ମହାସତୀ ସାବିତ୍ରୀଙ୍କ କଥା

ଜ୍ୟେଷ୍ଠ ଅମାବାସ୍ୟା ତିଥିରେ ପାଳିତହୁଏ ସାବିତ୍ରୀ ବ୍ରତ l ସ୍ୱାମୀଙ୍କ ଦୀର୍ଘ ନିରାମୟ ଜୀବନ କାମନା କରି ସଧବା ସ୍ତ୍ରୀ ଲୋକ ମାନେ ଏହି ବ୍ରତ ପାଳନ କରିଥାନ୍ତି l ଏହି ବ୍ରତ ପଛରେ ମହର୍ଷି ବ୍ୟାସକୃତ ସଂସ୍କୃତ ମହାଭାରତରେ ଏକ ଅତିସୁନ୍ଦର ବଳିଷ୍ଠ କାହାଣୀ ରହିଛି l ଏ କାହାଣୀ ମଧ୍ୟରେ ଲୁଚି ରହି ଥିବା ଦାର୍ଶନିକ ତତ୍ତ୍ୱକୁ ମହାଯୋଗୀ ଶ୍ରୀ ଅରବିନ୍ଦ ଉପସ୍ଥାପନ କରିଛନ୍ତି, ସାବିତ୍ରୀ ମହା କାବ୍ୟରେ l ଏହି ରୋଚକ କାହାଣୀ ମହାଭାରତରେ ମହର୍ଷି ଵୈସମ୍ପାୟାନ ଉବାଚରେ ବନ ପର୍ବ ସପ୍ତମ ସ୍କନ୍ଧ ୨୯୩ ରୁ ୨୯୯ ଅଧ୍ୟାୟ ମଧ୍ୟରେ ପତିବ୍ରତା ମାହାତ୍ମ୍ୟ ଭାବେ ବର୍ଣ୍ଣିତ ହୋଇଛି l ଏହା ସେହି ସମୟର କଥା ଯେତେବେଳେ ପାଣ୍ଡଵମାନେ କପଟପଶା ଖେଳରେ ପରାଜିତ ତଥା ରାଜ୍ୟହରା ହୋଇ ବନ ବାସୀ ହୋଇ ଥାନ୍ତି l ଧର୍ମରାଜ ଯୁଧିଷ୍ଠିର ମହାମୁନି ମାର୍କଣ୍ଡେୟଙ୍କୁ ପ୍ରଶ୍ନ କରିଥିଲେ କଣ ଏ ଦୁନିଆରେ ଦ୍ରୌପଦୀଙ୍କ ଭଳି ଆଉ କୌଣସି ପତିବ୍ରତା ତଥା ତ୍ୟାଗପୁତା ନାରୀ ଅଛନ୍ତି,ଯଦି ଜାଣିଥାନ୍ତି ତେବେ ମୋତେ କୁହନ୍ତୁ ? ଧର୍ମରାଜଙ୍କର ଏହି ପ୍ରଶ୍ନ ଶୁଣି ମାର୍କଣ୍ଡେୟ ମୁନି କହିଲେ ହଁ ଏଭଳି ଜଣେ ନାରୀ ଅଛନ୍ତି ତାଙ୍କ ବିଷୟରେ କହୁଛି ଧ୍ୟାନ ସହକାରେ ଶୁଣ l ସେ କଥା ଆରମ୍ଭ କଲେ :-

Omkar Vasthu
Omkar Vasthu

ପୂର୍ବେ ମହାସତୀ ସାବିତ୍ରୀ ତାଙ୍କର ପତିବ୍ରତା ଧର୍ମ ବଳରେ ଯମରାଜଙ୍କ ଠାରୁ ନିଜ ସ୍ୱାମୀଙ୍କ ଜୀବନ ଫେରାଇ ଆଣି ପାରିଥିଲେ l ସାବିତ୍ରୀ ଥିଲେ ମଦ୍ର ଦେଶର ରାଜା ଅଶ୍ୱପତିଙ୍କ କନ୍ୟା l ମଦ୍ର ନରେଶ ମାଆ ସାବିତ୍ରୀଙ୍କ କୃପାରୁ, କନ୍ୟାଟି ପାଇ ଥିବାରୁ ନାମ ରଖିଥିଲେ ସାବିତ୍ରୀ l ସେହି କନ୍ୟା ବିବାହ ଯୋଗ୍ୟା ହେବା