ବିଶ୍ବ କବିତା ଦିବସ ଅବସରରେ ସାହିତ୍ୟ ଏକାଡେମୀର ବହୁଭାଷୀ କବି ସମ୍ମିଳନୀ

ଓଡ଼ିଆ ବାର୍ତ୍ତା/ କୋଲକାତା (ରଜତ ବଂଶଲ): ବିଶ୍ବ କବିତା ଦିବସ ଅବସରରେ ସାହିତ୍ୟ ଏକାଡେମୀ ତରଫରୁ ଅନଲାଇନ୍ ମାଧ୍ୟମରେ ଏକ ବହୁଭାଷୀ କବି ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ ସାହିତ୍ୟ ଏକାଡେମୀ, ଆଂଚଳିକ କାର୍ଯ୍ୟାଳୟ, କୋଲକାତାର ଭାରପ୍ରାପ୍ତ ଅଧିକାରୀ କ୍ଷେତ୍ରବାସୀ ନାଏକ। ବିଶ୍ବ କବିତା ଦିବସର ଗୁରୁତ୍ବ ଏବଂ ଆଧୁନିକ କବିତାର ବିଭବ ସମ୍ପର୍କରେ ସେ ଆଲୋକପାତ କରିଥିଲେ। କାର୍ଯ୍ୟକ୍ରମରେ ଯୋଗଦେଇ ସ୍ବରଚିତ କବିତା ପାଠ କରିଥିଲେ ବର୍ଣ୍ଣାଳି ବୋରଗୋହେନ (ଅହମିଆ), ଅର୍ଣ୍ଣବ ସାହା (ବଙ୍ଗଳା), ରଶ୍ମୀ ଚୌଧୁରୀ (ବୋଡୋ), ନିବେଦିତା ଝା (ମୈଥିଳି), ଦେବଦାସ ମାଇରେମବାମ (ମଣିପୁରୀ), ଲକ୍ଷ୍ମଣ ଅଧିକାରୀ (ନେପାଳୀ), ଶଶିଭୂଷଣ ବିଶ୍ବାଳ (ଓଡିଆ) ଏବଂ ଭୂଜଙ୍ଗ ଟୁଡୁ (ସାନ୍ତାଳି)। ନିମନ୍ତ୍ରିତ କବିମାନେ ମୂଳ ଭାଷା ସହିତ ହିନ୍ଦୀ /ଇଂରାଜୀ ଭାଷାରେ ତାହାର ଅନୁବାଦ ମଧ୍ୟ ଶୁଣାଇଥିଲେ। କବିତାଗୁଡିକରେ ବ୍ୟକ୍ତିଗତ ଅନୁଭବ ସହିତ ସମକାଳର ଚିତ୍ର ପ୍ରତିଫଳିତ ହୋଇଥିଲା। କେତେକ କବିତାରେ ଆଧୁନିକ ସମାଜର ବୈଚିତ୍ର୍ୟ ପରିସ୍ଫୁଟିତ ହୋଇଥିଲା। ଓଡିଆ ଭାଷାର କବି ଶଶିଭୂଷଣ ବିଶ୍ବାଳଙ୍କ କବିତା ବସନ୍ତ, ଚିତ୍ରିତ ସକାଳ, ନୀଳ ନିର୍ବାଣ ଉଚ୍ଚ ପ୍ରଶଂସିତ ହୋଇଥିଲା। ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ସାହିତ୍ୟ ଏକାଡେମୀ, କୋଲକାତା କାର୍ଯ୍ୟାଳୟର କାର୍ଯ୍ୟକ୍ରମ ଅଧିକାରୀ ଅଭିଷେକ ରଥ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.