‘ଓଡ଼ିଆ ଭାଷା ବିକାଶ ଆନ୍ଦୋଳନ’ ପକ୍ଷରୁ ଭାଷାପକ୍ଷ ପାଳନର ଦଶମ ଦିବସ ଅବସରରେ ‘ଓଡ଼ିଆ ଭାଷାର ସମୃଦ୍ଧିରେ ରାଧାକୃଷ୍ଣ’ ଶୀର୍ଷକ ଆଲୋଚନାଚକ୍ର

ଓଡିଆ ବାର୍ତ୍ତା/ ବାଲେଶ୍ଵର (କୃଷ୍ଣ କୁମାର ମହାନ୍ତି): ‘ଓଡ଼ିଆ ଭାଷା ବିକାଶ ଆନ୍ଦୋଳନ’ ତରଫରୁ ପାଳନ କରାଯାଉଥିବା ଭାଷାପକ୍ଷର ଦଶମ ଦିବସରେ ନିରଂଜନ ରାଉତଙ୍କ ପୌରୋହିତ୍ୟରେ ‘ଓଡ଼ିଆ ଭାଷାର ସମୃଦ୍ଧିରେ ରାଧାକୃଷ୍ଣ’ ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି ।ସାରଳାଦାସଙ୍କ ଠାରୁ ଆରମ୍ଭ ହୋଇଥିବା ରାଧା ଓ କୃଷ୍ଣଙ୍କ ପ୍ରେମ ସଂପର୍କକୁ ନେଇ ବିଭିନ୍ନ ଗଳ୍ପାତ୍ମକ ରଚନା କିପରି ରୀତିଯୁଗ ଓ ପଦାବଳୀ ଯୁଗ ମାଧ୍ଯମରେ ଓଡ଼ିଆ ସାହିତ୍ୟକୁ ସମୃଦ୍ଧ କରିଥିଲା ସେ ସଂପର୍କରେ ବକ୍ତାମାନେ ଆଲୋଚନା କରିଥିଲେ। ରାଧାକୃଷ୍ଣଙ୍କ ସଂପର୍କରେ ବକ୍ତବ୍ୟ ରଖିଥ‌ିବା ବରିଷ୍ଠ ସାରସ୍ଵତ ସାଧକ ଡକ୍ଟର ଭାଗବତ ବେହେରା ଦୀନକୃଷ୍ଣଙ୍କ ‘ରସକଲ୍ଲୋଳ’, ଅଭିମନ୍ୟୁ ସାମନ୍ତସିଂହାରଙ୍କ ‘ବିଧଗ୍ଧ ଚିନ୍ତାମଣି’ ଓ କବିସୂର୍ଯ୍ୟ ବଳଦେବ ରଥଙ୍କ ‘କିଶୋର ଚନ୍ଦ୍ରାନନ୍ଦ ଚମ୍ପୂ’ ତଥା ଦେବଦୁର୍ଲ୍ଲଭ ଦାସଙ୍କ ‘ରହସ୍ୟମଞ୍ଜରୀ’ ଗ୍ରନ୍ଥଗୁଡ଼ିକୁ ବିସ୍ତୃତ ଭାବରେ ଚର୍ଚ୍ଚା କରିଥିଲେ । ଅଭିମନ୍ୟୁ ସାମାନ୍ତସିଂହାରଙ୍କ ‘ବିଦଗ୍ଧ ଚିନ୍ତାମଣି’ରେ ଥ‌ିବା ଅପ୍ରାକୃତ ପ୍ରେମ ଓ ଅବ୍ୟକ୍ତ ଲୀଳାକୁ ସେ ବକ୍ତବ୍ୟର ବିଷୟବସ୍ତୁ କରି ଏହି ବାକ୍ୟ ଦୁଇଟି ସମଗ୍ର ଭାରତବର୍ଷରେ ଅନନ୍ୟ ବୋଲି ପ୍ରକାଶ କରିଥିଲେ। ପ୍ରାକୃତ ପ୍ରେମର ଉଦାହରଣ ଭାବରେ ରାମ ଓ ସୀତାଙ୍କୁ ଦର୍ଶାଇଥିବା ବେଳେ ଅପ୍ରାକୃତ ପ୍ରେମ ରାଧା ଓ କୃଷ୍ଣଙ୍କ ସଂପର୍କକୁ ପ୍ରତିବିମ୍ବିତ କରିଥାଏ ବୋଲି ସେ ବିଭିନ୍ନ ଉଦାହରଣ ମାଧ୍ଯମରେ ପ୍ରଦର୍ଶନ କରିଥିଲେ ଏବଂ ଏହି ଅପ୍ରାକୃତ ପ୍ରେମ ଜୟଦେବଙ୍କ ଠାରୁ ସୃଷ୍ଟି ହୋଇଛି ବୋଲି ସୂଚନା ଦେଇଥିଲେ। ପ୍ରସଙ୍ଗକ୍ରମେ ସେ ରମାକାନ୍ତ ରଥଙ୍କର ‘ଶ୍ରୀରାଧା’ କାବ୍ୟକୁ ମଧ୍ୟ ଆଲୋଚନାର ପରିସରକୁ ଘେନି ଆସିଥିଲେ | ସଂପାଦକ ଡ. ଲକ୍ଷ୍ମୀକାନ୍ତ ତ୍ରିପାଠୀ ପ୍ରାରମ୍ଭିକ ବକ୍ତବ୍ୟରେ ରାଧାକୃଷ୍ଣଙ୍କ ଲୀଳା ପ୍ରଚାର କରିବା ପାଇଁ ବାଉଲ ସଂପ୍ରଦାୟ କିପରି ପୃଥ‌ିବୀରେ ଖ୍ୟାତ ହୋଇଛନ୍ତି ସେ ସଂପର୍କରେ ସୂଚନା ଦେଇଥିଲେ। ଜୁମରନାଥ ପାତ୍ର ଅତିଥିମାନଙ୍କୁ ମଞ୍ଚକୁ ଆବାହନ କରିଥିବାବେଳେ ଶାନ୍ତିଲତା ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ଓ କଲ୍ୟାଣୀ ନନ୍ଦ ବନମାଳୀ ଦାସଙ୍କ ରାଧାକୃଷ୍ଣ ସଂପର୍କିତ ଏକ ଓଡ଼ିଶୀ ସଙ୍ଗୀତ ଗାନ କରିଥିଲେ । ଏହି ଅବସରରେ ପଦ୍ମଜ ସାହିତ୍ୟ ସମ୍ମାନ ଲାଭ କରିଥିବା ଗାଳ୍ପିକ ନିବାରଣ ଜେନାଙ୍କୁ ଶୁଭେଚ୍ଛା ଓ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ଶରତକୁମାର ମହାପାତ୍ର, କରୁଣାକର ସ, ପ୍ରଫୁଲ୍ଲ କୁମାର ଦାସ, ରାଜେନ୍ଦ୍ରନାଥ ରାଉତ, ପଣ୍ଡିତ ସଂଜୟ କୁମାର ପଣ୍ଡା, ପ୍ରଭାକର ସାହୁ, ହେମେନ୍ଦ୍ର ମହାପାତ୍ର, ଦୀପକ ଦାସ, ନରେନ୍ଦ୍ରନାଥ ପାଣିଗ୍ରାହୀ, ଶାନ୍ତି ବିଶି, କୃଷ୍ଣା ପ୍ରଧାନ, ଅରୁଣା ରାୟ, ଡ. କ୍ଷିତୀଶ୍ଵର ଦାଶ, ଦୀପକ ବୋଷ, ଲମ୍ବୋଦର ନାୟକ, ଲକ୍ଷ୍ମୀକାନ୍ତ ବେହେରା, ମଧୁସୂଦନ ମାଝୀ, ମହେନ୍ଦ୍ର ପ୍ରସାଦ ପାଣିଗ୍ରାହୀ, ପୀତାମ୍ବର ଦାସ, ଅବନ୍ତୀ ପ୍ରଧାନ, ନିତ୍ୟାନନ୍ଦ ରାଉତ, ସଂଗ୍ରାମ କେଶରୀ ମହାନ୍ତି, ରମାକାନ୍ତ ମହାନ୍ତି ଓ କମଳାକାନ୍ତ ଦାଶ ପ୍ରମୁଖ ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.