ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ଆସନ୍ତା ଏପ୍ରିଲ ୭ ତାରିଖରୁ ସୋନପୁର ଗାନ୍ଧୀ ଷ୍ଟାଡିୟମରେ ୧୫ ବର୍ଷରୁ କମ୍ ଚିଫ ମିନିଷ୍ଟର ଇଣ୍ଟର କ୍ଳବ୍ ଜିଲ୍ଲା ସ୍ତରୀୟ ଫୁଟବଲ୍ ଚାମ୍ପିଅନସିପ ୨୦୨୫ ଅନୁଷ୍ଠିତ ହେବ। ଏ ନେଇ ସୁବର୍ଣ୍ଣପୁର ଜିଲ୍ଲା କ୍ରିଡ଼ା ସଂଘ ପକ୍ଷରୁ ଆଜି ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଟିତ ହୋଇଯାଇଛି। ଜିଲ୍ଲାର ସୋନପୁର, ଉଲୁଣ୍ଡା, ବୀରମହାରାଜପୁର ବ୍ଲକର ୬ ଟି ଦଳ ସମେତ ସୋନପୁର ମୁନିସିପାଲିଟିର ୪ ଗୋଟି ଦଳ ସମୁଦାୟ ୧୦ ଗୋଟି ଦଳ ଏଥିରେ ଭାଗ ନେବାକୁ ଥିବାବେଳେ ଏଥିରୁ ପ୍ରଥମ ପର୍ଯ୍ୟାୟରେ ୪୦ ଜଣ ଓ ଦ୍ୱିତୀୟ ପର୍ଯ୍ୟାୟରେ ସେଥିରୁ ୨୪ ଜଣ ଖେଳାଳୀଙ୍କୁ ରାଜ୍ୟ ସ୍ତରୀୟ ଫୁଟବଲ୍ ପାଇଁ ମନୋନୀତ କରାଯିବ ବୋଲି ଜିଲ୍ଲା କ୍ରିଡ଼ା ସଂଘ ସଂପାଦକ ପୀୟୂଷ ପଣ୍ଡା ସମ୍ମିଳନୀରେ ପ୍ରକାଶ କରିଛନ୍ତି। ଓଡ଼ିଶା ସରକାରଙ୍କ ସ୍ପୋର୍ଟସ ହଷ୍ଟେଲ, ଓଡ଼ିଶା ଫୁଟବଲ୍ ଆସୋସିଏସନ୍ ଓ ଜିଲ୍ଲା କ୍ରୀଡ଼ାସଂଘ ର ମିଳିତ ସହଯୋଗରେ ଅନୁଷ୍ଟିତ ହେବାକୁ ଥିବା ଏହି ଅଣ୍ଡର ୧୫ ଫୁଟବଲ୍ ଚାମ୍ପିଅନସିପ ୨୦୨୫ ରେ କ୍ରୀଡ଼ା ପ୍ରତିଭାର ବିକାଶ ହେବ ବୋଲି କର୍ମକର୍ତା ମାନେ ପ୍ରକାଶ କରିଛନ୍ତି। ଓଡ଼ିଶା ଫୁଟବଲ୍ ଆସୋସିଏସନର ଟେକ୍ନିକାଲ କମିଟି ହେଡ୍ ସୁନିଲ ମିତ୍ର ଗାନ୍ଧୀ ଷ୍ଟାଡିୟମ୍ ଓ ଏହାର ଭିତ୍ତି ଭୂମି ପରିଦର୍ଶନ କରି ଜିଲ୍ଲା କ୍ରିଡ଼ା ସଂଘ କର୍ମକର୍ତା ଙ୍କ ସହିତ ଏ ନେଇ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିବା ଜଣାଯାଇଛି। ସ୍ପୋର୍ଟସ ହଷ୍ଟେଲ ଏକାଡେମି ଓଡ଼ିଶା ସରକାର ଏହାର ତଦାରଖ ଓ ସବୁ ଖର୍ଚ୍ଚ ବହନ କରିବ ବୋଲି କ୍ରିଡ଼ା ସଂଘ ଉପ ସଭାପତି ଚିତ୍ତ ରଞ୍ଜନ ତରାସିଆ ସୁଚନା ଦେଇଛନ୍ତି। ଜିଲ୍ଲା କ୍ରୀଡ଼ା ସଂଘ ର କାର୍ଯ୍ଯକାରୀ ସଦସ୍ୟ କଇରୁ ସ୍ବାଇଁ, ପୁରୋଷୋତ୍ତମ ପାଣିଗ୍ରାହୀ, କୃଷ୍ଣ ଚନ୍ଦ୍ର ବାଘ, ଦିଲ୍ଲୀପ ଗୁରୁ, ଗୌରୀ ଶ୍ୟାମ ପଣ୍ଡା, ଭୁକୁଲୁ ବକ୍ସି, ଆଦିତ୍ୟ କିଶୋର ଦାନୀ, ସୁଦର୍ଶନ ପଣ୍ଡା, କାଉନଶିଲର ଗଙ୍ଗା ତରିଆ, ସୁକାନ୍ତ ସାହୁ ପ୍ରମୁଖ ଏହି ସମ୍ମିଳନୀରେ ଯୋଗ ଦେଇ ସୁବର୍ଣ୍ଣପୁରରେ ଫୁଟବଲ୍ ପ୍ରତିଭାର ବିକାଶ ହେବା ସାଙ୍ଗେ ସାଙ୍ଗେ ଏ ଅୟୋଜନ ଦ୍ଵାରା ଫୁଟବଲ୍ ଖେଳ ଓ ଏହାର ଭିତ୍ତିଭୂମିକୁ ମଜଭୁତ କରିପାରିବ ବୋଲି ମତ ପ୍ରକାଶ କରିଛନ୍ତି। ପରବର୍ତ୍ତୀ ପର୍ଯ୍ୟାୟରେ ଏଠାରେ ଭାଗ ନେଇଥିବା ଫୁଟବଲ୍ ଦଳର ଖେଳାଳିମାନେ ଗ୍ରାମାଞ୍ଚଳରେ ଖେଳ ଅଭ୍ୟାସ ଜାରି ରଖିବା ପ୍ରୋତ୍ସାହିତ କରିବାକୁ ମଧ୍ୟ କର୍ମକର୍ତା ପରାମର୍ଶ କରିଥିଲେ। ସଭା କୁ ବିକାଶ ପଣ୍ଡା ସଂଯୋଜନା କରିଥିବା ବେଳେ ସମସ୍ତ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।