ଓଡ଼ିଆ ବାର୍ତ୍ତା/ କଟକ ସଦର: ବନ୍ତୁଣିଆ ଗ୍ରାମର ନୂତନ ଗ୍ରାମ୍ୟ କମିଟି ତରଫରୁ ବନ୍ତେଶ୍ଵର ମହାଦେବଙ୍କ ମନ୍ଦିର ପ୍ରାଙ୍ଗଣରେ ଏକ ସମ୍ବର୍ଦ୍ଧନା ସଭା ଗ୍ରାମବାସୀଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ନିକଟରେ ବେଣ୍ଟକାର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରୁ ଅବସର ନେଇଥିବା ଅଶୋକ କୁମାର ଜେନା @ ବୁଲୁ ବାବାଙ୍କୁ ଓ ୪୨ମୌଜା ଥାନାର ଆଇଆଇସି ଗିରିଶ ଚନ୍ଦ୍ର ମହାରଣାଙ୍କୁ ତାଙ୍କର ଉଚ୍ଚ ପ୍ରଶଂସନୀୟ କାର୍ଯ୍ୟ ଯୋଗୁଁ ପୁଷ୍ପଗୁଚ୍ଛ, ଉପଢ଼ୌକନ ସହ ମାନପତ୍ର ପ୍ରଦାନ କରାଯାଇ ସସମ୍ମାନେ ସମ୍ବର୍ଦ୍ଧିତ କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ଚତ୍ତ୍ରୁର୍ଦ୍ଧଶ ସଙ୍କୀର୍ତ୍ତନ ମଣ୍ଡଳୀର ସର୍ବମହନ୍ତ ସୁରେନ୍ଦ୍ର ନାଥ ପଣ୍ଡା, ଦଧିବାମନପୁର ଗ୍ରାମ ପଞ୍ଚାୟତର ପୂର୍ବତନ ସରପଂଚ ବିଦ୍ୟାଧର ପାତ୍ର, ୪୨ମୌଜା ବିକାଶ ପରିଷଦର ସଭାପତି ଆଡଭୋକେଟ କେଶବ ଚନ୍ଦ୍ର କର, ବଉଳକୁଦ ଗ୍ରାମ ମୂରବୀ ତଥା ଯୁବ ସମାଜସେବୀ ସନ୍ତୋଷ କୁମାର ବେହେରା, ଆଇତଳଙ୍ଗ ଗ୍ରାମ ଅଧକାରୀ ସୁଶାନ୍ତ କୁମାର ତ୍ରିପାଠୀ ଓ ୪୨ମୌଜା ଯାଦବ ମହାସଭା ସଭାପତି ବୁଲେଇ ବେହେରା ପ୍ରମୁଖଙ୍କୁ ପୁଷ୍ପଗୁଛ ଓ ଉତ୍ତରୀୟ ପ୍ରଦାନ କରାଯାଇ ସସମ୍ମାନେ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବେଣ୍ଟକାର ଗ୍ରାମ ପଞ୍ଚାୟତର ସରପଞ୍ଚ ଶିବଶଙ୍କର ମଲ୍ଲିକ, ନୂତନ ଗ୍ରାମ୍ୟ କମିଟିର ସଭାପତି କିଶୋର ଚନ୍ଦ୍ର ସେନାପତି, ସମ୍ପାଦକ ଅମିତାଭ ବିଶ୍ଵାଳ, କୋଷାଧ୍ୟକ୍ଷ କୃଷ୍ଣ ଚନ୍ଦ୍ର ସେଠୀ ଓ ଉପଦେଷ୍ଟା ମଣ୍ଡଳୀଙ୍କ ସମେତ ଗ୍ରାମ୍ୟ କମିଟିର ସମସ୍ତ ସଦସ୍ୟ ବୃନ୍ଦ ଉପସ୍ଥିତ ଥିଲେ। ଗ୍ରାମ ଯୁବକ ମାନେ କାର୍ଯ୍ୟକ୍ରମରେ ପୂର୍ଣ୍ଣ ସହଯୋଗ କରିଥିବା ବେଳେ ଗ୍ରାମ ଅଧିକାରୀ ରବୀନ୍ଦ୍ର ନାଥ ସେନାପତି ଧନ୍ୟବାଦ୍ ପ୍ରଦାନ କରିଥିଲେ। ଏହି ଅବସରରେ ଗ୍ରାମବାସୀ ଓ ସନାନୀୟ ଅତିଥି ମାନଙ୍କ ଉଦ୍ଦେଶ୍ୟରେ ଏକ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା।