ଶାନ୍ତିକାନନ ଠାରେ ବିଷୁବ ମିଳନ ଓ କବିତା ପାଠୋତ୍ସବ

କବି ରଂଜନ ବାଗ୍ ‘ଆଜିର କବି’ ଭାବେ ହେଲେ ସମ୍ମାନିତ

ଓଡ଼ିଆ ବାର୍ତ୍ତା/ ବାଲେଶ୍ଵର (କୃଷ୍ଣ କୁମାର ମହାନ୍ତି): ଫକୀରମୋହନ ସାହିତ୍ୟ ପରିଷଦ ପକ୍ଷରୁ ପବିତ୍ର ପଣା ସଂକ୍ରାନ୍ତିରେ କବିତୀର୍ଥ ଶାନ୍ତିକାନନ ଠାରେ ବିଷୁବ ମିଳନ ଓ କବିତା ପାଠୋତ୍ସବ ଆୟୋଜନ କରାଯାଇଥିଲା।

ପରିଷଦର ସଭାପତି ଡକ୍ଟର ସୁବାସ ଚନ୍ଦ୍ର ପାତ୍ରଙ୍କ ପୌରୋହିତରେ ଅନୁଷ୍ଠିତ ଏହି ଆସରରେ ସାହିତ୍ୟ ସମାଲୋଚକ ହିମାଂଶୁ ଶେଖର ପରିଡ଼ା ମୁଖ୍ଯ ଅତିଥି ରୂପେ ଯୋଗ ଦେଇ ଆଧୁନିକ ଓଡ଼ିଆ କବିତାର ବୈଶିଷ୍ଟ୍ୟ ଓ ତ୍ରୁଟି ସମ୍ବନ୍ଧରେ ନିଜର ବିଚାର ରଖିବା କ୍ରମରେ ଆଧୁନିକତା କିପରି ଯୁଗ-ନିର୍ଦ୍ଦିଷ୍ଟ ନ ହୋଇ ବରଂ ସବୁ ଯୁଗରେ ସାହିତ୍ୟରେ ପ୍ରତିଫଳିତ ହୋଇ ଆସିଛି ତା’ର ଉଦାହର ରଖିଥିଲେ।ପରେ ପରେ କବି ଦୀପକ ବୋଷ ଓ ଜ୍ୟୋତ୍ସ୍ନା ରାୟ ମହାପାତ୍ରଙ୍କ ସଂଯୋଜନାରେ କବିତା ପାଠ ଉତ୍ସବ ଆୟୋଜିତ ହୋଇଥିଲା ଏବଂ ଏଥିରେ ୩୦ ଜଣ କବି ସ୍ୱରଚିତ କବିତା ପାଠ କରିଥିଲେ।

ସୁଶ୍ରୀ ଅରୁଣା ରାୟ, ଡକ୍ଟର ହରିଶ୍ଚନ୍ଦ୍ର ବେହେରା ଓ ଡକ୍ଟର ଲକ୍ଷ୍ମୀକାନ୍ତ ତ୍ରିପାଠୀ ବିଚାରକ ଭାବେ ଦାୟିତ୍ଵ ନିର୍ବାହ କରିଥିଲେ। ବିଚାରକଙ୍କ ମୂଲ୍ୟାୟନ କ୍ରମେ ପ୍ରଥମ ଦଶ ଜଣଙ୍କ ମଧ୍ୟରେ ପ୍ରଥମ ସ୍ଥାନ ଅଧୂକାର କରିଥିବା କବି ରଂଜନ ବାଗ୍‌ଙ୍କୁ ‘ଆଜିର କବି’ ଭାବେ ମୁକୁଟ ପିନ୍ଧାଇ ସମ୍ବର୍ଦ୍ଧିତ କରାଯାଇଥିଲା। ଅନ୍ୟ ନଅ ଜଣ ସମ୍ମାନିତ କବିମାନେ ହେଲେ କମଳିନୀ କାସ୍ତ, ଜୁମର ନାଥ ପାତ୍ର, ମହେନ୍ଦ୍ର ପାଣିଗ୍ରାହୀ, ଜୟନ୍ତ ହଂସରାଜ, ସମର ବଲ୍ଲଭ ଭୋଇ, ସଂଗୀତା ବାରିକ, ରତ୍ନାକର ସିଂହ, କଲ୍ୟାଣୀ ନନ୍ଦ ଓ ଜ୍ୟୋତ୍ସ୍ନା ରାୟ।

ପ୍ରାରମ୍ଭରେ ଯୁଗ୍ମ ସଂପାଦକ ରାଜେଶ ଗିରି ଅତିଥୁମାନଙ୍କୁ ମଞ୍ଚ ଆବାହନ କରିଥିଲେ। ଡକ୍ଟର ଶିରୀଶ ଚନ୍ଦ୍ର ଜେନା ଅତିଥ୍ ପରିଚୟ ପ୍ରଦାନ କରିଥିବା ବେଳେ ସଂପାଦକ ଡକ୍ଟର ରତ୍ନାକର ସିଂହ ପ୍ରାକ୍‌ ବକ୍ତବ୍ୟ ରଖିଥିଲେ। କୋଷାଧ୍ୟକ୍ଷ ତପନ ରାୟ ଉତ୍ସବ ପରିଚାଳନାରେ ସହଯୋଗ କରିଥିଲେ ।

ଶେଷରେ ପରିଷଦର ସଦସ୍ୟ ତଥା ଅତିଥୁମାନଙ୍କୁ ପଣା ବିତରଣ କରି ଆପ୍ୟାୟିତ କରାଯାଇଥିଲା। ଅନ୍ୟତମ ଯୁଗ୍ମ ସଂପାଦକ କଲ୍ୟାଣୀ ନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.