ଅମାନିଆ ବାଇକ୍ ଚାଳକ ନେଲା ବରିଷ୍ଠ ନାଗରିକଙ୍କ ଜୀବନ

ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ମୁନା ଗୌଡ଼): ବଲାଙ୍ଗୀର ସିଭିଲକୋର୍ଟ ସମ୍ମୁଖରେ ଦୁର୍ଘଟଣା। ବାଇକ ଧକ୍କାରେ ଜଣେ ବରିଷ୍ଠ ନାଗରିକଙ୍କ ମୃତ ଘଟିଛି। ମୃତକ ହେଲେ ବଲାଙ୍ଗୀର ସହର ତାଲପାଲି ପଡାର ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚାରୀ ଅକ୍ଷୟ ମିଶ୍ର। ପନିପରିବା କିଣିବା ପାଇଁ କାରରୁ ଓହ୍ଲାଇ ରାସ୍ତାପାରି ହେବା ସମୟରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ।

ଦ୍ରୁତ ଗତିରେ ଆସୁଥିବା ବାଇକ ଅକ୍ଷୟ ମିଶ୍ରଙ୍କୁ ଧକ୍କା ଦେଇଥିଲା। ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲେ। ଚିକିତ୍ସଧୀନ ଅବସ୍ଥାରେ ତଙ୍କର ମୃତ୍ୟୁ ଘଟିଥିବା ଡାକ୍ତର ଘୋଷଣା କରିଥିଲେ। ଆଜି ଘରେ ପୂଜା ଥିବାରୁ ଅକ୍ଷୟ ପୁଅ ସହ କାର ରେ ବଜାରକୁ କିଣାକିଣି କରିବାକୁ ଯାଇଥିଲେ।

ବଲାଙ୍ଗିର ସିଭିଲ କୋର୍ଟ ସାମ୍ନାରେ ଶାଗ କିଣିବା ପାଇଁ କାରରୁ ଓହ୍ଲାଇ ରାସ୍ତା ପାରି ହେଉଥିବା ସମୟରେ ବାଇକ ଧକ୍କାରେ ମୃତ୍ୟୁ ବରଣ କରିଛନ୍ତି। ଘଟଣା ସ୍ଥଳରେ ଟାଉନ୍ ଥାନା ପୋଲିସ ପହଞ୍ଚି ଦୁର୍ଘଟଣା ଘଟାଇଥିବା ବାଇକକୁ ଜବତ କରିଛି। ଦୁର୍ଘଟଣାରେ ବାଇକ ଚାଳକ ମଧ୍ଯ ଆହାତ ହୋଇଥିବା ଜଣାପଡିଛି।

ଟାଉନ୍ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିବା ସହ ମୃତଦେହ ଜବତ କରି ଭୀମ ଭୋଇ ମେଡିକାଲ କୁ ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ବେଳେ ଶବ ବ୍ୟବଚ୍ଛେଦ ପରେ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ପରିବାର ଏବଂ ତାଲପାଲି ପଡ଼ା ଅଞ୍ଚଳରେ ଲୋକଙ୍କ ମଧ୍ୟରେ ଶୋକାକୁଳ ପରିବେଶ ଦେଖାଯାଇଛି।

ସହର ମଧ୍ୟରେ ନିୟମିତ ଦ୍ରୁତ ବେଗରେ ବାଇକ୍ ଚଳାଚଳ କରୁଥିବା ରୁ ଅନେକ ସମୟରେ ଦୁର୍ଘଟଣା ଘଟି ଅନେକ ଧନ ଜୀବନ ଅକାରଣରେ ଚାଲିଯାଉଛି । ଏହି ଅମାନିଆ ବାଇକ୍ ଚାଳକଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ସାଧାରଣରେ ଦାବି ହେଉଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.