ରାଜଧାନୀରେ ବାଲେଶ୍ଵର ଜିଲ୍ଲା ସ୍ବାର୍ଥ ପାଇଁ ଲଢ଼ିବ ‘ଏକ‌ତ୍ର ବାଲେଶ୍ୱର’ ସଂଗଠନ: ଆଗାମୀ ଦିନରେ ଅନୁଷ୍ଠିତ ହେବ ବାଲେଶୋରିଆଙ୍କ ମିଳନ ମେଳା

ଓଡିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ରାଜଧାନୀ ଭୁବନେଶ୍ଵରରେ ରହୁଥିବା ବାଲେଶୋରିଆଙ୍କୁ ନେଇ ଗଠିତ ସଂଗଠନ ‘ଏକତ୍ର ବାଲେଶ୍ଵର’ ଆଗାମୀ ଦିନରେ ବାଲେଶ୍ଵର ଜିଲ୍ଲାରେ ସରକାରୀ ଇଞ୍ଜିନିୟରିଂ କଲେଜ ଓ ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଫାର୍ମାସ୍ୟୁଟିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ନାଇପର୍) ପ୍ରତିଷ୍ଠା ନେଇ ଦାବି କରିବ ବୋଲି କୁହାଯାଇଛି। ଉତ୍ତର ଓଡ଼ିଶାରେ ଗୋଟିଏ ବି ସରକାରୀ ଇଞ୍ଜିନିୟରିଂ କଲେଜ ନଥିବା ବେଳେ ବାଲେଶ୍ଵର, ଦୁଇଟି ଜିଲ୍ଲା ମୟୂରଭଞ୍ଜ ଓ ଭଦ୍ରକର ମଧ୍ୟସ୍ଥଳୀ ହୋଇଥିବାରୁ
ସେଠାରେ ଏକ ସରକାରୀ ଇଞ୍ଜିନିୟରିଂ କଲେଜ ପ୍ରତିଷ୍ଠା ହେବାର ଆବଶ୍ୟକତା ରହିଛି। ବ୍ରହ୍ମପୁରରେ ଆଇଜର୍, ଜଟଣୀରେ ନାଇଜର୍, ରାଉରକେଲାରେ ଏନଆଇଟି ଓ ସମ୍ବଲପୁରରେ ଆଇଆଇଏମ୍ ଓ କୋରାପୁଟରେ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ହୋଇଛି। ମାତ୍ର ବାଲେଶ୍ଵରରେ କୌଣସି ବଡ଼ କେନ୍ଦ୍ରୀୟ ଶିକ୍ଷାନୁଷ୍ଠାନ ନାହିଁ। ତେଣୁ ନାଇପର୍‌ ବାଲେଶ୍ବରରେ ପ୍ରତିଷ୍ଠା ହେବା ସହିତ ଦୀର୍ଘ ଦିନ ଧରି ଦାବି ହେଉଥିବା ଦ୍ଵିତୀୟ କୃଷି ବିଶ୍ଵବିଦ୍ୟାଳୟ ବାଲେଶ୍ଵର ଠାରେ ପ୍ରତିଷ୍ଠା କରାଯିବାକୁ ‘ଏକତ୍ର ବାଲେଶ୍ଵର’ ପକ୍ଷରୁ ଦାବୀ କରାଯାଇଛି। ବାଲେଶ୍ବର ଜିଲ୍ଲାର ବିଭିନ୍ନ ଦାବୀଗୁଡିକ ପାଇଁ ଆଗାମୀ ଦିନରେ ରାଜଧାନୀରେ ଲଢ଼େଇ କରିବ ବୋଲି ‘ଏକତ୍ର ବାଲେଶ୍ଵର’ ଘୋଷଣା କରିଛି। ଜନ୍ମମାଟିର ଉନ୍ନତି ପାଇଁ ସଂଗ୍ରାମ ଜାରି ରଖିବାକୁ ଏହି ସଂଗଠନ ଆଗାମୀ ଦିନରେ ଏକ ମିଳନ ମେଳା କରିବ ବୋଲି ‘ଏକତ୍ର ବାଲେଶ୍ଵର’ର ଆବାହକ ତଥା ରୋଟାରିଆନ୍ ସରୋଜ କୁମାର ଦାଶ କହିଛନ୍ତି।

ଶନିବାର ରାଜଧାନୀର ଏକ ହୋଟେଲରେ ‘ଏକତ୍ର ବାଲେଶ୍ଵର’ର ବୈଠକ ଅନୁଷ୍ଠିତ ହୋଇଯାଇଛି। ଶ୍ରୀ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଶୀଘ୍ର ଅନୁଷ୍ଠାନର ପରିଚାଳନା କମିଟି, ଅଭ୍ୟର୍ଥନା କମିଟି, ଅର୍ଥ କମିଟି ଓ ସାଂସ୍କୃତିକ କମିଟି ଗଠନ କରିବାକୁ ନିଷ୍ପତ୍ତି ହୋଇଥିଲା। ବୈଠକରେ ପ୍ରଫେସର ଅଦ୍ଵୈତ ପାତ୍ର, ସ୍ତମ୍ଭକାର ସୁଦର୍ଶନ ଦାସ, ବିଶିଷ୍ଟ ଅଭିନେତା ପ୍ରେମାଞ୍ଜନ ପରିଡ଼ା, ଶିଳ୍ପୀ କେଶୁ ଦାସ, ପଞ୍ଚାନନ ସାମଲ, ଶିକ୍ଷାବିତ୍ ଡକ୍ଟର ବିନୋଦିନୀ ପାତ୍ର, ନିରଞ୍ଜନ ଚନ୍ଦ୍ର ପଣ୍ଡା, ଗୌରୀଶଙ୍କର ପଣ୍ଡା, ବିଶ୍ଵନାଥ ମହାନ୍ତି, ବରିଷ୍ଠ ସାମ୍ବାଦିକ ରାମଜୀବନ ଗୋଚ୍ଛାୟତ, ଭାସ୍କର୍ଯ୍ୟ ଶିଳ୍ପୀ ଜୟନ୍ତ କୁମାର ଦାସ, ବିରୋଜ କୁମାର ରାଉତ, ସ୍ନିଗ୍ଧା ବେହେରା, ସ୍ୱାତୀ ବିଶ୍ଵାଳ, ମେଘାଦୀପ୍ତି ମହାପାତ୍ର, ପ୍ରଭଞ୍ଜନ ମହାନ୍ତି, ସଚି ମାଝି, ତୁଷାର ଶତପଥୀ ପ୍ରମୁଖ ଯୋଗ ଦେଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.