ରାଜସ୍ଵ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀଙ୍କ ଏକ ଦିବସୀୟ ବାଲେଶ୍ୱର ଗସ୍ତ

ରାଜସ୍ୱ, ଜମି ଅଧିଗ୍ରହଣ ଏବଂ ବିପର୍ଯ୍ୟୟ ପରିଚାଳନା ସମ୍ବନ୍ଧୀୟ ପ୍ରସଙ୍ଗରେ ଜିଲ୍ଲା ପ୍ରଶାସନ ସହିତ କଲେ ସମୀକ୍ଷା

ବର୍ଦ୍ଧନପୁର ଗ୍ରାମ ପଂଚାୟତର ନୂତନ କାର୍ଯ୍ୟାଳୟର କଲେ ଶୁଭ ଉଦ୍ଘାଟନ

ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ରାଜସ୍ଵ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ ଜିଲ୍ଲାର ବିଭିନ୍ନ ରାଜସ୍ୱ, ଜମି ଅଧିଗ୍ରହଣ ଏବଂ ବିପର୍ଯ୍ୟୟ ପରିଚାଳନା ସମ୍ବନ୍ଧୀୟ ପ୍ରସଙ୍ଗଗୁଡ଼ିକର ସମୀକ୍ଷା କରିଛନ୍ତି ।

ଉକ୍ତ ବୈଠକରେ ସାଂସଦ, ବାଲେଶ୍ୱର ଶ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ଶାସକ ଦଳର ଉପମୁଖ୍ୟ ସଚେତକ ତଥା ବିଧାୟକ, ରେମୁଣା ଶ୍ରୀ ଗୋବିନ୍ଦ ଚନ୍ଦ୍ର ଦାସ, ବିଧାୟକ ଜଳେଶ୍ୱର ଶ୍ରୀ ଅଶ୍ୱିନୀ ପାତ୍ର, ବିଧାୟକ, ସିମୁଳିଆ ଶ୍ରୀ ପଦ୍ମଲୋଚନ ପଣ୍ଡା, ବିଧାୟକ, ବାଲେଶ୍ଵର ସଦର ଶ୍ରୀ ମାନସ କୁମାର ଦତ୍ତ, ବିଧାୟକ, ନୀଳଗିରି ଶ୍ରୀ ସନ୍ତୋଷ ଖଟୁଆ, ବିଧାୟିକା ବସ୍ତା ଶ୍ରୀମତୀ ସୁବାସିନୀ ଜେନା, ବିଧାୟକ ଭୋଗରାଇ ଶ୍ରୀ ଗୌତମବୁଦ୍ଧ ଦାସ ପ୍ରମୁଖ ଯୋଗ ଦେଇଥିବା ବେଳେ ଜିଲ୍ଲାପାଳ ଶ୍ରୀ ସୂର୍ଯ୍ୟବଂଶୀ ମୟୂର ବିକାଶ, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଶ୍ରୀ ସୁଧାକର ନାୟକ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ଶ୍ରୀ ହେମନ୍ତ ସିଂ, ଉପଜିଲ୍ଲାପାଳ ବାଲେଶ୍ୱର ଡ଼. ମଧୁସ୍ମିତା ସାମନ୍ତରାୟ, ଉପଜିଲ୍ଲାପାଳ ନୀଳଗିରି ଶ୍ରୀମତୀ ଶୁଭଶ୍ରୀ ରଥ, ଡେପୁଟି କଲେକ୍ଟର (ରାଜସ୍ବ) ଶ୍ରୀ ସୀତାଂଶୁ ଶେଖର ଦାସ, ବିଭିନ୍ନ ଜିଲ୍ଲାସ୍ତରୀୟ ଅଧିକାରୀ, ସମସ୍ତ ତହସିଲଦାର, ଡିଏସଆର ଓ ଅତିରିକ୍ତ ତହସିଲଦାର ପ୍ରମୁଖ ଉପସ୍ଥିତ ଥିଲେ ।

