ଉଦଯାପିତ ହେଲା ଖଣ୍ଡୁଆଳମାଳି ପରବ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କଳାହାଣ୍ଡି ଜିଲ୍ଲାର ଲାଞ୍ଜିଗଡ ଏବଂ ଥୁଆମୂଳ ରାମପୁର ବ୍ଳକ ସୀମାରେ ରହିଥିବା ଖଣ୍ଡୁଆଳ ମାଳି ଶିଖରରେ ଶୁକ୍ରବାର ରାତିରେ ପାଳିତ ହୋଇଯାଇଛି ଖଣ୍ଡୁଆଲ ମାଳି ପରବ। ଏହି ପର୍ବ ପ୍ରତି ବର୍ଷ ମାର୍ଚ୍ଚ ୨୮ ଓ ୨୯ରେ ପାଳନ କରାଯାଉ ଥିବା ବେଳେ ଚଳିତ ବର୍ଷ ମଧ୍ୟ ଶାନ୍ତି ଶୃଙ୍ଖଳା ‌ସହିତ ଉଦଯାପିତ ହୋଇଯାଇଛି ଖଣ୍ଡୁଆଲ ମାଳି ପରବ। ଜଳ,ଜମି, ଜଙ୍ଗଲ ସୁରକ୍ଷା ଉଦ୍ଦେଶ୍ୟରେ ଏହି ପର୍ବ ପାଳନ କରାଯାଇଥିବା ବେଳେ ପ୍ରକୃତିର ଆଦିମ ସନ୍ତାନ ମାନେ ମାଁ ମାଟିର ସୁରକ୍ଷା ପାଇଁ ଜାଗି ଉଠିଥିଲେ। ଆରାଧ୍ୟ ଦେବତା ଖଣ୍ଡୁଆଳ ବୁଡ଼ାରଜାଙ୍କୁ ସାକ୍ଷୀ ରଖି ନିଜ ଜୀବନ ଜୀବିକା ଖଣ୍ଡୁଆଳ ମାଳିକୁ ସୁରକ୍ଷିତ ରଖିବାକୁ ପଣ କରି ବଜ୍ର ଶପଥ ନେଇଁ ଥିଲେ। ଖଣ୍ଡୁଆଳ ବୁଡ଼ାରଜାଙ୍କୁ ବଳି ପୂଜା ଦ୍ୱାରା ସନ୍ତୋଷ୍ଟ କରି ବହୁରାଷ୍ଟ୍ରୀୟ କମ୍ପାନୀକୁ ଦେଇଥିଲେ ଚରମ ଚେତାବନୀ। ରକ୍ତ ଚାଉଳ ଧରି ଶପଥ ନେଇଥିଲେ ଜୀବନ ଥିବା ପର୍ଯ୍ୟନ୍ତ ଖଣ୍ଡୁଆଳ ମାଲି ସୁରକ୍ଷା ହିଁ ଏକ ମାତ୍ର ନିଷ୍ପତି। ସରକାର, ପ୍ରଶାସନ, ଓ ବହୁରାଷ୍ଟ୍ରୀୟ କମ୍ପାନୀ ଯେତେ ଭୂତେଇଲେବି ଖଣ୍ଡୁଆଳ ମାଳି ଛାଡ଼ିବୁନି ବୋଲି ସେମାନେ ମିଳିତ ଭାବରେ ଆହ୍ୱାନ ଦେଇଥିଲେ। ଖଣ୍ଡୁଆଳ ମାଳି ପାହାଡ଼ରେ ଖଣିଜପଦାର୍ଥ ଭରପୁର ରହିଥିବା ଯୋଗୁଁ ସରକାର ଓ ବହୁରାଷ୍ଟ୍ରୀୟ କମ୍ପାନୀ ଲୋଳପ ଦୃଷ୍ଟି ରଖି ଖଣି ଖନନ କରିବା ପାଇଁ ସମସ୍ତଙ୍କ ନଜର ଏଠାରେ ରହିଛି। ତେବେ ଉଭୟ ସରକାର ଶିଳ୍ପ ପ୍ରତିଷ୍ଠା ଓ ଖଣି ଖନନ ପାଇଁ ସବୁ ପ୍ରକାର କୋହଲ ନୀତି ଜାରି କରିଥିବା ବେଳେ ଖଣ୍ଡୁଆଳ ମାଳିର ଖଣି ଖନନକୁ ତୀବ୍ର ବିରୋଧ ଜାରି ରହିବ ବୋଲି ଆଦିବାସୀ ମାନେ ଶପଥ ନେଇଁ ଥିଲେ। ଏହି ପର୍ବରେ ଆଦିବାସୀ ସମ୍ପ୍ରଦାୟ ବ୍ୟତୀତ ଜିଲ୍ଲା ତଥା ଜିଲ୍ଲା ବାହାରୁ ଶହଶହ ସଧାରଣ ଲୋକେ, ପରିବେଶବିତ, ପର୍ବତ ଶିଖର ଉତ୍ସବରେ ସାମିଲ ହୋଇଥିଲେ। ଖଣ୍ଡୁଆଳ ମାଳି ସ୍ଥାୟୀ ସୁରକ୍ଷା ସମିତି ଆହ୍ୱାନରେ ଆୟୋଜିତ ଏହି ପରବରେ ଉପସ୍ଥିତ ଥିବା ସାହାଯ୍ୟ ସହଯୋଗ ଓ ସମର୍ଥନ କରି ଆସୁଥିବା ବୁଦ୍ଧିଜୀବୀ, ପରିବେଶବିତ, ଦେଶପ୍ରେମୀ ତଥା ବିଭିନ୍ନ ଗଣ ସଂଘଠନକୁ ଖଣ୍ଡୁଆଳ ମାଳି ସ୍ଥାୟୀ ସୁରକ୍ଷା ସମିତି ସଂଗ୍ରାମୀ ଅଭିନନ୍ଦନ ଜଣାଇ ଥିଲେ l ଏଥିରେ ୭ଖଣ୍ଡ ପଞ୍ଚାୟତର ୪୫ ଗୋଟି ଗାଁର ଲୋକ ଉପସ୍ଥିତ ଥିବା ବେଳେ ଖଣ୍ଡୁଆଳ ମାଳି ସ୍ଥାୟୀ ସୁରକ୍ଷା ସମିତି ସଭାପତି କାର୍ତ୍ତିକ ମାଝୀ,ସମ୍ପାଦକ ବ୍ରିଟିଶ କୁମାର ସଦସ୍ୟ ବୈଦ୍ୟନାଥ ନାଏକ ଦାମୋଦର ବେହେରା, ବିର ବଜରଙ୍ଗ ନାଏକ, ଗାର୍ଗୀ ସତପଥୀ, ଧନେଶ୍ଵର ମାଝୀ, ଲେଲିନ କୁମାର ରାୟ, କୃଷ୍ଣ ହିକକା, ଲୋକନାଥ ମାଝୀ, ପୂର୍ଣ୍ଣ ମାଝୀ, ହୃଷିକେଶ ମାଝୀ, ମାନ ମାଝୀ ପ୍ରମୁଖ ସାମିଲ ହୋଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.