ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ବିଶିଷ୍ଟ ସାହିତ୍ୟିକ ତଥା ଲୋକ ସଂସ୍କୃତି ଗବେଷକ ଡକ୍ଟର ଅଜିତ କୁମାର ବେହେରା ‘କାରୁଣ୍ଡ ସାହିତ୍ୟ ସମ୍ମାନ-୨୦୨୫’ରେ ସମ୍ମାନିତ ହୋଇଛନ୍ତି। କଶୃପଡା ମହାବିଦ୍ୟାଳୟର ୩୧ତମ ବାର୍ଷିକୋତ୍ସବ ଅବସରରେ କେସିଙ୍ଗା ଷ୍ଟେଟ ବ୍ୟାଙ୍କ ପ୍ରଦତ୍ତ ଏହି ମର୍ଯ୍ୟାଦାଜନକ ସମ୍ମାନର ମାନପତ୍ର ଓ ଉପଢ଼ୌକନ ତାଙ୍କୁ ପ୍ରଦାନ କରାଯାଇଛି। ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂହଦେଓ, ସମ୍ମାନିତ ଅତିଥି ଭାବେ କେସିଙ୍ଗା ପଞ୍ଚାୟତ ସମିତି ଅଧ୍ୟକ୍ଷ ଚନ୍ଦନ ସେନାପତି ଓ କେସିଙ୍ଗା ଷ୍ଟେଟ ବ୍ୟାଙ୍କର ମୂଖ୍ୟ ପରିଚାଳକ ରୋହିତ ମହାନନ୍ଦ ମୁଖ୍ୟବକ୍ତା ଭାବରେ ଯୋଗଦାନ କରିଥିଲେ। ଏଠାରେ ପ୍ରକାଶଯୋଗ୍ୟ ଯେ, ସାହିତ୍ୟରେ ଉଲ୍ଲେଖନୀୟ ଅବଦାନ ପାଇଁ ଡକ୍ଟର ବେହେରା କଳାହାଣ୍ଡି ଯୁବ ପୁରସ୍କାର, ଜୁନିୟର ଫେଲୋସିପ, ପ୍ରକୃତି ବନ୍ଧୁ ପୁରସ୍କାର, କନ୍ଧାନ ଭାଷା ସମ୍ମାନ, ସରସ୍ଵତୀ ସମ୍ମାନ, ଦେବଗିରି କଳା ସମ୍ମାନ ଲାଭ କରିଛନ୍ତି। ସଂପ୍ରତି ସେ କଶୃପଡା ମହାବିଦ୍ୟାଳୟରେ ଓଡ଼ିଆ ବିଭାଗର ଅଧ୍ୟାପକ ଭାବରେ କାର୍ଯ୍ୟରତ। ତେବେ ଏହି ସମ୍ମାନ ପାଇବାପରେ ତାଙ୍କ ପାଖକୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି।