ପିଡିଏ ଆଗରେ ହାର ମାନିଲା ଧର୍ମୀୟ ଧୃବିକରଣ -ଶିବ ହାତୀ ଯାଦବ, ରାଜ୍ୟ ସଭାପତି ସମାଜବାଦୀ ପାର୍ଟି

ଓଡିଆ ବାର୍ତ୍ତା/ ଭୁବନେଶ୍ୱର: ବିରୋଧି ଦଳଙ୍କର ଜାତି ଜନଗଣନା ଭଳି ଏକ ଗୁରୁତ୍ୱପୂର୍ଣ୍ଣ ରାଜନୈତିକ ମୁଦ୍ଦlକୁ ନିଜ ହାତକୁ ନେଇଯିବା ଲାଗି ବିଜେପି ନେତୃତ୍ବାଧୀନ କେନ୍ଦ୍ର ସରକାର ଆଗାମି ଜନଗଣନାରେ ଜାତି ଗଣନାକୁ ସାମିଲ କରିବାକୁ ନିଶ୍ଚିତ କରିବା ବିଭିନ୍ନ ରାଜନୈତିକ ମହଲରେ ହଟ୍ଟଚମଟ ସୃଷ୍ଟି କରିଛି । ସରକାର ଏବେକାର ଅସ୍ଥିର ଅବସ୍ଥାରେ ଏପରି ନିଷ୍ପତ୍ତି ନେବା ଅନେକଙ୍କୁ ଚକିତ କରିଛି । ଯେହେତୁ ଏବେ ଜାମ୍ମୁ-କାଶ୍ମୀରର ପହଲଗାମ ଠାରେ ଉଗ୍ରବାଦୀ ଆକ୍ରମଣ ପରେ ତା’ ପଛରେ ଥିବା ପାକିସ୍ତାନ ବିରୋଧରେ ଭାରତ କଡ଼ା କାର୍ଯ୍ୟାନୁଷ୍ଠାନର ପ୍ରସ୍ତୁତି ଚଳାଇଛି l ସେହି ସମୟରେ ଜାତି ଗଣନା ଭଳି ଏକ ଗୁରୁତ୍ବପୂର୍ଣ୍ଣ ରାଜନୈତିକ ଘୋଷଣା ଦେଶର ଚିତ୍ରପଟ୍ଟ ପାଇଁ ଏକ ବିସ୍ମୟ ଭାବେ ଆସିଛି।

Omkar Vasthu
Omkar Vasthu

ଏଥିରେ ସୂଚୀତ ହୋଇଛି ଯେ, ଜାତୀୟ ସୁରକ୍ଷା ବିଜେପିର ପ୍ରଧାନ ସ୍ଲୋଗାନ ହୋଇଥିଲେ ହେଁ ତା ମଧ୍ୟରେ ଭୋଟ ବ୍ୟାଙ୍କ ଅଗ୍ରାଧିକାରକୁ ଦଳ ଭୂଲିବାର ନାହିଁ । ଏବେକାର ଘୋଷଣାର ମୂଳ ଲକ୍ଷ୍ୟ ହେଲା ଏ ବର୍ଷ ଶେଷ ଆଡ଼କୁ ହେବାକୁ ଥିବା ବିହାର ବିଧାନସଭା ନିର୍ବାଚନକୁ ବିଜେପି ନେତୃତ୍ବାଧୀନ ଏନଡିଏ ଜିଣିବାକୁ ଚାହୁଁଛି। କାରଣ ସେଠାରେ ଜନତାଦଳ (ୟୁ)- ବିଜେପି ମେଣ୍ଟ ସରକାର କ୍ଷମତାକୁ ପୁନଃ ନିର୍ବାଚିତ ହେବା ଦରକାର। ବିଜେପିର ଜାତି ଗଣନା ନିଷ୍ପତ୍ତିର ଏକ ବୃହତର ଲକ୍ଷ୍ୟ ହେଲା ସମଗ୍ର ଦେଶରେ ଜାତି ପ୍ରସଙ୍ଗରେ କଂଗ୍ରେସ ‘ସମାଜବାଦୀ ପାର୍ଟି ଓ ଅନ୍ୟ ପ୍ରତିବୃର୍ତ୍ତୀ ଦଳଗୁଡ଼ିକୁ ପଛରେ ପକାଇଦେବା । ୨୦୨୪ ଲୋକସଭା ନିର୍ବାଚନରେ ଉତ୍ତର ପ୍ରଦେଶ ରାଜନୀତିରେ ଅଖିଳେଶ ଯାଦବଙ୍କ ପିଡିଏ ସମୀକରଣ ମୋଦି ସରକାରଙ୍କୁ ସ୍ପଷ୍ଟ ବହୁମତରେ ଶକ୍ତ ଧକ୍କା ଦେବା ପରେ କ୍ଷମତା ମୋହରେ ଏଭଳି ନିଷ୍ପତି ହୋଇଥାଇ ପାରେ ବୋଲି ରାଜନୈତିକ ବିଶେଷଜ୍ଞ ମତ ରଖିଛନ୍ତି I

Pearl dental clinic
Near Ashish Medical Store, Bhawanipatna

ପ୍ରତି ୧୦ ବର୍ଷରେ ହେବାକୁ ଥିବା ଜନଗଣନା କରୋନା ଯୋଗୁଁ ଅଟକି ଯାଇଥିବାବେଳେ ଓ ପରେ ଏହାକୁ ବିଳମ୍ବିତ କରାଯାଇଥିବା ଯୋଗୁଁ ନରେନ୍ଦ୍ର ମୋଦି ସରକାର ସମାଲୋଚନାର ସମ୍ମୁଖୀନ ହେଉଥିବା ସମୟରେ ପରବର୍ତ୍ତୀ ଜନଗଣନାରେ ଜାତି ଗଣନାକୁ ଯୋଡ଼ାଯିବ ବୋଲି କେନ୍ଦ୍ର ନିଷ୍ପରି ବିଜେପିର ଏକ ନିର୍ବାଚନୀ ଚାଲ I

Udyog Nursery
Udyogi Nursery

ବିରୋଧୀଦଳ ନେତା ରାହୁଲ ଗାନ୍ଧୀ ଏବଂ ଅଖିଳେଶ ଯାଦବ ଜାତିଗଣନା ପ୍ରସଙ୍ଗକୁ ଅଧିକ ଗୁରୁତ୍ବ ଦେଇ ଆସିଥିବାରୁ ତାହା ନିଶ୍ଚିତ ଭାବେ ବିଜେପିକୁ ପ୍ରଭାବିତ କରିଛି। କାରଣ ଅଖିଳେଶ ଯାଦବ ଜାତି ଗଣନା ଉପରେ ନିର୍ବାଚନ ବିତର୍କକୁ ଦକ୍ଷତାର ସହ ଆଗେଇ ନେଇ ପିଡିଏ ନାରା ଦେଇଥିଲେ ଯାହାକୁ ୯୦ ପ୍ରତିଶତ ପିଡିଏ ସମ୍ପ୍ରଦାୟଙ୍କ ସମର୍ଥନ ମିଳିଥିଲା । ବିଜେପି ରାଜନୈତିକ କ୍ଷେତ୍ରରେ ଏଯାଏଁ ହିନ୍ଦୁ ବନାମ ସଂଖ୍ୟାଲଘୁ ଅର୍ଥାତ ମୁସଲମାନ ପ୍ରସଙ୍ଗକୁ ବ୍ୟବହାର କରିଆସିଛି। ଜାତି ଗଣନା ହେଲେ ପ୍ରଭାବଶାଳୀ ପଛୁଆ ଜାତିମାନେ ନିଜର ସଂଖ୍ୟା ଅନୁପାତରେ ସଂରକ୍ଷଣ ଦାବି କରିବେ ଯାହା ଭାଜପା ପାଇଁ ମୁଣ୍ଡ ବ୍ୟଥାର କାରଣ ହୋଇପାରେ ।

ଜାତି ଗଣନା ପରେ ଦେଶରେ ସ୍ଥାନ ସଂରକ୍ଷଣ ପାଇଁ ରହିଥ‌ିବା ୫୦ ପ୍ରତିଶତ ସର୍ବୋଚ୍ଚ ସୀମା ରହିବ ନା ବଦଳିବ ତାହା ବିଚାରକୁ ଆସିବ। ଏବେ ସରକାରଙ୍କ ପାଖରେ ଦାୟିତ୍ଵ ହେଲା ତୁରନ୍ତ ବିଳମ୍ବିତ ଜନଗଣନାକୁ ଆରମ୍ଭ କରିବା। ବିଜେପି ଓ ଏହାର ଆଦର୍ଶଗତ ଦିଗଦର୍ଶକ ଆରଏସଏସ ସବୁବେଳେ ଜାତି ସର୍ଭେ ବିଚାରକୁ ନାପସନ୍ଦ କରିଆସିଥିଲେ । ବିଜେପି ଆଶଙ୍କା କରୁଥିଲା ଯେ ଏହା ହେଲେ ଟାଣୁଆ ଜାତି ଗୋଷ୍ଠୀଗୁଡ଼ିକ ଯୋଗୁଁ, ବୃହତର ହିନ୍ଦୁ ପରିଚୟ ନ୍ୟୁନ ହୋଇଯାଇପାରେ ଯାହା ଦଳର ପ୍ରଧାନ ଭୋଟ ବ୍ୟାଙ୍କ ପ୍ରସଙ୍ଗ ହୋଇ ରହିଆସିଛି ।

