ଇଣ୍ଟେକ ୱେଲରେ ପାଣି ନାହିଁ, ଠିକାଦାର ମରାମତି କରୁନି ଗ୍ୟାଲେରୀ

ନର୍ଲାରେ ପାନୀୟ ଜଳ ଯୋଗାଣରେ ବ୍ୟାଘାତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲାର ଲାଇଫ ଲାଇନ ସାଜିଥିବା ସାନ୍ଦୁଲ ନଦୀ ସମ୍ପୂର୍ଣ୍ଣ ସୁଖି ଗଲାଣି। ଗୋଟିଏ ସପ୍ତାହ ହୋଇ ଗଲାଣି ସର୍ଗିଗୁଡାକୁ ପାନୀୟ ଜଳ ଯୋଗାଣରେ ବ୍ୟତିକ୍ରମ ଦେଖା ଦେଇଛି। ଲୋକେ ଠିକ ଭାବରେ ପାନୀୟ ଜଳ ପାଇପାରୁ ନାହାଁନ୍ତି। ନର୍ଲା ଆରଡବ୍ଲୁଏସଏସ ତରଫରୁ ଇଣ୍ଟେକ୍ ୱେଲ୍ କଡ଼ରେ ଚହଲା କରା ଯାଇଥିଲେ ମଧ୍ୟ ପାଣି କୂଅ ମଧ୍ୟକୁ ପ୍ରବେଶ କରି ପାରୁନଥିବାରୁ ପାନୀୟ ଜଳ ଯୋଗାଣରେ ସମସ୍ୟା ଉପୁଜୁଥିବା ଜଣା ପଡ଼ିଛି। କାରଣ ନଦୀ ଗର୍ଭରୁ କୂଅ ଭିତର ଯାଏଁ ସଂଯୁକ୍ତ ହୋଇଥିବା ଦୁଇଗୋଟି ଗ୍ୟାଲେରୀ ପଙ୍କରେ ପୋତି ହୋଇ ପଡିବା ଫଳରେ ଇଣ୍ଟେକ ୱେଲ ମଧ୍ୟକୁ ପାଣି ପ୍ରବେଶ କରିପାରୁନାହିଁ। ଫଳରେ କୂଅରେ ପାଣି ଅଭାବ ଯୋଗୁଁ ଆଉ ପାନୀୟ ଜଳ ପାଇପାରୁ ନାହାଁନ୍ତି ଲୋକେ। ଏବେ ସିଧା କୁଅରୁ ଜଳ ଯୋଗାଣ ଚାଲିଛି।

Omkar Vasthu
Omkar Vasthu

ଏକ ଲକ୍ଷ କ୍ଷମତା ସମ୍ପନ୍ନ ଓଭର ହେଡ ଟ୍ୟାଙ୍କ ଥାଇ ମଧ୍ଯ ଏହା କୌଣସି କାମକୁ ଆସି ପାରୁନି। କାରଣ ଟାଙ୍କି ନିର୍ମାଣ ହୋଇ ତିନିବର୍ଷ ହୋଇ ସାରିଥିଲେ ମଧ୍ଯ ଏହାକୁ ଠିକାଦାର ମନୋଜ ଗୁପ୍ତା ସଫା କରାଉ ନଥିବାରୁ ପାଣି ଟାଙ୍କି ବ୍ୟବହାର ଯୋଗ୍ୟ ହୋଇ ପାରୁନଥିବା ଜଣା ପଡିଛି। ଏହାକୁ ସଫା କରି ଏବେ ନଦୀ କଡ଼ରେ ଖୋଳା ଯାଇଥିବା ନଳ କୂଅରୁ ରାତିରେ ଟାଙ୍କିକୁ ପାଣି ଉଠେଇ ସକାଳେ ପ୍ରଥମ ପର୍ଯ୍ୟାୟରେ ପାଣି ଯୋଗାଇ ଦେଲେ ଅଧା ଅଧି ପାନୀୟ ଜଳ ଯୋଗାଣର ସମସ୍ୟା ସମାଧାନ ହୋଇ ପାରନ୍ତା। ହେଲେ ସଂମ୍ପୃକ୍ତ ଠିକାଦାରଙ୍କୁ ବାରମ୍ବାର କହିବା ସତ୍ତ୍ୱେ ମଧ୍ୟ କଥାକୁ ଗୁରୁତ୍ବ ଦେଉ ନଥିବା କହିଛନ୍ତି ବିଭାଗୀୟ ଯନ୍ତ୍ରୀ। ଠିକାଦାର ଶ୍ରୀ ଗୁପ୍ତାଙ୍କ ମତାମତ ନେବାକୁ ଚାହିଁବାରୁ ସେ ଫୋନ ଉଠାଇନଥିଲେ।

