ବିକାଶ ଖୋଜୁଛି ଶିଳ୍ପାଞ୍ଚଳର ଗାଁ ବାତେଲିମା

ସ୍ୱାସ୍ଥ୍ୟ, ଶିକ୍ଷା, ଗମନାଗମନ, ବିଜୁଳି ଓ ପାନିୟ ଜଳ ଭଳି ବର୍ଷ ବର୍ଷ ଧରି ଲାଗି ରହିଛି ବିଭିନ୍ନ ସମସ୍ୟା

ସମସ୍ୟାର ସମାଧାନ ନହେଲେ ରାଜରାସ୍ତାକୁ ଓଲ୍ଲାଇବା ଚେତାବନୀ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଳକ ଶିଳ୍ପାଞ୍ଚଳର ଏକ ପାର୍ଶ୍ୱବର୍ତ୍ତି ଗାଁ ହେଉଛି ବାତେଲିମା। ଏହି ବାତେଲିମାରେ ପଞ୍ଚାୟତ କାର୍ଯ୍ୟାଳୟ ମଧ୍ୟ ରହିଛି। ବର୍ତ୍ତମାନ ଏଠାରେ ବିକାଶ ଅପହଞ୍ଚ ହୋଇ ରହିଥିବା ବେଳେ ସ୍ୱାସ୍ଥ୍ୟ, ଶିକ୍ଷା, ଗମନାଗମନ, ବିଜୁଳି ଓ ପାନିୟ ଜଳ ଭଳି ବିଭିନ୍ନ ସମସ୍ୟା ବର୍ଷ ବର୍ଷ ଧରି ଲାଗି ରହିଛି। ଯାହା ଫଳରେ ଲୋକେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ କରିଛନ୍ତି। ବାତେଲିମା ଗାଁରେ ୪ ଗୋଟି ପଡା ରହିଥିବା ବେଳେ ୧୨୫ ପରିବାର ପ୍ରାୟ ୬୦୦ ଶହରୁ ଉର୍ଦ୍ଧ୍ବ ଜନସଂଖ୍ୟା ବସବାସ କରନ୍ତି। ଏହା ବ୍ୟତୀତ ବାତେଲିମା ପଞ୍ଚାୟତ ଉପରେ ପ୍ରାୟ ୧୧ ଗୋଟି ଗାଁ ଲୋକେ ନିର୍ଭର କରୁଛନ୍ତି।ବାତେଲିମା ପଞ୍ଚାୟତକୁ ଲାଗି ବେଦାନ୍ତ କମ୍ପାନୀ ରହିଥିବା ବେଳେ ଏହି ବାତେଲିମା ପଞ୍ଚାୟତକୁ କମ୍ପାନୀ ଓ ପ୍ରଶାସନର ଦୂର ଦୃଷ୍ଟି ଅଭାବରୁ ବର୍ଷ ବର୍ଷ ଧରି ବିଭିନ୍ନ ସମସ୍ୟା ଲାଗି ରହିଛି। ଏଥି ମଧ୍ୟରୁ ମୁଖ୍ୟ ସମସ୍ୟା ହେଉଛି ରାସ୍ତା।