ଜିଲ୍ଲାରେ ଚାଲିଥିବା ରାଜସ୍ୱ ସମ୍ବନ୍ଧୀୟ କାର୍ଯ୍ୟକ୍ରମ, ଜମି ଅଧିଗ୍ରହଣ ପ୍ରକ୍ରିୟାରେ ସମ୍ମୁଖୀନ ହେଉଥିବା ଅସୁବିଧା ଏବଂ ବିପର୍ଯ୍ୟୟ ପରିଚାଳନା ବ୍ୟବସ୍ଥାର ପ୍ରସ୍ତୁତି ଓ କାର୍ଯ୍ୟକାରିତାକୁ ମୂଲ୍ୟାଙ୍କନ କରିବା ଦିଗରେ ବୈଠକ ପ୍ରାରମ୍ଭରେ ଆଲୋଚନା ହୋଇଥିଲା I ତହସିଲ ଅଫିସରୁ ଯେପରି କୌଣସି ଲୋକ ସହାୟତା ବିନା ନ ଫେରୁ ସେ ବାବଦରେ ସମସ୍ତ ତହସିଲଦାରଙ୍କୁ ସଜାଗ ରହିବା ପାଇଁ ମନ୍ତ୍ରୀ ଉପଦେଶ ଦେଇଥିଲେ | ଆଗମୀ ଦିନରେ ରାଜସ୍ୱ ବିଭାଗ କିପରି ଲୋକଙ୍କ ନିକଟତର ହେବ ସେଥିପାଇଁ ଧ୍ୟାନ ଦେବାକୁ କହିଥିଲେ | ତହସିଲଦାର ଏବଂ ରାଜସ୍ୱ କର୍ମଚାରୀ ସାଧାରଣ ଲୋକଙ୍କୁ ଗୁରୁତ୍ୱ ଦେବା ସହ ଲୋକାଭିମୁଖୀ ଯୋଜନା ଗୁଡିକ ପ୍ରଣୟନ ନିମନ୍ତେ ଦାୟିତ୍ୱବାନ ହେବାକୁ ସେ କହିଥିଲେ। ଆଗମୀ ଦିନରେ ରାଜସ୍ୱ ବିଭାଗ ମୋବାଇଲ ଦ୍ୱାରା ଲୋକଙ୍କ ପାଖରେ ପହଂଚିବାକୁ ଉଦ୍ୟମ କରୁଛି ବୋଲି ମାନ୍ୟବର ମନ୍ତ୍ରୀ ସୂଚନା ଦେଇଥିଲେ।

ସମସ୍ତ ରାଜସ୍ୱ ଜମିର ରକ୍ଷା କରିବା ପାଇଁ ଅଧିକାରୀମାନେ ଚେଷ୍ଟିତ ହେବା ଆବଶ୍ୟକ ବୋଲି ମାନ୍ୟବର ମନ୍ତ୍ରୀ କହିଥିଲେ। ଜାତି ପ୍ରମାଣପତ୍ରରେ ଉପୁଜୁଥିବା ବିଭିନ୍ନ ଅସୁବିଧାଗୁଡିକ ବିଷୟରେ ଆଲୋଚନା କରିଥିଲେ ମନ୍ତ୍ରୀ। ସେହିପରି ଅସାଧୁ ଆକାରରେ ଆଦିବାସୀ ଜମି ହଡପ କରୁଥିବା ଲୋକଙ୍କ ପ୍ରତି ସରକାର କଡା ପଦକ୍ଷେପ ନେବ ବୋଲି ଜଣାଇଛନ୍ତି। ବସୁନ୍ଧରା ଯୋଜନାରେ ଯେଉଁ ମାନେ ଜମି ପାଇଁ ଯୋଗ୍ୟ ସେମାନଙ୍କୁ ଯଥା ଶୀଘ୍ର ଜମି ଦେବାକୁ ଜିଲ୍ଲା ପ୍ରଶାସନକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ଏହା ସହିତ ମନ୍ତ୍ରୀ ଜିଲ୍ଲାରେ ବିପର୍ଯ୍ୟୟ ପରିଚାଳନା ପାଇଁ ଗଠିତ ଭିତ୍ତିଭୂମି ଏବଂ ଜରୁରୀକାଳୀନ ପରିସ୍ଥିତିରେ ପ୍ରଶାସନର ପ୍ରସ୍ତୁତିକୁ ନିରୀକ୍ଷଣ କରିଥିଲେ। ଜମି ଅଧିଗ୍ରହଣ ସମ୍ବନ୍ଧୀୟ ଅଭିଯୋଗ ଓ ବିବାଦଗୁଡ଼ିକର ସମାଧାନ ପାଇଁ ଆବଶ୍ୟକ ନିର୍ଦ୍ଦେଶ ମଧ୍ୟ ଦେଇଥିଲେ।

ଏଠାରେ ସୂଚନା ଥାଉ କି ଏହି ଏକ ଦିବସୀୟ ଗସ୍ତ ସମୟରେ ମନ୍ତ୍ରୀ ଶ୍ରୀ ପୂଜାରୀ ସଦର ବ୍ଲକସ୍ଥିତ ବର୍ଦ୍ଧନପୁର ଗ୍ରାମ ପଂଚାୟତର ନୂତନ କାର୍ଯ୍ୟାଳୟର ଶୁଭ ଉଦ୍ଘାଟନ ମଧ୍ୟ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.