Pearl dental clinic
Near Ashish Medical Store, Bhawanipatna

ମାର୍ଚ୍ଚ ମାସରୁ ସର୍ଗିଗୁଡା, ନର୍ଲାରୋଡ ଓ ବେହେରାପାଟିକୁ ପାନୀୟ ଜଳ ଯୋଗାଣରେ ସମସ୍ୟା ଦେଖା ଦେଇଛି। ତିନି ବର୍ଷ ପୂର୍ବେ ନର୍ଲା ସାନ୍ଦୁଲ ନଈ କୂଳେ ଓଭର ହେଡ୍ ଟ୍ୟାଙ୍କ ଓ ସର୍ଗିଗୁଡା, ନର୍ଲାରୋଡକୁ ପାନୀୟ ଜଳ ଯୋଗାଣ ପାଇଁ ମାଟିତଳେ ପାଇପ ବିଛେଇ ତରବରିଆ ଓ ଯାହିତାହି ଭାବରେ କାମ କରିଦେଇ ବିଲ ଉଠାଇ ଛୁ ଚଂପଟ ମାରିଲେ ଠିକାଦାର ଶ୍ରୀ ଗୁପ୍ତା। ନାମକୁ ମାତ୍ର ୫ ବର୍ଷ ରକ୍ଷଣା ବେକ୍ଷଣ ଦାୟୀତ୍ବ ପାଇଁ ସରକାରଙ୍କ ସହ ଚୁକ୍ତିନାମା କରିଥିଲେ ମଧ୍ୟ ପାନୀୟ ଜଳ ଯୋଗାଣରେ ସମସ୍ୟା ଦେଖାଦେଲେ କାନଉ ନାହାନ୍ତି ଠିକାଦାର। ମଝିରେ ବିଭାଗୀୟ ଯନ୍ତ୍ରୀ ଓ ଗ୍ରାମ ପଞ୍ଚାୟତ କତୃପକ୍ଷ ହନ୍ତସନ୍ତ ହୋଇ ଲୋକଙ୍କ ବୋଲଣା ଶୁଣୁଛନ୍ତି। କେବଳ ସର୍ଗିଗୁଡା ବୋଲି ନୁହଁ। ସାନ୍ଦୁଲ ନଦୀ ଅବବାହିକାରେ ଆରଡବ୍ଲୁଏସଏସ ତରଫରୁ ସ୍ଥାପିତ ଅନେକ ଜଳ ଯୋଗାଣ ପ୍ରକଳ୍ପ ଗ୍ରାମବାସୀଙ୍କୁ ପାନୀୟ ଜଳ ଯୋଗାଇ ଦେବାରେ ବିଫଳ ହେଉଥିବା ଦେଖିବାକୁ ମିଳୁଛି। ଆଉ ସାନ୍ଦୁଲ ନଦୀ କୂଳରେ ଗ୍ରାମ୍ୟ ଜଳ ଯୋଗାଣ ପ୍ରକଳ୍ପ ଯୋଜନାରେ ୧୫ ରୁ ଉର୍ଦ୍ଧ୍ବ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ବସିଛି। ନର୍ଲା, ନର୍ଲାରୋଡ, ସର୍ଗିଗୁଡା ଓ ବେହେରାପାର୍ଟି କୁ ଗ୍ରାମ୍ୟ ଜଳ ଯୋଗାଣ ପ୍ରକଳ୍ପ ଜରିଆରେ ସାନ୍ଦୁଲ ନଦୀରୁ ଇଣ୍ଟେକ ୱେଲ ଖୋଳାଯାଇ ଚାଲିଛି ପାନୀୟ ଜଳ ଯୋଗାଣ। ସାନ୍ଦୁଲ ନଦୀ ଏବେ ସୁଖି ଯାଇଥିବା ବେଳେ କୂଅ ମୂଳରେ ହୁଡ଼ା କରାଯାଇ ଚହଲା ମାଧ୍ୟମରେ ପାଣିର ବ୍ୟବସ୍ଥା କରାଯାଇଛି। ହେଲେ କୂଅ ଭିତରକୁ ପାଣି ପଶି ପାରୁନି।ଏମିତିରେ ଚଳିତ ବର୍ଷ ହୀନବୃଷ୍ଟି ଯୋଗୁଁ ବର୍ଷାଦିନରୁ ହିଁ ନଈ, ନାଳ, ବନ୍ଧ, ପୋଖରୀ ସବୁଠିରେ ପାଣି କମ୍ ରହିଲା । ଅଭାବୀ ବର୍ଷ ଯୋଗୁଁ ଜଳାଶୟ ଗୁଡିକ ପୂର୍ଣ୍ଣ ହୋଇପାରି ନଥିଲା। ଫଳ ସ୍ୱରୁପ ଜଳାଶୟ ଗୁଡିକରେ ମାର୍ଚ୍ଚ, ଅପ୍ରେଲ ମାସ ଯାଏଁ ପାଣିଭରି ରହିବା କଥା ହେଲେ ମାର୍ଚ୍ଚ ମାସରୁ ପାଣି ଶୁଖି ସାରିଲାଣି। ନଈ, ପୋଖରୀରୁ ଗାଈଗୋରୁ ପିଇବା ପାଇଁ ମଧ୍ୟ ପାଣି ସମସ୍ୟା ଦେଖା ଦେଲାଣି।