ବେଳକୁ ମହାରାଜ ତା’ର ବିବାହ ପାଇଁ ବହୁଚିନ୍ତିତ ହୋଇପଡ଼ିଲେ l ସାବିତ୍ରୀଙ୍କୁ ସେ କହିଲେ, ତୁ ବିବାହ ଯୋଗ୍ୟା ହୋଇ ଗଲୁଣି, ଏଣୁ ନିଜ ପାଇଁ ଯୋଗ୍ୟ ବରଟିଏ ଖୋଜି ନେ, କାରଣ ଶାସ୍ତ୍ରର ମାନ୍ୟତା, କନ୍ୟା ବିବାହ ଯୋଗ୍ୟା ହୋଇ ଗଲା ପରେ ଯେଉଁ ପିତା କନ୍ୟା ବିବାହ କରାନ୍ତି ନାହିଁ ସେ ପିତା ନିନ୍ଦନୀୟ ଅଟନ୍ତି l ଋତୁକାଳରେ ଯେଉଁ ସ୍ୱାମୀ ସ୍ତ୍ରୀ ସହବାସ କରିଥାନ୍ତି ସେ ସ୍ୱାମୀ ନିନ୍ଦାର ପାତ୍ର ଅଟନ୍ତି l ସେହିଭଳି ପିତାଙ୍କ ମୃତ୍ୟୁ ପରେ ଯେଉଁ ବ୍ୟକ୍ତି ବିଧବା ମା’ର ଅନାଦାର କରି ଥାଏ, ସେହି ପୁତ୍ର ମଧ୍ୟ ନିନ୍ଦନୀୟ l ପିତାଙ୍କଠାରୁ ଏହା ଶୁଣିବା ପରେ କନ୍ୟା ସାବିତ୍ରୀ ତୁରନ୍ତ ବର ପାତ୍ର ସନ୍ଧାନରେ ବାହାରି ପଡିଲେ l ମଦ୍ର ନରେଶ ସବାରୀରେ ସାବିତ୍ରୀଙ୍କୁ ତାଙ୍କ ବୃଦ୍ଧ ମନ୍ତ୍ରୀଙ୍କ ସହ ପଠାଇ ଦେଲେ l ରାଜର୍ଷି ଦ୍ୟୁମତ ସେନଙ୍କ ରମଣୀୟ ତପୋବନ ମଧ୍ୟରେ ସାବିତ୍ରୀ କିଛିଦିନ ବରପାତ୍ର ସନ୍ଧାନରେ ବୁଲିଲେ l ଏକଦା ମଦ୍ର ନରେଶ ରାଜ ସଭାରେ ଦେବର୍ଷି ନାରଦଙ୍କ ସହ କଥା ହେଉଥିଲେ, ସେହି ସମୟରେ ମନ୍ତ୍ରୀଙ୍କ ସହ ସାବିତ୍ରୀ ସେହି ବାଟ ଦେଇ ରାଜ ଉଆସକୁ ପ୍ରତ୍ୟାବର୍ତ୍ତନ କଲେ l ରାଜ କୁମାରୀ ସାବିତ୍ରୀଙ୍କୁ ଦେଖି ଦେବର୍ଷି ରାଜାଙ୍କୁ ତାଙ୍କ ବାହ୍ୟ ଭ୍ରମଣର ଅଭିପ୍ରାୟ ଜିଜ୍ଞାସା କଲେ, ରାଜା କହିଲେ ସେ ନିଜ ପାଇଁ ବର ପାତ୍ରର ସନ୍ଧାନରେ ଯାଇଥିଲେ l ରାଜା, ସାବିତ୍ରୀ ଫେରି ଆସିଛନ୍ତି ଏ କଥା ଜାଣି ତାଙ୍କୁ ରାଜ ଦରବାରକୁ ଡକାଇଲେ ଓ ବରପାତ୍ର ନିର୍ବାଚନ ବିଷୟରେ ପଚାରିଲେ l ଏହାର ଉତ୍ତର ଦେଇ ସାବିତ୍ରୀ କହିଲେ, ସେ ଶାଲ୍ଵଦେଶ ରାଜାଙ୍କ ପୁତ୍ର ସତ୍ୟବାନ, ଯିଏ ଜଙ୍ଗଲରେ ଲାଳନ ପାଳନ ହୋଇଛନ୍ତି,ତାଙ୍କୁ ହିଁ ସ୍ୱାମୀ ରୂପେ ନିର୍ବାଚନ କରି ଛନ୍ତି l