ବିଜେପି ଧର୍ମୀୟ ଧୃବୀକରଣର ଶକ୍ତି ଉପରେ ଏତେ ଭରସା କରୁଥୁଲା ଯେ ବିରୋଧୀଦଳ ମାନଙ୍କ ଜାତି ଗଣନା ଦିଗକୁ ଗୁରୁତ୍ବ ଦେଲାନାହିଁ । କିନ୍ତୁ ୨୦୨୪ ଲୋକସଭା ନିର୍ବାଚନରେ ଉତ୍ତର ପ୍ରଦେଶର ରାଜନୀତି ବିଜେପିର ଆଖି ଖୋଲିଦେଲା । ଅଖିଳେଶ ଯାଦବଙ୍କ ରଣନୀତି ଯୋଗୁ ଦଳ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଜେଡିୟୁ ଓ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କ ତେଲୁଗୁଦେଶମ ପାର୍ଟି ସହାୟତାରେ କେନ୍ଦ୍ରରେ ସରକାର ଗଢ଼ିବାକୁ ପଡ଼ିଲା।

ଆଉ ଏକ ବଡ଼ କାରଣ ହେଲା ବି.ଆର ଆମ୍ବେଦକରଙ୍କର ଉତ୍ତରାଧିକାରୀତ୍ବ ନେଇ ବଳ କଷାକଷି । ଦେଶରେ ସାମାଜିକ ନ୍ୟାୟ ରାଜନୀତି ଏଡ଼େ ବଡ଼ ପ୍ରସଙ୍ଗ ଯେ ତା ପ୍ରତି କୌଣସି ଦଳ ଅଧାପନ୍ତରିଆ ଆଭିମୁଖ୍ୟ ନେଇପାରିବେ ନାହିଁ । ଓଡ଼ିଶାରେ ଦୀର୍ଘ ପ୍ରାୟ ଅଢ଼େଇ ଦଶନ୍ଧି ଧରି କ୍ଷମତାରେ ଥିବା ବିଜେଡ଼ି ମଧ୍ଯ ଶାସନର ଶେଷ ବେଳକୁ ସାମାଜିକ ନ୍ୟାର୍ଯର ଜାତି ପ୍ରସଙ୍ଗକୁ ଗ୍ରହଣ କଲା । ଦେଶରେ ବିଜେପି ଏକ ସମୟରେ ମଣ୍ଡଳ ସପକ୍ଷବାଦୀଙ୍କ ବିରୋଧରେ ରାମମନ୍ଦିର ଆନ୍ଦୋଳନ ଜରିଆରେ ହିନ୍ଦୁ ପ୍ରସଙ୍ଗକୁ ପ୍ରୋଫାଇଲ କରି ଲାଭବାନ ହୋଇଥୁଲା ସତ କିନ୍ତୁ ପରିବର୍ତିତ ସମୟରେ ସାମାଜିକ ନ୍ୟାର୍ଯର ବିତର୍କକୁ ଗୁରୁତ୍ବ ଦେଇଛି ।

ଦେଶ ବ୍ୟାପୀ ଜାତି ଜନଗଣନା ସ୍ବାଧୀନ ଭାରତରେ ଏବେ ପ୍ରଥମଥର ଲାଗି ହେବାକୁ ଯାଉଥିବାରୁ ଏହାର ଗୁରୁତ୍ବ ନିଶ୍ଚିତ ଭାବେ ଖୁବ ବଡ଼ ହେବ । ଏହାଦ୍ୱାରା ନୀତି ନିର୍ଦ୍ଧାରଣକାରୀମାନେ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ସ୍ବତନ୍ତ୍ର ଆବଶ୍ୟକତାକୁ ଦେଖି କଲ୍ୟାଣମୂଳକ ଯୋଜନା ସବୁ ପ୍ରସ୍ତୁତ କରିବେ ଆଗରୁ ଯେଭଳି ସମସ୍ତଙ୍କ ପାଇଁ ଗୋଟିଏ କୌଶଳ ଗ୍ରହଣ କରାଯାଇଥୁଲା ତାହା ଆଉ ରହିବ ନାହିଁ । କିନ୍ତୁ ସବୁ ଜାତିଗତ ତଥ୍ୟ ସଂଗ୍ରହରେ ସ୍ୱଚ୍ଛତା ରହିବା ଦରକାର। ସେ ସହ ତାର ଫଳପ୍ରଦ ବ୍ୟବହାର କରାଗଲେ ସାମାଜିକ ଅସମାନତା ଦୂରୀକରଣରେ ତାହା ସହାୟକ ହେବ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.