ଓଡିଆ ବାର୍ତ୍ତା/ କନ୍ଧମାଳ (ମନୋରଂଜନ ରାୟ): ଓଡ଼ିଶାର କାଶ୍ମୀର ଦାରିଙ୍ଗବାଡି ବ୍ଲକ୍ ଶ୍ରିକାବର୍ଗ ପଞ୍ଚାୟତର ସମସ୍ୟାର ସମାଧାନ ପାଇଁ ଅନେକ ବାର ଅଭିଯୋଗ କରିବା ପରେ ବି କୌଣସି ସମାଧାନ ହେଲା ନାହିଁ । ଫଳରେ ଅଞ୍ଚଳବାସୀ ଆନ୍ଦୋଳନ କରିବା ପାଇଁ ପ୍ରସ୍ତୁତି ହେଉଛନ୍ତି । ଦାରିଙ୍ଗବାଡି ବ୍ଲକ ସିର୍କାବର୍ଗ ପଞ୍ଚାୟତ ଅଞ୍ଚଳରୁ ଆସିଚି କିଛି ଏଭଳି ଅଭିଯୋଗ । ସିର୍କାବର୍ଗ ପଞ୍ଚାୟତ ଅଞ୍ଚଳର ପ୍ରମୁଖ ସମସ୍ୟା କହିଲେ ରାସ୍ତା ଓ ବସ ଯାତାୟତ ସମସ୍ୟା । ସିର୍କାବର୍ଗ ଏକ ଉପାନ୍ତ ପଞ୍ଚାୟତ । ବ୍ଲକ ହେଡକ୍ୱାଟର ଠାରୁ ୩୦ କିଲୋ ମିଟର ପାହାଡ ପର୍ବତ ମଧ୍ୟରେ ଅବସ୍ଥିତ ଏହି ପଞ୍ଚାୟତ । ଉକ୍ତ ଗାଁକୁ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା ହୋଇଥିବା ବେଳେ ରକ୍ଷଣାବେକ୍ଷଣ ଅଭାବ ଯୋଗୁଁ ଅବସ୍ଥା ଶୋଚନୀୟ ହୋଇ ପଡ଼ିଛି । ଦନେକବାଡ଼ି ଘାଟି ଠାରୁ ସିର୍କାବର୍ଗ ପର୍ଯ୍ୟନ୍ତ ଦୀର୍ଘ ୧୮ କିଲୋ ମିଟର ରାସ୍ତା ଉପରୁ ପିଚୁ ଉଠିବା ସହ ମେଟାଲ ବାହାରି ପଡ଼ିଲାଣି । ଫଳରେ ଘାଟି ପାହାଡ ରାସ୍ତାରେ ଯାତାୟତ ଏକ ପ୍ରକାର ଠପ ହେବାକୁ ବସିଲାଣି । ଉକ୍ତ ରାସ୍ତା ଦେଇ ଗଲା ବେଳେ ଭୟ ଲାଗୁଚି । ଅନେକ ସମୟରେ ଉକ୍ତ ଘାଟି ରାସ୍ତାରେ ମେଟାଲ ଓ ଗୋଡ଼ି ବାହାରି ରହିଥିବାରୁ ଗାଡ଼ି ଖସି ଯାଇ କେତେବେଳେ କାହାର ଗୋଡ ଭାଙ୍ଗିଛି ତ ଆଉ କାହାର ହାତ । ଏଭଳିକି ଅନେକ ଲୋକ ଖଣ୍ଡିଆ ଖାବରା ମଧ୍ୟ ହୋଇଥିବା ନଜିର ରହିଛି । ଠିକାଦାର ଜଣଙ୍କ ରକ୍ଷଣା ବେକ୍ଷଣ କରୁନଥିବା ଯୋଗୁଁ ଆଜି ଏଭେଲି ପରିସ୍ଥିତି ଉପୁଜିଥିବା ବେଳେ ଗ୍ରାମ୍ୟ ଉନ୍ନୟନ ବିଭାଗ ଠିକାଦାରଙ୍କୁ ଅନେକ ବାର ନୋଟିସ ମଧ୍ୟ କରିସାରିଲାଣି । ହେଲେ ଆଜି ପର୍ଯ୍ୟନ୍ତ ରାସ୍ତା କାମ ଆରମ୍ଭ କରୁ ନାହାଁନ୍ତି ଅମାନିଆ ଠିକାଦାର । ଉକ୍ତ ରାସ୍ତା ମରାମତି ନିମନ୍ତେ ସିର୍କାବର୍ଗ ସରପଞ୍ଚଙ୍କ ସମେତ ସମିତି ସଭ୍ୟ ଓ ଅଞ୍ଚଳବାସୀ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣିରେ ୧୦ ରୁ ଉର୍ଦ୍ଧ ଥର ଓ ଅନଲାଇନ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କୁ ୩ ରୁ ଉର୍ଦ୍ଧ୍ୱ ଥର ଅଭିଯୋଗ କରିଥିଲେ ସୁଦ୍ଧା ଫଳ ଶୂନ । ସିର୍କାବର୍ଗ ବାସୀଙ୍କ ଦୁଃଖ ଶୁଣିବାକୁ କେହି ନାହାନ୍ତି । ସେହିପରି ସିର୍କାବର୍ଗ ବାସୀଙ୍କ ଅନ୍ୟ ଏକ ଦୁଃଖ ହେଲା ସରକାରୀ ବସ ଚଳାଚଳ ସମସ୍ୟା । ସିର୍କାବର୍ଗ ପଞ୍ଚାୟତ ସମେତ ଦନେକବାଡ଼ି ପଞ୍ଚାୟତକୁ କୌଣସି ବେସରକାରୀ ବସ ସେବା ନଥିବା ବେଳେ ଲକ୍ଷ୍ମୀ ଯୋଜନାରେ ଏହି ୨ ଟି ପଞ୍ଚାୟତ ନିମନ୍ତେ ଏକ ଲକ୍ଷ୍ମୀ ବସ୍ ଦିନକୁ ୪ ଥର ଦନେକବାଡ଼ି ଓ ସିର୍କବର୍ଗ ଯାଊଥିଲା । ହେଲେ ତତ୍କାଳୀନ ବିଡ଼ିଓ ଉକ୍ତ ବସ ରୁଟକୁ ପରିବର୍ତ୍ତନ କରି ବାଡାବାଙ୍ଗାକୁ ଯାତାୟତ ପାଇଁ ଚିଠି କରିଥିଲେ । ଫଳରେ ଉକ୍ତ ବସ ଟି ସିର୍କାବର୍ଗ ଓ ଦନେକବାଡ଼ିକୁ ସକାଳେ ଓ ମଧ୍ୟାହ୍ନରେ ମାତ୍ର ୨ ଥର ଯାଉଛି । ଫଳରେ ୨ ଟି ପଞ୍ଚାୟତର ହଜାର ହଜାର ଲୋକ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ସିର୍କାବର୍ଗ ସରପଞ୍ଚ ଚିରଞ୍ଜିବୀ ପ୍ରଧାନ ଓ ଦନେକବାଡ଼ି ସରପଞ୍ଚ ନଞ୍ଜୟ ପ୍ରଧାନ ଏନେଇ ବିଡ଼ିଓ ପ୍ରୀତି ରଞ୍ଜନ ରଥଙ୍କୁ ଲିଖିତ ଅଭିଯୋଗ ଦେବା ସହ ଗ୍ରାମବାସୀ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣିରେ ଅଭିଯୋଗ କରିଥିଲେ ସୁଦ୍ଧା କୌଣସି ସୁଫଳ ମିଳିନାହିଁ । ଫଳରେ ଅଞ୍ଚଳବାସୀ ଆନ୍ଦୋଳନକୁ ଓହ୍ଲାଇ ଦାରିଙ୍ଗବାଡି-ବ୍ରାହ୍ମଣୀଗାଁ ପୂର୍ତ୍ତ ବିଭାଗ ରାସ୍ତା ଅବରୋଧ କରିବେ ବୋଲି ଖୋଲାଖୋଲି ଭାବେ କହିଛନ୍ତି । ୧୫ ଦିନ ମଧ୍ୟରେ ଯଦି ୨ ଟି ଦାବିର ସମାଧାନ ନହୁଏ ତାହାଲେ ରାସ୍ତା ଅବରୋଧ ସମୟରେ ପ୍ରଶାସନର କୌଣସି କଥାକୁ ଶୁଣାଜିବନାହିଁ ବୋଲି ଅଞ୍ଚଳବାସୀ ରୋକ୍ ଠକ୍ କହିଛନ୍ତି ।