ସଚିବ ଗୁହା ପୁନମ ତାପସ କୁମାରଙ୍କ ସୁବର୍ଣ୍ଣପୁର ଜିଲ୍ଲା ଗସ୍ତ

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ରାଜ୍ୟ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ଏବଂ ଅବକାରୀ ବିଭାଗ ଆୟୁକ୍ତ ତଥା ଜିଲ୍ଲା ନୋଡାଲ ସଚିବ ଗୁହା ପୁନମ ତାପସ କୁମାର ସୁବର୍ଣପୁର ଜିଲ୍ଲା ଗସ୍ତରେ ଆସି ଜିଲ୍ଲାରେ କାର୍ଯ୍ୟକାରୀ ବିଭିନ୍ନ ଉନ୍ନୟନ ତଥା ଲୋକାଭିମୁଖୀ ଯୋଜନା ଗୁଡିକର ସଫଳ କାର୍ଯ୍ୟକାରିତାର କ୍ଷେତ୍ର ପରିଦର୍ଶନ କରିଛନ୍ତି। ସେ ଗସ୍ତ ଅବସରରେ ସୋନପୁର ପୌର ପରିଷଦ ଅନ୍ତର୍ଗତ ସୁରେଶ୍ୱରୀ ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିଦର୍ଶନ କରି ଛାତ୍ରଛାତ୍ରୀଙ୍କ ସହ ଶିକ୍ଷା ଓ ଶିକ୍ଷା ଦାନ ସମ୍ପର୍କରେ ପଚାରି ବୁଝିଥିଲେ। ପରେ ପିଏମ ଶ୍ରୀ ସ୍କୁଲ ଯୋଜନା ଅନ୍ତର୍ଗତ ମହାରାଜା ଉଚ୍ଚ ବିଦ୍ୟାଳୟରେ ପହଞ୍ଚି ସ୍କୁଲର ଶୈକ୍ଷିକ ବାତାବରଣ, ସ୍କୁଲର ଖେଳ ପଡିଆ ତଥା ଶିକ୍ଷାଦାନ ଉପରେ ପଚାରି ବୁଝିବା ସହ ଛାତ୍ରଛାତ୍ରୀଙ୍କ ସହ ବାର୍ତ୍ତାଳାପ କରିଥିଲେ ଏବଂ ସ୍କୁଲ ଛାତ୍ରଙ୍କ ସହ ଏକାଠି ବସି ମଧ୍ୟାହ୍ନ ଭୋଜନ କରିଥିଲେ। ତତ୍ପରେ ଜିଲ୍ଲାର କଳାପଥର ଠାରେ ସ୍ଥିତ ପାନୀୟ ନିଗମ ଲିଃ ଡିପୋ ପରିଦର୍ଶନ କରି ସମସ୍ତ ଷ୍ଟକ ଯାଞ୍ଚ କରିଥିଲେ। ରୁଗୁଡ଼ିପାଲି ଅଙ୍ଗନୱାଡି କେନ୍ଦ୍ର ଠାରେ ସ୍ୱୟଂ ସହାୟକ ସଦସ୍ୟା, ସୁଭଦ୍ରା ହିତାଧିକାରୀ ତଥା ପ୍ରଧାନମନ୍ତ୍ରୀ ପୋଷଣ ହିତାଧିକାରୀ ଙ୍କ ସହ ଭାବବିନିମୟ କରିଥିବା ବେଳେ ଶିଶୁଙ୍କ ସହ ଭାବ ବିନିମୟ କରିଥିଲେ। ଏହି ଅବସରରେ ଶିଶୁ ବଟିକା ଯୋଜନା, ଅଙ୍ଗନବାଡି ଶିଶୁଙ୍କ ଆଧାର କାର୍ଡ ସଂଯୋଗୀକରଣ, ପିଲାଙ୍କ ସ୍ୱାସ୍ଥ୍ୟ ଯାଞ୍ଚ ପ୍ରଭୁତି ଉପରେ ସମ୍ପୃକ୍ତ କେନ୍ଦ୍ରର କର୍ମଚାରୀଙ୍କୁ ପଚାରି ବୁଝିଥିଲେ। ସାଗରପାଲି ଠାରେ ବୁଣାକାର ସୁବିଧା କେନ୍ଦ୍ର ପରିଦର୍ଶନ କରି ଉତ୍ପାଦ ଗୋଷ୍ଠୀଙ୍କ ସହ ହସ୍ତତନ୍ତ ଉପରେ ଭାବ ବିନିମୟ କରି ସ୍ଥାନୀୟ, ସୋନପୁରୀ, ସମ୍ବଲପୁରୀ, ପାଟଶାଢ଼ୀ, ପାଟବସ୍ତ୍ରର ଉତ୍ପାଦ ଓ ବଜାରୀକରଣ ଉପରେ ଆଲୋଚନା କରିଥିଲ। ଅପରାହ୍ନରେ ଜିଲ୍ଲା ନୋଡାଲ ସଚିବ ସ୍ଥାନିୟ ସର୍କିଟ ହାଉସ ଠାରେ ବିଭିନ୍ନ ବିଭାଗୀୟ କାର୍ଯ୍ୟକ୍ରମର ସମୀକ୍ଷା କରିଥିଲେ। ସେ ଜିଲ୍ଲାର ବିଭିନ୍ନ ଯୋଜନା ର କାର୍ଯ୍ୟକାରିତା ଉପରେ ଖୁସିବ୍ୟକ୍ତ କରିଥିବାବେଳେ ସମସ୍ତ ବିଭାଗ ସେମାନେ ନିଜନିଜ ବିଭାଗୀୟ କାର୍ଯ୍ୟରେ ଉଚ୍ଚକୋଟୀର କାର୍ଯ୍ୟ ସମ୍ପାଦନ କରିବାକୁ ପରାମର୍ଶ ଦେଇଛନ୍ତି। ସେ ଏହି ଅବସରରେ ଜିଲ୍ଲାସ୍ତରରେ କୌଣସି ବିଭାଗୀୟ ଉନ୍ନୟନ କାର୍ଯ୍ୟ ପ୍ରକଳ୍ପକୁ ସହମତି ଭିତ୍ତିରେ ସମ୍ପାଦନ କରିବାକୁ କହିଥିଲେ। ସେ ବିଭିନ୍ନ ପ୍ରକଳ୍ପର କାର୍ଯ୍ୟକାରିତାର ସୁବିଧା ଅସୁବିଧା ଉପରେ ସମ୍ପୃକ୍ତ ଅଧିକାରୀଙ୍କୁ ପଚାରି ବୁଝିଥିଲେ। ଅନୁଷ୍ଠିତ ବୈଠକରେ ଜିଲ୍ଲାପାଳ ସୁବର୍ଣ୍ଣପୁର ଅନ୍ୟା ଦାସ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ଅଶ୍ୱିନୀ ମେହେର ସମେତ ଜିଲ୍ଲା ସ୍ତରୀୟ ଅଧିକାରୀ ଉପସ୍ଥିତ ରହି ନିଜନିଜ ବିଭାଗୀୟ ତଥ୍ୟ ପ୍ରଦାନ କରିଥିଲେ। ଜିଲ୍ଲା ନୋଡାଲ ଅଧିକାରୀଙ୍କ ଜିଲ୍ଲା ଗସ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ, ଉପ ନିର୍ଦେଶକ ପ୍ଲାନିଂ ରୋଶନ ଗିଦ୍ଧି, ଜିଲ୍ଲା ଶିକ୍ଷା ଅଧିକାରୀ, ତଥା ସମ୍ପୃକ୍ତ ଅଧିକାରୀ ଉପସ୍ଥିତ ରହିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.