Pearl dental clinic
Near Ashish Medical Store, Bhawanipatna

ରାଜକୁମାରୀଙ୍କ ଠାରୁ ଏହା ଶୁଣି ଦେବର୍ଷି ନାରଦ କହିଲେ, ରାଜନ ! ଏହା ବହୁତ ଦୁର୍ଭାଗ୍ୟ ଜନକ ଓ ଦୁଃଖଦାୟୀ l ସାବିତ୍ରୀ ଯେଉଁ ବରକୁ ଚୟନ କରିଛନ୍ତି ସେ ସ୍ୱଳ୍ପାୟୁ l ତାଙ୍କର ପରମାୟୁ ଆଜି ଠାରୁ ମାତ୍ର ଏକ ବର୍ଷ ଅଛି l ଏପରି ଏକ ସ୍ୱଳ୍ପାୟୁ ବର ସହ ରାଜକୁମାରୀଙ୍କ ବିବାହ ଅନୁଚିତ l ଏ କଥା କହି ଦେବର୍ଷି ପ୍ରସ୍ଥାନ କଲେ l ସାବିତ୍ରୀ ରାଜାଙ୍କୁ କହିଲେ, ପିତା ଯେପରି ଥରେ ମାତ୍ର କନ୍ୟାଦାନ କରିଥାନ୍ତି, ଠିକ ସେହିଭଳି ସେ ତାଙ୍କର ବରପାତ୍ର ନିର୍ବାଚନ କରି ସାରିଛନ୍ତି ଏବଂ ସେ ସତ୍ୟବାନଙ୍କୁ ବିବାହ କରିବା ପାଇଁ ପ୍ରତିଶ୍ରୁତି ବଦ୍ଧ l ଅନୋନ୍ୟପାୟ ହୋଇ ସତ୍ୟବାନଙ୍କ ସହ ପୂର୍ଣ୍ଣ ମର୍ଯ୍ୟାଦା ଏବଂ ସମ୍ପୂର୍ଣ୍ଣ ବୈଦିକ ରୀତିରେ ରାଜା ସାବିତ୍ରୀଙ୍କ ବିବାହ କରାଇ ଦେଲେ l ବିବାହପରେ ସତ୍ୟବାନ ସାବିତ୍ରୀଙ୍କର ହସଖୁସିର ଜୀବନ ବିତି ଚାଲିଥିଲା ଏବଂ ଦେବର୍ଷି ନାରଦଙ୍କ କହିବା ଅନୁଯାୟୀ ସତ୍ୟବାନଙ୍କ ମୃତ୍ୟୁର ଦିବସ ମଧ୍ୟ ନିକଟ ବର୍ତ୍ତୀ ହେଉଥିଲା l ଦିନ ପରେ ଦିନ ଗଣି ଚାଲିଥାନ୍ତି ସାବିତ୍ରୀ l ସତ୍ୟବାନଙ୍କ ମୃତ୍ୟୁକୁ ଆଉ ମାତ୍ର ଚାରିଦିନ ବାକି ଥାଏ, ସାବିତ୍ରୀ ତିନି ଦିନର ବ୍ରତ ପାଳନ କଲେ l ଜଙ୍ଗଲରୁ ସେମାନେ କାଠ କାଟି ଜୀବିକା ନିର୍ବାହ କରୁଥାନ୍ତି l ଅନ୍ତିମ ଦିନ ଯେତେବେଳେ ସତ୍ୟବାନ ଜଙ୍ଗଲକୁ କାଠ କାଟିବାକୁ ଗଲେ ସାବିତ୍ରୀ ତାଙ୍କ ସହ ବାହାରିଲେ ଯିବା ପାଇଁ l ଜଙ୍ଗଲରେ ଯାତ୍ରା ଅତ୍ୟନ୍ତ କଠିନ ଓ ବିପଦପୂର୍ଣ୍ଣ l ଏଣୁ ସତ୍ୟବାନ ସାବିତ୍ରୀଙ୍କୁ ବାରଣ କଲେ l ମାତ୍ର ସାବିତ୍ରୀ ତାଙ୍କ କଥା ନ ମାନି ତାଙ୍କ ସହ ଅରଣ୍ୟକୁ ଗଲେ l ସେ ଯେ ଅଳ୍ପାୟୁ ଏବଂ ତାଙ୍କର ମୃତ୍ୟୁ ଆସି ସନ୍ନିକଟ ହୋଇଛି,ଏ କଥା କେବଳ ସାବିତ୍ରୀଙ୍କୁ ଜଣା ଥିଲା l ସତ୍ୟବାନ କାଠ ହାଣୁଥାନ୍ତି,ହଠାତ ତାଙ୍କ ଦେହ ଅବଶ ହୋଇପଡ଼ିଲା l ମୁଣ୍ଡ ଘୁରାଇ ଦେଉଥାଏ l ଦେହ ଖୁବ ଦୁର୍ବଳ ଲାଗୁଥାଏ, ବସିବାର ଶକ୍ତି ନ ଥାଏ l ସେ ସାବିତ୍ରୀଙ୍କୁ କହିଲେ, ପ୍ରିୟେ ! ଦେହଟା କିପରି ଲାଗୁଛି, ମୋର ଭାରି ଶୋଇବାକୁ ଇଚ୍ଛା ହେଉଛି l ବିଚଳିତ ହୋଇ ସାବିତ୍ରୀ ସତ୍ୟବାନଙ୍କ ମସ୍ତକକୁ ନିଜ କୋଳରେ ରଖିଲେ l ସତ୍ୟବାନ ଝାଉଁଳି ପଡ଼ିଥାନ୍ତି ସାବିତ୍ରୀଙ୍କ କୋଳରେ l ମୃଦୁ ହସ୍ତ ଚାଳନାରେ ସାବିତ୍ରୀ ସତ୍ୟବାନଙ୍କ କପାଳକୁ ଆଉଁସି ଦେଉଥାନ୍ତି l ଏହି ସମୟରେ ସେଠାରେ ଉପସ୍ଥିତ ହେଲେ ମୃତ୍ୟୁଦେବତା ଯମ l ଯମରାଜ ସତ୍ୟବାନଙ୍କ ପିଣ୍ଡରୁ ପ୍ରାଣ ବାହାର କରି ଚର୍ମରଜ୍ଜୁ ଦ୍ୱାରା ବନ୍ଧନ କଲେ ଓ ଦକ୍ଷୀଣ ଦିଗ ଯମଲୋକ ଅଭିମୁଖେ ଅଗ୍ରସର ହେଲେ l

Udyog Nursery
Udyogi Nursery

ଯମରାଜଙ୍କୁ ସାବିତ୍ରୀ, ସ୍ବାମୀ ସତ୍ୟବାନଙ୍କ ପ୍ରାଣ ଫେରାଇ ଦେବା ପାଇଁ ବାରମ୍ବାର ଅନୁନୟ କରୁ ଥାନ୍ତି l ଯମରାଜ ଏଥିରେ ନିଜ ଅକ୍ଷମତା ପ୍ରକାଶ କରନ୍ତେ, ସାବିତ୍ରୀ ତାଙ୍କୁ ଅନୁସରଣ କରିବାରେ ଲାଗିଲେ l ଯମରାଜ ଏଥିରୁ ତାଙ୍କୁ ନିବୃତ କରି କହିଲେ, କଲ୍ୟାଣୀ, ତୁମ୍ଭେ ଫେରିଯାଅ l ସ୍ୱାମୀଙ୍କ ଜୀବନ ବଦଳରେ ଇଛାକର ତ, ଅନ୍ୟ କିଛି ବର ମାଗିପାର l ସତ୍ୟବାନଙ୍କର ପିତା ତଥା ସାବିତ୍ରୀଙ୍କ ଶ୍ୱଶୁର ରାଜା ଦ୍ୟୁମତସେନ ଥିଲେ ଚକ୍ଷୁହୀନ l ସେ ଶତ୍ରୁ ମାନଙ୍କ ଦ୍ୱାରା ରାଜ୍ୟରୁ ବିତାଡ଼ିତ ହୋଇ ଥିଲେ ଏବଂ ଅରଣ୍ୟରେ ବାସ କରୁଥିଲେ l ଯମରାଜଙ୍କ ଠାରୁ ଏ ଆଶାପୂର୍ଣ୍ଣ ବାକ୍ୟ ଶୁଣି ଦେବୀ ସାବିତ୍ରୀ ବର ସ୍ୱରୂପେ ଶ୍ଵଶୁରଙ୍କ ଚକ୍ଷୁଦାନ, ତାଙ୍କ ହରାଇ ଥିବା