ବାତେଲିମା ପଞ୍ଚାୟତ ୪ ଗୋଟି ଆର୍ଡି ରାସ୍ତା ସଂଯୋଗ କରୁଥିବା ବେଳେ ବାତେଲିମା-ନିଆଳି, ବାତେଲିମା-କଂସାରୀ, ବାତେଲିମା-ସିନ୍ଧିବାହିଲି, ବାତେଲିମା-ଲାଞ୍ଜିଗଡ ସଂଯୋଗ କରୁଥିବା ଆର୍ଡି ରାସ୍ତାଟି କମ୍ପାନୀର ଭାରିଯାନ ଚକ ପ୍ରଚଳ ଯୋଗୁଁ ଆଜିକୁ ୨୨ ବର୍ଷ ଧରି ଶୋଚନୀୟ ଅବସ୍ଥାରେ ପଡ଼ି ରହିଛି। ଯାହା ଫଳରେ ପଞ୍ଚାୟତକୁ ଆମ୍ବୁଲାନ୍ସ ଯିବା କଷ୍ଟକର ହୋଇପଡ଼ିଥିବା ବେଳେ ଗୁରୁତର ରୋଗୀ, ଗର୍ଭବତୀ ଓ ପ୍ରସୂତି ମହିଳାଙ୍କୁ ଡାକ୍ତରଖାନା ନେବା ସମ୍ଭବ ହେଉନାହିଁ। ସେହିପର ପାନିୟ ଜଳର ଘୋର ସଙ୍କଟ ଦେଖା ଦେଉଛି। ପାଇପ ଯୋଗୁଁ ଆସୁଥିବା ପାଣି ଠିକ ଭାବେ ମିଳି ପାରୁନାହିଁ। ଯାହା ଫଳରେ ସହରର ବିଭିନ୍ନ ପଡ଼ାର ଲୋକ ପାଣି ପାଇଁ ହନ୍ତସନ୍ତ ହେଉଛନ୍ତି। ବାତେଲିମା ଠାରେ ଜଳ ସଙ୍କଟ ଦୂର ପାଇଁ ୨୦୧୮ ମସିହାରେ ୭୫ ଲକ୍ଷ ଅଟକଳ ମୂଲ୍ୟରେ ବସୁଧା ପାଣି ଟାଙ୍କି ନିର୍ମାଣ କରାଯାଇ ନିକଟସ୍ଥ ବଂଶଧାରା ନଦୀରୁ ବାତେଲିମା ବିଭିନ୍ନ ପଡାକୁ ଜଳ ଯୋଗାଣ ପାଇଁ ପାଇପ ବିଛା ଯାଇଥିଲା। କିନ୍ତୁ ଠିକାଦାରଙ୍କ ନିମ୍ନମାନର କାମ ଯୋଗୁଁ ଜଳ ଯୋଗାଣରେ ବ୍ୟାଘାତ ହେଉଛି।ଗାଁରେ ବିଜୁଳି ଅଛି, କିନ୍ତୁ ବିଭାଗୀୟ ଅବହେଳା ଯୋଗୁଁ ବିଜୁଳି ଥରେ ଗଲେ ଦୁଇ ଦିନ ପର୍ଯ୍ୟନ୍ତ ଆସୁନଥିବା ଗାଁ ଲୋକେ ପ୍ରକାଶ କରିଛନ୍ତି। ସ୍ୱାସ୍ଥ୍ୟ ସେବା ପାଇବା ପାଇଁ ଲାଞ୍ଜିଗଡ ଉପରେ ନିର୍ଭର କରିଥାନ୍ତି। କିନ୍ତୁ ଭଲ ରାସ୍ତା ନଥିବା ଯୋଗୁଁ ଗୁରୁତର ରୋଗୀ କିମ୍ବା ପ୍ରସୂତି ମହିଳାଙ୍କୁ ଲାଞ୍ଜିଗଡ ଆଣିବା କଷ୍ଟକର ହୋଇପଡୁଛି। ଛାତ୍ରଛାତ୍ରୀଙ୍କୁ ଉଚ୍ଚ ଶିକ୍ଷା ପାଇଁ ବିଶ୍ୱନାଥପୁର ୧୮ କିଲୋମିଟର ଯିବାକୁ ପଢୁଛି। ବାତେଲିମା ଗାଁ ଠାରୁ ୩ କିମି ଦୂରରେ ଭାଟଗୁଡା ଗାଁ ନିକଟରେ କଲେଜ ପାଇଁ ଆଜିକୁ ୧୪ ବର୍ଷ ହେଲା ବେଦାନ୍ତ କମ୍ପାନୀ ପକ୍ଷରୁ ପାଚେରୀ ନିର୍ମାଣ ହୋଇଛି। କିନ୍ତୁ ବିଭିନ୍ନ ଦାବି ସତ୍ତ୍ୱେ ମଧ୍ୟ କଲେଜ ହୋଇ ପାରିନାହିଁ। ଏଣୁ ଗରିବ ଆଦିବାସୀ ଛାତ୍ରଛାତ୍ରୀମାନେ ଉଚ୍ଚ ଶିକ୍ଷା ପାଇବାରୁ ବଞ୍ଚିତ ହୋଇ ଇଛା ଶକ୍ତି ଥାଇ ବି ଅନେକ ମେଧାବୀ ଛାତ୍ରଛାତ୍ରୀ ପାଠପଢ଼ାରେ ଅଧାରୁ ଡୋରି ବାନ୍ଧିବାକୁ ବାଧ୍ୟ ହୁଅନ୍ତି। ପୁଅମାନେ ସୁବିଧା ନଥିବାରୁ, ଦୂର ହେଉଥିବାରୁ ପାଠ ଛାଡି ଦାଦନ ଖଟିବାକୁ ଯାଉଥିବାବେଳେ ଝିଅମାନଙ୍କୁ କମ ବୟସରେ ବାଧ୍ୟ ବାଧକତାରେ ବିବାହ କରି ଦିଆ ଯାଇଥାଏ। ଏପଟେ କମ୍ପାନୀ ପାଚେରୀ ଗାଁକୁ ଲାଗି ରହିଥିବା ବେଳେ ଅଳ୍ପକେ ପବନ ହେଲେ କୋଇଲା, ବକ୍ସାଇଟ ଓ ପାଉଁଶ ଗୁଣ୍ଡ ରେ ଗାଁ ଢାଙ୍କି ହୋଇ ଯାଉଛି। ଏଣୁ ଯଦି ଏଥିପ୍ରତି ପ୍ରଶାସନ କିମ୍ବା କମ୍ପାନୀ ଦୃଷ୍ଟି ନ ଦିଅନ୍ତି ତାହାହେଲେ ଆଗାମୀ ଦିନରେ ରାଜରାସ୍ତାକୁ ଓଲ୍ଲାଇବା ସହିତ ବ୍ଳକ କାର୍ଯ୍ୟାଳୟ ତଥା କମ୍ପାନୀର ମୁଖ୍ୟ ଗେଟ ଆଗରେ ଧାରଣା ଦେବୁବୋଲି ବାତେଲିମା ଗାଁର ପୂର୍ବତନ ସରପଞ୍ଚ ଧନୁ ମାଝୀ, ୱାଡ଼ ମେମ୍ବର ଭଗବାନ ପାତ୍ର, ପୂର୍ବତନ ସମିତି ସଭ୍ୟା ବାସନ୍ତୀ ସାମଲ, ନିର୍ମଳ ସାମଲ,ମୁରଲୀ ନାଏକ, ରୋମିଓ ରଞ୍ଜନ ସାମଲ, କୁମ୍ଭେ ମାଝୀ, ନବୀନ ମାଝୀ, ପ୍ରଭୁରଞ୍ଜନ ସାମଲ, ମାର୍କଣ୍ଡ ଦଣ୍ଡସେନା, ତରୁଣ ସାମଲ ସମେତ ବାତେଲିମା ଗ୍ରାମବାସୀ ଚେତାବନୀ ଦେଇଛନ୍ତି। ଏଣୁ ଲାଞ୍ଜିଗଡ ପ୍ରତି ନୂତନ ସରକାର ଓ ପ୍ରଶାସନ ଓ କମ୍ପାନୀ ତୁରନ୍ତ ଦୃଷ୍ଟି ଦେବାକୁ ଲାଞ୍ଜିଗଡବାସୀ ଦାବି କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.