରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.