ରାଜ୍ୟ ପ୍ରାପ୍ତି ଓ ନିଜ ପିତାଙ୍କ ପାଇଁ ଏକଶତ ପୁତ୍ର ପ୍ରାପ୍ତିର ବର ମାଗିଲେ l ଯମରାଜ ତଥାସ୍ତୁ ! କହି ଆଗେଇ ଚାଲିଲେ l କିଛି ସମୟପରେ ଯମରାଜ ଦେଖିଲେ ସାବିତ୍ରୀ ତାଙ୍କୁ ପୁଣି ଅନୁସରଣ କରୁଛନ୍ତି l ଯମରାଜ ବୁଲି ପଡ଼ି ପୁଣି ତାଙ୍କୁ ବାରଣ କରି କହିଲେ, କଲ୍ୟାଣୀ ଏବେ ଫେରିଯାଅ l ଚାହୁଁଛ ତ ଆଉ ଏକ ଶେଷ ବର ମାଗି ନିଅ l ସାବିତ୍ରୀ ଏତିକିବେଳେ ଅତ୍ୟନ୍ତ ଚତୁରତାର ସହିତ ବରଟିଏ ମାଗିଲେ l ଯମଙ୍କୁ ସେ ବର ପ୍ରାର୍ଥନା କରି କହିଲେ,”ହେ ଧର୍ମରାଜ ! ମୋତେ ଏହି ଶେଷ ବରଟିଏ ଦିଅନ୍ତୁ, ଯେପରି ମୁଁ ଶତ ଯଶସ୍ବୀ ପୁତ୍ରର ଜନନୀ ହେବି l” ସାବିତ୍ରୀ ତାଙ୍କ ପଛ ନଛାଡୁ ଥିବାରୁ ଯମରାଜ ଅତି ବିବ୍ରତ ହୋଇପଡ଼ି ଥିଲେ l ସେ ଆଗପଛ ବିଚାର ନକରି ତୁରନ୍ତ କହିଦେଲେ, ତଥାସ୍ତୁ ! ସାବିତ୍ରୀ ଆଉ କାଳ ବିଳମ୍ବ ନକରି ଯମରାଜଙ୍କୁ କହିଲେ, ଧର୍ମରାଜ ! ଆପଣ ଏବେ ବଚନ ବଦ୍ଧ ଏଣୁ ମୋର ସ୍ୱାମୀଙ୍କ ଜୀବନ ଫେରାଇ ଦିଅନ୍ତୁ l ଯମରାଜ କହିଲେ ଏହା କେମିତି? ସାବିତ୍ରୀ ତାଙ୍କୁ କହିଲେ, ହେ ଧର୍ମରାଜ ! ଆପଣ ମୋତେ ଶହେ ପୁତ୍ରର ଜନନୀ ହେବାପାଇଁ ବର ଦେଇସାରିଛନ୍ତି, ଏବେ କୁହନ୍ତୁ ସ୍ୱାମୀଙ୍କ ବିନା ମୁଁ କିପରି ଶତପୁତ୍ର ଜନନୀ ହେବି ? ଏଣୁ ପରୋକ୍ଷରେ ଆପଣ ମୋ ସ୍ୱାମୀଙ୍କ ପ୍ରାଣ ଫେରାଇ ଦେବାପାଇଁ ବର ଦେଇ ସାରିଛନ୍ତି l ସାବିତ୍ରୀ ଯମଙ୍କୁ ବର ମାଗିବା ପୂର୍ବରୁ ସତ୍ୟ କରାଇ ନେଇ କହିଥିଲେ :-
ସନ୍ତୋହି ସତ୍ୟେନ ନୟନ୍ତି ସୂର୍ଯ୍ୟ l
ସନ୍ତୋ ଭୂମିଂ ତପସା ଧାରୟନ୍ତି ll
ସନ୍ତୋ ଗତିର୍ଭୁତଭବ୍ୟସ୍ୟ ରାଜନ୍ l
ସନ୍ତାଙ୍ଗ ମଧ୍ୟେନାଵସୀଦନ୍ତି ସନ୍ତହଃ ll

ସାବିତ୍ରୀଙ୍କ କଥା ଯେ ଯୁକ୍ତି ଯୁକ୍ତ ତାହା ବୁଝିବାକୁ ଯମଙ୍କୁ ଆଉ ବାକି ରହିଲା ନାହିଁ l ଡେରି ନକରି ସେ ତୁରନ୍ତ ସତ୍ୟବାନଙ୍କ ପ୍ରାଣ ଫେରାଇ ଦେଇ ଯମ ଲୋକ ଦିଗରେ ପ୍ରସ୍ଥାନ କଲେ l
