ମଦନପୁର ରାମପୁର ରାଜବାଟୀକୁ ଯୁବରାଣୀ ହେଇ ଆସିଥିବା ରୂପମଂଜରୀ ଦେବୀ ଏବେ ରାଜମାତା । ଜନ୍ମ ୧୯୨୨ ମସିହା ମାର୍ଚ୍ଚ ୧୬ ତାରିଖ ଦିନ ପଶ୍ଚିମବଙ୍ଗର ଗଡ଼ଜୟପୁରରାଜଠାରେ । ସଂପ୍ରତି ୯୭ବର୍ଷ ବୟସରେ ବି ସେ ନିଜ ସ୍ମୃତିପଟଳରେ ଗଚ୍ଛିତ ଅତୀତର କଥା ସବୁକୁ ମନେପକାଇ ଭାବବିହ୍ୱଳ ହୋଇଉଠନ୍ତି । ଯୁବରାଣୀରୁ ରାଜମାତା ହେବା ଯାଏଁ ତାଙ୍କ ଅନୁଭୂତି ସାଉଁଟିବାକୁ ଆମେ ଯାଇ ପହଂଚିଥିଲୁ ତାଙ୍କ ବାସଭବନରେ । ସେବିକା ଦୁଇଜଣ ତାଙ୍କୁ ସଜାଇଦେବା ପରେ ଆମ ସହ ଥିଲେ ତାଙ୍କର ଚାରି ପୁତ୍ରରୁ ତିନି ପୁତ୍ର ବୁଧେନ୍ଦ୍ର ପ୍ରତାପ ସିଂହଦେଓ, ମିହିରେନ୍ଦ୍ର ପ୍ରତାପ ସିଂହଦେଓ ଓ ସାନପୁତ୍ର ହିରେନ୍ଦ୍ର ପ୍ରତାପ ସିଂହଦେଓ । ଜ୍ୟେଷ୍ଠପୁତ୍ର ସମରେନ୍ଦ୍ର ପ୍ରତାପ ସିଂହଦେଓ ନିଜ ବାସଭବନରେ ଥିଲେ । ରାଜମାତାଙ୍କୁ ପ୍ରଣାମ କରି ଆମେ ତାଙ୍କ ସହ କିଛି କଥା ବାର୍ତ୍ତା କରିଥିଲୁ ଏବଂ ସେ ଆମ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇଥିଲେ ।
ଉପସ୍ଥାପନା: ହେମନ୍ତ ସାହୁ
ରୂପମଞ୍ଜରୀ ଦେବୀ ନିଜ ବାପା ଘର ଗଡ଼ଜୟପୁରରାଜ, ପୁରୁଲିଆ, ପଶ୍ଚିମବଙ୍ଗ (ମାନଭୂମ୍)ରୁ ତତ୍କାଳୀନ ରାଜା ଦୁର୍ଗମାଧବ ସିଂହଦେଓଙ୍କ ଜ୍ୟେଷ୍ଠପୁତ୍ର ତଥା ଯୁବରାଜ ୰ଗୌରଚନ୍ଦ୍ର ସିଂହଦେଓଙ୍କୁ ବିବାହ କରି ମ.ରାମପୁର ରାଜବାଟୀକୁ ଆସିଥିଲେ । ସେ ଜଣେ ଉଚ୍ଚଶିକ୍ଷିତା ମହିଳା । ସେ ନିଜ ମାତୃଭାଷା ବଙ୍ଗଳା, ହିନ୍ଦୀ, ଇଂରାଜୀ ଭାଷା ଜାଣିଥିବାବେଳେ ଓଡ଼ିଶାର ଯୁବରାଣୀ ହେଇଆସିବା ପରେ ଏଠାରେ ସଂପୂର୍ଣ୍ଣ ଭାବରେ ଓଡ଼ିଆ ଭାଷାକୁ ଅକ୍ତିଆର କରିପାରିଥିଲେ ।
ତାଙ୍କ ଯୁବରାଣୀ ସମୟରେ ନିଜ ଶ୍ୱଶୁର ତଥା ତକ୍ରାଳୀନ ରାଜା ୰ଦୁର୍ଗମାଧବ ସିଂହଦେଓଙ୍କ ବେଠି ଓ ବିଗାଡ଼ି ପ୍ରଥାରେ ପ୍ରଜାବାସୀଙ୍କୁ ଦିଆଯାଉଥିବା ଦଣ୍ଡକୁ ନିଜେ ଦେଖିବା ପରେ ଦିନେ ନିଜ ଶ୍ୱଶୁରଙ୍କୁ ଅନୁରୋଧ କରିଥିଲେ ଏହି ପ୍ରଥାକୁ ବନ୍ଦ କରିବାକୁ । ନିଜର ପୁତ୍ରବଧୂ ତଥା ଯୁ୍ବରାଣୀଙ୍କୁ ସମ୍ମାନ ପ୍ରଦାନ ପୂର୍ବକ ସେହି ଦିନଠାରୁ ମହାରାଜା ଏହି ଦୁଇଟି ପ୍ରଥାକୁ ବନ୍ଦ କରିଥିଲେ । ଏଭଳି କିଛି ସମ୍ବେଦନଶୀଳ ଅନୁଭୂତି ରହିଛି ରାଜମାତାଙ୍କର, ଯାହାକୁ ନେଇ ସେ ଆଶ୍ୱସ୍ତି ଲାଭ କରନ୍ତି ଏଇ ପରିଣତ ବୟସରେ ।
