ପୂର୍ବ ଜିଲ୍ଲା ପଞ୍ଚାୟତ ଅଧିକାରୀ କଦମ ସାଏ ପାତ୍ରଙ୍କ ବିୟୋଗ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଭୁବନେଶ୍ୱର ସ୍ଥିତ କେୟାର ହସପିଟାଲଠାରେ ପୂର୍ବ ଜିଲ୍ଲା ପଞ୍ଚାୟତ ଅଧିକାରୀ କଦମ ସାଏ ପାତ୍ରଙ୍କ ହୃଦଘାତରେ ମୃତ୍ୟୁ ଘଟିଛି। ତାଙ୍କୁ ୬୭ ବର୍ଷ ବୟସ ହୋଇଥିଲା। ପାଖରେ ଧର୍ମପତ୍ନୀ, ଦୁଇ ପୁଅ, ତିନି ଭଉଣୀ ଓ ଜ୍ବାଇଁ ଉପସ୍ଥିତ ଥିଲେ। କଳାହାଣ୍ଡି ଜିଲ୍ଲାର, ମ.ରାମପୁର ବ୍ଲକ, କୁଟ୍ରୁପଲା ଗାଁରେ ୦୫/୦୨/୧୯୫୮ରେ ମାତା ସାଏଁତ ପାତ୍ର ଓ ପିତା ଯୁଦ୍ଧ ପାତ୍ରଙ୍କ କୋଳ ମଣ୍ଡନ କରିଥିଲେ। ଏକ ଉପାନ୍ତ ଓ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଜନ୍ମି ନିଜ ନିଷ୍ଠା ଓ ଅଧ୍ୟବସାୟ ବଳରେ ସେ ଜଣେ ସ୍ନାତକ ଡିଗ୍ରୀଧାରୀ ହୋଇପାରିଥିଲେ।ତତ୍କାଳିନ ସମୟରେ ଦୁର୍ଗା ମାଧବ ଉଚ୍ଚ ବିଦ୍ୟାଳୟ, ଭବାନୀପାଟଣା ମହାବିଦ୍ୟାଳୟ ଓ ସରକାରୀ ମହାବିଦ୍ୟାଳୟ ଫୁଲବାଣୀରେ ଅଧ୍ୟୟନ କରିଥିଲେ। ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗ ଏବଂ ବ୍ଲକ୍ ପଞ୍ଚାୟତ ଅଧିକାରୀ ରୁ ପଦୋନ୍ନତି ପାଇ ଜିଲ୍ଲା ପଞ୍ଚାୟତ ଅଧିକାରୀ ଭାବେ ବିଭିନ୍ନ ଜିଲ୍ଲାରେ ନିଜର କର୍ମମୟ ଜୀବନ ନିର୍ବାହ କରିଥିଲେ। ସରଳ, ଅମୟିକ ଓ ବନ୍ଧୁବତ୍ସଲ ଗୁଣ ଯୋଗୁଁ ସେ ସବୁଠାରେ ଆଦୃତ ହୋଇପାରିଥିଲେ। ସାତ ବର୍ଷ ପୂର୍ବରୁ ସେବା ନିବୃତ୍ତ ହୋଇ ସେ ନିଜର ପୈତୃକ ଗାଁରେ ରହି କୃଷି କାର୍ଯ୍ୟ କରି ଜୀବନ ଅତିବାହିତ କରୁଥିଲେ। ଧବଳେଶ୍ଵର ଡିଗ୍ରୀ ମହାବିଦ୍ୟାଳୟ, ମୋହନଗିରୀ ପାଇଁ ସେ ୨ ଏକର ୨୧ ଡିସିମିଲ ଜମି ଦାନ କରିଛନ୍ତି। ବିଭିନ୍ନ ସାମାଜିକ ଅନୁଷ୍ଠାନ ସହ ସେ ଜଡ଼ିତ ଥିଲେ। ଗ୍ରାମର ନିଜ ପୈତୃକ ଜମିରେ ଶେଷ କୃତ୍ୟ ସଂପନ୍ନ ହୋଇଥିଲା।ବଡ଼ ପୁଅ ସୂର୍ଯ୍ୟମଣି ପାତ୍ର ମୁଖାଗ୍ନି ଦେଇଥିବାବେଳେ ପୂର୍ବ ମନ୍ତ୍ରୀ ତଥା ବିଧାୟକ ଭୂପିନ୍ଦର ସିଂ, ମୋହନଗିରି ସରପଞ୍ଚ ସୁରେନ୍ଦ୍ର ଧରୁଆ, ସିଂପୁର ଉଛବ ପଧାନ, ସମିତି ସଭ୍ୟ ଗୋକୁଳ ବିଶ୍ଵାଳ,ପୂର୍ବ ପୋଲିସ ଅଧିକାରୀ ବୈଦ୍ୟନାଥ ଭୋଇ, ଟଙ୍କଧର ପନ୍ଦର, ମନୋଜ କୁମାର ନାଥ, ନୃପମଣି ଗହୀର, ଲଛମନ ଭୋଇ, ପୂର୍ବ ସେନା ଉମେଶ ବିଶ୍ଵାଳ, ପୂର୍ବ ବ୍ଲକ୍ ଶିକ୍ଷା ଅଧିକାରୀ ହେମ ସାଗର ଭୋଇ , ଜ୍ବାଇଁ ସତ୍ୟରାମ ଭୋଇ, ଡ. କୌତୁକ ପନ୍ଦର ଏବଂ ଅଞ୍ଚଳର ଶତାଧିକ ଲୋକ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.