କଥା ଶେଷ କରି ମାର୍କଣ୍ଡେୟ ମୁନି ଯୁଧିଷ୍ଠିରଙ୍କୁ କହିଲେ,ଏହିପରି ସାବିତ୍ରୀ ନିଜର ପତିବ୍ରତା ଧର୍ମ ଯୋଗୁଁ ନିଜର ପିତା ଓ ଶ୍ୱଶୁର, ଦୁଇ କୁଳର ହିତ ସାଧନ କରିବା ସହ ନିଜ ପତିଙ୍କ ଜୀବନ ଫେରି ପାଇବାପାଇଁ କ୍ଷମ ହୋଇଥିଲେ l ସେ ମହାସତୀ ସାବିତ୍ରୀର ଆଖ୍ୟା ପାଇଛନ୍ତି l ମହର୍ଷି ଵୈସମ୍ପାୟନ ମହାଭାରତର ଏହି କଥାକୁ ଉପସ୍ଥାପନ କରି କହିଲେ, ଏହି ପ୍ରକାରେ ମହର୍ଷି ମାର୍କଣ୍ଡେୟ ଧର୍ମରାଜ ଯୁଧିଷ୍ଠିରଙ୍କୁ ବୁଝାଇ ଦେଲା ପରେ ସେ ଶୋକ ସନ୍ତାପ ରହିତ ହୋଇ କାମ୍ୟକ ଅରଣ୍ୟରେ ନିବାସ କଲେ l ଯିଏ ପରମ ପାବନ ଏହି ସାବିତ୍ରୀ ଚରିତକୁ ଶ୍ରଦ୍ଧାପୂର୍ବକ ଶ୍ରବଣକରିବ ତାହାର ସମସ୍ତ ମନୋରଥ ପୂରଣ ହୋଇ ସୁଖ ଶାନ୍ତିରେ କାଳାତିପାତ କରିବ l ମହାଭାରତ ଛଡ଼ା ବ୍ରହ୍ମବୈବର୍ତ୍ତ ପୁରାଣର ପ୍ରକୃତି ଖଣ୍ଡର ଦଶଟି ଅଧ୍ୟାୟରେ ସାବିତ୍ରୀ ଚରିତ ବର୍ଣ୍ଣିତ ହୋଇଛି l ସାବିତ୍ରୀଙ୍କ ବର୍ଣ୍ଣନା କରି ବ୍ରହ୍ମ ବୈବର୍ତ୍ତ ପୁରାଣରେ କୁହା ଯାଇଛି :-
ସୂର୍ଯ୍ୟ ଅଧିଦେବୀ ଆଉ ମନ୍ତ୍ର ଅଧିଷ୍ଠାତ୍ରୀ l
ଏହେତୁ ସାବିତ୍ରୀ ନାମ ଅଟେ ବେଦକର୍ତ୍ତ୍ରୀ ll
ବ୍ରହ୍ମ ବୈବର୍ତ୍ତ ପୁରାଣରେ ଦେବୀ ସାବିତ୍ରୀକୃତ ଓ ଧର୍ମରାଜଙ୍କୁ ସମର୍ପିତ ଗୋଟିଏ ଅଷ୍ଟକ ଦେଖିବାକୁ ମିଳିଥାଏ l ସେହି ଅଷ୍ଟକର ଶେଷପଦରେ ଦେବୀ ସାବିତ୍ରୀ କହିଛନ୍ତି :-
ମହାପାପୀ ଯଦି ପଠେନ୍ନିତ୍ୟଂ
ସାବିତ୍ରୀ କୃତ ଅଷ୍ଟକମ୍ l
ଭକ୍ତ୍ୟl ଭାବେ ଭୋ ନାରଦ
ୟମଃ କରୋତି ତଂ ଶୁଦ୍ଧଂ
କାୟ ବ୍ୟୁହେନ ନିଶ୍ଚିତମ୍ ll
!!! ଜୟ ମାଆ ସାବିତ୍ରୀ !!

ଅର୍ଜୁନୀ ଚରଣ ବେହେରା
ମୋ: ୭୬୯୩୦୯୧୯୭୧ 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.