‘କୁମ୍ଭକ୍ଷେତ୍ର’ରେ ଆୟୋଜିତ ହେଲା ୫୧ତମ ଫେସବୁକ କବିତା ଆସର : କୁଲଡିହାକୁ ନେଇ କବିତା ପଢିଲେ କବି

• କୁଳଡିହାକୁ ନେଇ କବିଙ୍କ ଭିତରେ ପ୍ରଥମ କବିତା ଆସର

• ରେଖାଚିତ୍ରରେ ଶିଳ୍ପୀ ଆଙ୍କିଲେ କୁଳଡିହା ଗାଥା

ଓଡ଼ିଆ ବାର୍ତ୍ତା/ ବାଲେଶ୍ଵର (କୃଷ୍ଣ କୁମାର ମହାନ୍ତି) ନୀଳଗିରି ଉପଖଣ୍ଡ ଅଧୀନସ୍ଥ କୁଳଡିହା ଅଭୟାରଣ୍ୟ ପ୍ରକୃତିର ଅନନ୍ୟ ବରଦାନ। କୁଳଡିହା ହେଉଛି ମାନବ କୁଳର ଡିହ। କିମ୍ବଦନ୍ତୀ ଅନୁସାରେ ପୃଥିବୀ ପ୍ରଳୟ ହେବ, ସବୁଆଡେ ଜଳମୟ ହୋଇଯିବ, ଜୀବଜନ୍ତୁ, ମଣିଷ ସବୁ ଲୋପ ପାଇଯିବବ। କେବଳ କୁଳର ଡିହ କୁଳଡିହାରେ ମଣିଷ ବଞ୍ଚି ରହିବେ। ମଣିଷ ବନିଶୀ ପକାଇ ମାଛ ଧରି ଖାଇବେ। କୁଳଡିହାର ପାହାଡ଼ ଉପରେ ଝୁଙ୍କି ହୋଇ ରହିଥିବା ବିରାଟ ପଥରକୁ ଏବେ ଲୋକମାନେ ଡୁମେଇ ରଣା ବସିଛି ବୋଲି କହନ୍ତି।

ବାଲେଶ୍ଵର ଜିଲ୍ଲାର ଏକମାତ୍ର ବନ୍ୟଜନ୍ତୁ ଅଭୟାରଣ୍ୟ କୁଳଡିହାକୁ ନେଇ ପ୍ରଥମ ଥର ପାଇଁ ବାଲେଶ୍ଵରର କବିମାନେ ଆୟୋଜନ କଲେ କବିତା ପାଠ ଉତ୍ସବ । ବାଲେଶ୍ଵର ଫେସବୁକ କବି ପରିବାର ଓ କୁମ୍ଭକ୍ଷେତ୍ରର ମିଳିତ ସହଯୋଗରେ ୫୧ତମ ଫେସବୁକ କବିତା ଆସର‌‌‌ ପ୍ରକୃତି ଓ ସଂସ୍କୃତିର ଶ୍ରୀକ୍ଷେତ୍ର ‘କୁମ୍ଭକ୍ଷେତ୍ର’ରେ ଆୟୋଜନ କରାଯାଇଥିଲା।

ଏଥିରେ ମଞ୍ଚ ଆହ୍ବାନ, ଅତିଥି ପରିଚୟ ଓ ପ୍ରାକ୍ କଥନ ରଖିଥିଲେ ଫେସବୁକ କବିତା ଆସରର ଆବାହକ ଶିଳ୍ପୀ କେଶୁଦାସ। ମୁଖ୍ୟ ଅତିଥି ଭାବରେ କବି ଯଶୋଧାରା ଦାସ ଓ ମୁଖ୍ୟ ବ୍ୟକ୍ତା ଭାବରେ କବି ଶ୍ରୀଦେବ ଯୋଗ ଦେଇ କୁଳଡିହାର ପ୍ରାକୃତିକ ସୌନ୍ଦର୍ଯ୍ୟ ସହ ଲୋକକଥା ଓ ଲୋକ ସଂସ୍କୃତିର ଗ୍ରଂଥାଗାର ବୋଲି ମତବ୍ୟକ୍ତ କରିଥିଲେ ।

କବିତା ସଂଯୋଜକ ଭାବରେ କବି ଗଗନ ସେଠୀ ଓ କବି ମଧୁସୂଦନ ମିଶ୍ର ଯୋଗ ଦେଇ ଥିଲେ। ଏଥିରେ ସ୍ଥାନୀୟ ନିମନ୍ତ୍ରିତ କବି ଭାବରେ ସୁଭାଷିନୀ ଜୀ, ଗଙ୍ଗାଧର ଦାସ, ବାମନ ମହାନ୍ତି, ମନୋରଞ୍ଜନ ପ୍ରଧାନ, କମଳଲୋଚନ ପଣ୍ଡା ଯୋଗ ଦେଇଥିବା ବେଳେ କବି ବିକର୍ତ୍ତନ ନାୟକ, ସତ୍ୟଭାମା ମୁଦୁଲି, ସୁବ୍ରତା ମହାନ୍ତି, ପଦ୍ମଲୋଚନ ପ୍ରଧାନ, ପ୍ରଭାତ ଆଚାର୍ଯ୍ୟ, ସୁଧାକର ସେଠୀ, ତୃପ୍ତି ରାଣୀ ପାତ୍ର, ଦେବାଶିଷ ସିଂହ, ଶାନ୍ତି ବିଶି, ଶାନ୍ତି ଲତା ପଣ୍ଡା, ଶମ୍ଭୁନାଥ ପାଳ, ଝରଣା ମଲ୍ଲିକ, ରଞ୍ଜିତ ବେହେରା, ପ୍ରତିମା ପଣ୍ଡା, ପ୍ରଣିତା ମିଶ୍ର, ଅବନ୍ତି ପ୍ରଧାନ ପ୍ରମୁଖ ଯୋଗ ଦେଇ କୁଳଡିହାର ଗୁଣଗାନ କରିଥିଲେ।

ଶିଳ୍ପୀ କେଶୁଦାସ ରେଖାରେ ରେଖାରେ ଡୁମେଇ ରଣାର ଚିତ୍ର ଅଙ୍କିଥିବା ବେଳେ ଅଙ୍କିତ ଦାସ ଓ ଯଶଶ୍ରୀ ସ୍ବାଇଁ କୁଳଡିହା କଳା ମୁଗୁନି ପଥରର ବାସନ ଓ କୋଣାର୍କ ସୂର୍ଯ୍ୟମନ୍ଦିରର ଚିତ୍ର ଆଙ୍କି କୁଳଡିହାର ଐତିହାସିକ ଗାଥା ବର୍ଣ୍ଣନା କରିଥିଲେ। ଶେଷରେ ସ୍ଥାନୀୟ ଯୁବ କବୟିତ୍ରୀ ହେମଲତା ବେହେରା ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.