ତେବେ ମାତ୍ର ୪୬ ବର୍ଷ ବୟସରେ ନିଜ ପତି ୰ଗୌରଚନ୍ଦ୍ର ସିଂହଦେଓଙ୍କ ପରଲୋକ ହୁଏ ୧୯୫୯ ମସିହାରେ । ଏହି ଦାରୁଣ ପରିସ୍ଥିତିରେ ନିଜର ଛଅଟି ପୁତ୍ରକନ୍ୟାଙ୍କ ଦାୟିତ୍ୱର ଭାର ସହିତ ଜମିଦାରୀ ଭାରକୁ ନିଜ ମୁଣ୍ଡ ଉପରେ ରଖି ସମସ୍ତଙ୍କୁ ଉଚ୍ଚ ଶିକ୍ଷା ଦେଇ ସମାଜରେ ପ୍ରତିଷ୍ଠିତ କରାଇପାରିବା ତାଙ୍କର ସଫଳ ମାତୃତ୍ୱର ଅନ୍ୟଏକ ସଫଳ ଦୃଷ୍ଟାନ୍ତ । ତାଙ୍କର ଜ୍ୟେଷ୍ଠପୁତ୍ର ସମରେନ୍ଦ୍ର ପ୍ରତାପ ସିଂହଦେଓଙ୍କୁ ପରବର୍ତ୍ତୀ ଦାୟିତ୍ୱ ଅର୍ପଣ କରାଯାଇଥିଲା । ସ୍ୱର୍ଗତ ଚନ୍ଦ୍ରମଣି ସିଂହଦେଓଙ୍କ ସମୟରେ ମ.ରାମପୁରରେ ସାର୍ବଜନୀନ ଦୁର୍ଗାପୂଜା, କାଳୀପୂଜା ଓ ଅନ୍ନପୂଜା ଆରମ୍ଭ ହେଇଥିଲା । ତେବେ ତାଙ୍କ ଅକାଳ ବିୟୋଗ ପରେ ଅନ୍ନପୂଜା ବନ୍ଦ ହେଇଯାଇଥିବାବେଳେ ଏବେ ବି ଦୁର୍ଗାପୂଜା ଓ କାଳୀପୂଜା ମହାସମାରୋହରେ ପାଳିତ ହେଇଆସୁଛି ।
ରାଜମାତା ନିଜର ଅନ୍ୟଏକ ସୁନ୍ଦର ଅନୁଭୂତି ମନେପକାଇ କହନ୍ତି କି, ଯୁବରାଜଙ୍କୁ ବିବାହ କରି ଆସିବା ପରେ ମୁଖ ଦର୍ଶନର ଉପହାର ସ୍ୱରୂପ ତାଙ୍କୁ ରେଗେଡ଼ା ଓ କୁସମେଲ ଗ୍ରାମ ପ୍ରଦାନ କରିଥିଲେ । ପରବର୍ତ୍ତୀ ସମୟରେ ତାହା ସରକାରଙ୍କ ପାଖକୁ ସିଲିଂ ଆକାରରେ ଚାଲିଯାଇଥିଲେ ବି ତା’ ବାବଦକୁ କିଛି ଅର୍ଥ ମିଳିନଥିବା କଥାକୁ ଦୁଃଖର ପ୍ରକାଶ କରନ୍ତି ରାଜମାତା ।
ବୟସର ଅପରାହ୍ଣରେ ବି ରାଜମାତାଙ୍କୁ ସକାଳୁ ସକାଳୁ ଖବରକାଗଜ ଲୋଡ଼ା ହୁଏ ଏବଂ ଯୋଉଦିନ ଖବର କାଗଜ ପହଂଚିବାରେ ବିଳମ୍ବ ହୁଏ, ସେ ନିଜ ପୁତ୍ର ବୁଧେନ୍ଦ୍ର ପ୍ରତାପଙ୍କୁ ତାଗିଦ କରନ୍ତି ଖଣ୍ଡେ ଖବର କାଗଜ ଆଣିଦେବା ପାଇଁ । ଏବେ ବି ତାଙ୍କର ପଠନ ରୁଚି ସହ ସ୍ମରଣଶକ୍ତି ଆମକୁ ବିସ୍ମିତ କରିଥିଲା । ‘ଓଡ଼ିଆବାର୍ତ୍ତା.ଇନ୍’ ପକ୍ଷରୁ ରାଜମାତାଙ୍କ ଶତାୟୁ କାମନା ସହ ନିରାମୟ ଜୀବନ କାମନା କରୁଛୁ ।
ମୋ: ୯୪୩୭୬୭୯୧୩୮