ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ବ୍ଳକ ଟେମରା ବଜାର ପଡିଆଠାରେ ରବିବାର ଗୁଡହାଣ୍ଡି ଡୋକରୀ ଚଞ୍ଚରା ସୁରକ୍ଷା ମଞ୍ଚର ଆବାହକ ରାଜେନ୍ଦ୍ର ନାଏକଙ୍କ ଆବାହକତ୍ୱରେ ଏକ ବୈଠକ ଅନୁଷ୍ଠିତ ହୋଇଛି l ଟେମରା ସରପଞ୍ଚ କ୍ଷିତୀରାମ ପାତ୍ର ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ବୈଠକ ରେ ଚଳିତ ବର୍ଷ ରାମନବମୀ ପୂର୍ବରୁ ଯେଉଁ ବିବାଦ ଦେଖାଯାଇଥିଲା ତାହା ନହେବା କଥା, ଏହି ପର୍ଯ୍ୟଟନସ୍ଥଳୀ ରେ ବାର ମାସରେ ତେର ପର୍ବ ପାଳନ ହୋଇ ଆସୁଛି, ତେଣୁ ସମସ୍ତ ପର୍ବପର୍ବାଣୀ ଶାନ୍ତି ଶୃଙ୍ଖଳା ସହିତ ପାଳିତ ହେଉ। ଏଭଲି ବାଦ୍ ବିବାଦ ନ ହୋଇ ଆମେ ସମସ୍ତେ ମିଳିମିଶି ଡୋକରୀ ଚଞ୍ଚରାର ବିକାଶ ଦିଗରେ ଆଗେଇ ଆସିବା ବୋଲି ମତବ୍ୟକ୍ତ କରିଥିଲେ। ଅନ୍ୟପଟେ ବ୍ଳକର ବିଭିନ୍ନ ଅଞ୍ଚଳରୁ ବୈଠକକୁ ଆସିଥିବା ବରିଷ୍ଠ ନାଗରିକ ଓ ବିଭିନ୍ନ ବ୍ୟକ୍ତି ବିଶେଷ ପର୍ଯ୍ୟଟନସ୍ଥଳୀ ଗୁଡହାଣ୍ଡି ଡୋକରୀ ଚଞ୍ଚରାର ପ୍ରଗତି ଓ ଉନ୍ନତି ଉପରେ ସୁଚିନ୍ତିତ ମତାମତ ରଖିବା ସହ ଏହି ପର୍ଯ୍ୟଟନସ୍ଥଳୀ କୈାଣସି ଏକ ନିର୍ଦ୍ଦିଷ୍ଟ ଅଞ୍ଚଳର ନୁହେଁ, ଏହା କୋକସରା ବ୍ଲକ, କଳାହାଣ୍ଡି ଜିଲ୍ଲା ସମେତ ସମଗ୍ର ଓଡ଼ିଶାର ପର୍ଯ୍ୟଟନସ୍ଥଳୀ ଭାବେ ପରିଗଣିତ ହୋଇଛି। ତେଣୁ ନିର୍ଦ୍ଧିଷ୍ଟ ଅଞ୍ଚଳରେ ସିମିତ ରଖିବାର କଥା ନୁହେଁ। ଆଗମୀ ଦିନରେ ସମସ୍ତ ଅଞ୍ଚଳର ଲୋକଙ୍କୁ ନେଇ ଡୋକରୀ ଚଞ୍ଚରା ଉନ୍ନୟନ ସମିତି ଗଠନ କରାଯାଉ, ଏଥିପ୍ରତି ପ୍ରଶାସନ ମଧ୍ୟ ସ୍ବତନ୍ତ୍ର ଦୃଷ୍ଟି ଦେଉ ବୋଲି ବୈଠକରେ ମତ ପ୍ରକାଶ ପାଇଛି। ବିଭିନ୍ନ ଆଲୋଚନା ପରେ ଅବସରପ୍ରାପ୍ତ ଶିକ୍ଷକ ଅଶୋକ ଦାସଙ୍କ ପ୍ରସ୍ତାବ କ୍ରମେ ଗୁଡହାଣ୍ଡି ଡୋକରୀ ଚଞ୍ଚରା ସୁରକ୍ଷା ମଞ୍ଚର ସଭାପତି ଭାବେ ରାଜେନ୍ଦ୍ର ନାଏକଙ୍କୁ ସର୍ବସମ୍ମତିକ୍ରମେ ମନୋନୀତ କରାଯାଇଥିଲା। ଏହି ବୈଠକରେ ମହିମା ସମିତି ସଭ୍ୟ ଘନଶ୍ୟାମ ନାଏକ, ଅଶୋକ ଦାସ, ସୁଧୀର କୁମାର ପାତ୍ର, ଗୋବିନ୍ଦ ଚନ୍ଦ୍ର ପଟ୍ଟଯୋଶୀ, ଭଦ୍ରେଶ୍ୱର ପାତ୍ର, ମାନସ ରଞ୍ଜନ ବାଗ, ଶ୍ୟାମସୁନ୍ଦର ନାଏକ, ତ୍ରିଭୁବନ ନାଏକ, ନିମାଇଁ ଚରଣ ଧଙ୍ଗଡାମାଝୀ, ନୀଳାମ୍ବର ନାଏକ, ଡମ୍ବରୁଧର ଖର୍ସେଲ, ଧନଞ୍ଜୟ ବେହେରା, ମଧୁବନ ପାତ୍ର, ଜିତେନ୍ଦ୍ର ମାଝୀ, ଚୌବନ ରଣା, ମହିମା ସରପଞ୍ଚ ଈଶରାମ କୋଲଥିଆ ସମେତ ବିଭିନ୍ନ ପଞ୍ଚାୟତରୁ ଶତାଧିକ ଲୋକେ ଯୋଗଦେଇ ଥିଲେ।