Udyog Nursery
Udyogi Nursery

ନର୍ଲା, ସର୍ଗିଗୁଡା, ନର୍ଲାରୋଡ ଓ ବେହେରାପାଟିକୁ ସର୍ଗିଗୁଡା ଗେଟ୍ ଫାଟକ ନିକଟସ୍ଥ ସାନ୍ଦୁଲ ବ୍ରୀଜ୍ ନିକଟରୁ ଆରଡବ୍ଲୁଏସ୍ଏସ୍ ତରଫରୁ ପାନୀୟ ଜଳ ଯୋଗାଣ ଚାଲିଛି । ସେହିଭଳି ସାନ୍ଦୁଲ ନଈ କଡେ କଡେ ରହିଥିବା ନିକଟସ୍ଥ ଗ୍ରାମ ଗୁଡିକ ମାଣ୍ଡେଲ, ରୁପ୍ରାରୋଡ, ଲାଖଗୁଡା, ଭୀମକେଲା, ପଲସାପଡ଼ା ଏଭଳି ଅନେକ ଗୁଡିଏ ଗ୍ରାମକୁ ବିଭାଗ ତରଫରୁ ପାନୀୟ ଜଳ ଯୋଗାଣ ଚାଲିଥିବା ବେଳେ ସାନ୍ଦୁଲ ନଈ ବର୍ତ୍ତମାନ ଜଳଶୂନ୍ୟ। ଶୂନ୍ୟଗର୍ଭା ସାନ୍ଦୁଲ ଆଉ ସକ୍ଷମ ନୁହଁ ପାନୀୟ ଜଳ ଯୋଗାଣ ପାଇଁ। ମାର୍ଚ୍ଚ ମାସରୁ ପାନୀୟ ଜଳ ସମସ୍ୟା ଦେଖା ଦେଲାଣି। ଜଳ ଯୋଗାଣ ପାଇଁ ବ୍ରିଜ ନିକଟସ୍ଥ ନଦୀ ଶଯ୍ୟାରେ ରହିଥିବା ଇଣ୍ଟେକ୍ ୱେଲ ରେ ପାଣି ନାହିଁ। ମୋଟର ଘଣ୍ଟାଏ ଚାଲିଲେ ପାଣି ଶୁଖି ଯାଉଥିବା ବିଭାଗ ତରଫରୁ ସୂଚନା ମିଳିଛି। ଆଗକୁ ଆଉ ତିନି ମାସ ଧରି ଗ୍ରୀଷ୍ମ ଋତୁ ଲାଗି ରହିବ। ଗତବର୍ଷ ମଧ୍ୟ ମାର୍ଚ୍ଚ ମାସରୁ ଜଳ ଯୋଗାଣ ରେ ବ୍ୟାଘାତ ଉପୁଜିଥିଲା। ଚଳିତ ବର୍ଷ ମଧ୍ୟ ତଦ୍ରୁପ ସ୍ଥିତି ରହିବ ବୋଲି ସ୍ପଷ୍ଟ ଅନୁମେୟ। ଗତ ବର୍ଷ ସାରା ରାତି ଇନଟେକ କୂଅ ରେ ପାଣି ଟିକେ ଝରିଥିଲେ ବଡ କଷ୍ଟରେ ସକାଳେ ଅଧ ଘଣ୍ଟା ଚାଲୁଥିଲା ଜଳ ଯୋଗାଣ। ଏହା କେବଳ ନର୍ଲା କିମ୍ବା ସର୍ଗିଗୁଡା ର ପ୍ରସଙ୍ଗ ହୋଇ ରହିନାହିଁ । ରୁପ୍ରାରୋଡ଼, ମାଣ୍ଡେଲ, ଭାନପୁର ସବୁଠି ପାନୀୟ ଜଳ ସମସ୍ୟା ଲାଗି ରହିଛି। ଆହୁରି ତିନି ମାସ ଖରା ବାକି ଅଛି। ଆଗକୁ ଆଗକୁ ପାନୀୟ ଜଳକଷ୍ଟ ସମସ୍ୟା ବଢିବାର ଯଥେଷ୍ଟ ସମ୍ବାବନା ରହିଛି। ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣରେ ଦାବୀ ହେଉଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.