ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କଳାହାଣ୍ଡି ନବରଙ୍ଗପୁର ଜିଲ୍ଲାର ସୀମାନ୍ତରେ ଥିବା କୋକସରା ବ୍ଳକର ଆଦିବାସୀ ବହୁଳ ଅଞ୍ଚଳ ଆମପାଣିକୁ ନୂତନ ବ୍ଳକ ଗଠନ ଦାବିରେ ଶନିବାର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। କଳାହାଣ୍ଡିର ଆରାଧ୍ୟ ଦେବତା ପ୍ରଭୁ ବୁଢ଼ାରଜା ଦେବଙ୍କ ପୀଠରେ ପୂଜାର୍ଚ୍ଚନା ପରେ ଋତୁରାଜ ମାଝୀଙ୍କ ସଭାପତିତ୍ବରେ ସ୍ଥାନୀୟ ଧାନ ମଣ୍ଡିଠାରେ ବୈଠକ ଆରମ୍ଭ ହୋଇଥିଲା। ବୈଠକରେ ଡୁଡୁକାଠେଙ୍ଗା ପୂର୍ବତନ ସରପଞ୍ଚ ବନମାଳୀ ବାଗ, ଆଇନଜୀବୀ ମନୋଜ ନାଏକ, ଗୋପୀଚନ ନାଏକ, ପ୍ରଦୀପ ସାହୁ, କେତୁରାମ ପାତ୍ର, ରାମ ସିଂ ମାଝୀ, ଉଛୁଲାରୁ ଚକ୍ରଧର ନାଏକ, ଖଗେଶ୍ବର ନାଏକ, ବଡପୁଝାରୀଗୁଡାରୁ ଡମ୍ବରୁଧର ନାଏକ, ରତନ ନାଏକ, ସତ୍ୟ ନାଏକ ସମେତ କୋକସରା ବ୍ଳକ ଆମପାଣି ଜିଲ୍ଲାପରିଷଦ ଜୋନ୍ ନଂ- ଳ୧ ର ୮ ଗୋଟି ପଞ୍ଚାୟତ ବରାଡଙ୍ଗା, ବଡ଼ପୋଡ଼ାଗୁଡ଼ା, କାଉଡୋଲା, ଡୁଡୁକାଠେଙ୍ଗା, ମହିମା, ଆମପାଣି, ସାନପୋଡାଗୁଡା, ଗୋତମୁଣ୍ଡା ସମେତ ଜୟପାଟଣା ବ୍ଳକର ବଡପୁଝାରୀଗୁଡା ଓ ଉଛୁଳା ପଞ୍ଚାୟତରୁ ନିର୍ବାଚିତ ଜନ ପ୍ରତିନିଧି ସମେତ ଶତାଧିକ ଲୋକେ ଯୋଗଦେଇ ଆମପାଣିକୁ ନୂତନ ବ୍ଳକ ଗଠନ ଦାବିକୁ ସ୍ବାଗତ କରିବା ସହ ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ। ଭୌଗଳିକ ଦୃଷ୍ଟି କୋଣରୁ ଆମପାଣି ଗ୍ରାମ ଏହି ଅଞ୍ଚଳର ମୂଖ୍ୟ ସ୍ଥାନ ହୋଇଥିବା ବେଳେ ଏଠାରେ ବ୍ଲକ ଗଠନ ନିମିତ୍ତ ସବୁ ପ୍ରକାର ଭିତ୍ତିଭୂମି ରହିଛି। ୧୦ ଗୋଟି ପଞ୍ଚାୟତ ବ୍ୟତୀତ ପଡୋଶୀ ନବରଙ୍ଗପୁର ଜିଲ୍ଲା ଅର୍ଦ୍ଧାଧିକ ଅଞ୍ଚଳର ହଜାର ହଜାର ଲୋକ ଏଠାରେ ଥିବା ସ୍କୁଲ, ଦୁଇଟି କଲେଜ, ଡାକ୍ତରଖାନା, ଥାନା, ଫରେଷ୍ଟ ଅଫିସ, ଆରଆଇ ଅଫିସ, ଗ୍ୟାସ ପଏଣ୍ଟ, ବ୍ୟାଙ୍କ, ସମବାୟ ସମିତି, ପୋଷ୍ଟ ଅଫିସ, ଏସ୍ଏସଡି ସ୍କୁଲ ଇତ୍ୟାଦି ଉପରେ ଆଖପାଖ ଅଞ୍ଚଳର ଲୋକେ ନିର୍ଭର କରିଥାନ୍ତି। ମୂଳ କୋକସରା ବ୍ଲକ ଏହି ଅଞ୍ଚଳଠାରୁ ୨୦ କିମିରୁ ଉର୍ଦ୍ଧ୍ବ ଦୂରରେ ରହିଥିବାବେଳେ ଜୟପାଟଣା ବ୍ଳକରୁ ଆସୁଥିବା ୨ ଗୋଟି ଗ୍ରାମ ପଞ୍ଚାୟତ ବ୍ଳକ କାର୍ଯ୍ୟାଳୟରୁ ପ୍ରାୟ ୩୦ କିଲୋମିଟର ଦୁରରେ ଥିବା ହେତୁ ଅଫିସ କାର୍ଯ୍ୟକୁ ଛାଡିଦେଲେ ବିଭିନ୍ନ କାର୍ଯ୍ୟ ନିମନ୍ତେ ଲୋକେ ଆମପାଣି ଉପରେ ନିର୍ଭର କରିଥାନ୍ତି। ଏସବୁ ପଞ୍ଚାୟତର ଲୋକେ କୋକସରା ବ୍ଳକ କାର୍ଯ୍ୟାଳୟକୁ ଯିବାକୁ ହେଲେ ଅନେକ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି। ଆମପାଣିକୁ ୨୬ ନମ୍ବର ଜାତୀୟ ରାଜପଥ ସହ ବିଜୁ ଏକ୍ସପ୍ରେସୱେ ସଂଯୋଗ କରୁଥିବାରୁ ଯାତାୟାତରେ ସୁବିଧା ରହିଛି। ସେ ଦୃଷ୍ଟିରୁ ଆମପାଣି ଗ୍ରାମ ପଞ୍ଚାୟତ ନୂତନ ବ୍ଳକ ପାଇଁ ପ୍ରଜୁର୍ଯ୍ୟ ରହିଛି। ବୈଠକରେ ବିଭିନ୍ନ କ୍ରିୟାନୁଷ୍ଠାନ କମିଟି ଗଠନ କରାଯାଇଥିଲା। କାର୍ଯ୍ୟକ୍ରମକୁ ବିଘ୍ନେଶ୍ୱର ନାଏକ ସଂଯୋଜନା କରିଥିଲେ। ସନ୍ତୋଷ ମାଝୀ, ବିନୋଦ ସିଂ, ବିଜୟ କୁମାର ପଣ୍ଡା, ତାପସ ରାୟ, କୁମୁଦ ପୁଝାରୀ, ଟିକି ଚନ୍ଦ୍ର ଧଙ୍ଗଡାମାଝୀ, ସୁରେଶ ସାହୁ, ଧନୁ ଦୁର୍ଗା, ଜଗଦୀଶ ନାଏକ, କୁମୁଦ ସେଠୀ ସମେତ ଶତାଧିକ ଲୋକେ ଯୋଗ ଦେଇଥିଲେ।