କଦମ ପଦର ଗ୍ରାମରେ ବିଶୁଦ୍ଧ ପାନୀୟ ଜଳ ସଂକଟ

କୋଡ଼ିଏ ପରିବାରକୁ ଗୋଳିଆ ପାଣି ହିଁ ଭରସା, ଦୁଇଟି କୂଅ ଗୋଟିଏ ନଳକୂପରୁ ବାହାରୁଛି ଗୋଳିଆ ପାଣି

ଓଡିଆ ବାର୍ତ୍ତା/ କନ୍ଧମାଳ (ମନୋରଂଜନ ରାୟ): ତୁମୁଡିବନ୍ଧ ବ୍ଲକ ଅନ୍ତର୍ଗତ କଦମ ପଦର ଗ୍ରାମରେ ବିଶୁଦ୍ଧ ପାନୀୟ ଜଳର ଅଭାବ ଦେଖାଦେଇଛି | ବର୍ତ୍ତମାନ ସରକାର ବସୁଧା ଯୋଜନାରେ ପ୍ରତିଘରକୁ କିଭଳି ବିଶୁଦ୍ଧ ପାନୀୟ ଜଳ ପହଞ୍ଚି ପାରିବ ସେ ବାବଦକୁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ତାର ଠିକ ବିପରୀତ ଚିତ୍ର ଦେଖିବାକୁ ମିଳିଛି ତୁମୁଡିବନ୍ଧ ବ୍ଲକ କାର୍ଯ୍ୟାଳୟରୁ ମାତ୍ର ଦୁଇ ତିନି କି.ମି ଦୂରରେ ଥିବା କଦମ ପଦର ଗ୍ରାମରେ | ଏହି ଗ୍ରାମରେ ୨୦ ରୁ ଉର୍ଦ୍ଧ ପରିବାର ବସବାସ କରୁଥିବାବେଳେ ଏମାନଙ୍କ ଜୀବିକା ସମ୍ପୂର୍ଣ ଚାଷ ବାସ ଉପରେ ନିର୍ଭର କରେ | କିନ୍ତୁ ସାମାନ୍ୟ ବର୍ଷା ହେଲେ ପିଇବା ପାଇଁ ବୁନ୍ଦାଏ ବିଶୁଦ୍ଧ ପାନୀୟ ଜଳ ଏମାନଙ୍କ ପାଇଁ ସ୍ବପ୍ନ | ଦୁଇଟି କୂଅ, ଗୋଟିଏ ନଳକୂପ ଏବଂ ଏକ ସୌର ଚାଳିତ ପାନୀୟ ଜଳର ବ୍ୟବସ୍ତା ରହି ଅଛି କିନ୍ତୁ ଏକ ମାସରୁ ଉର୍ଦ୍ଧ ହେବ ସୌର ଚାଳିତ ଜଳ ଯୋଗାଣ ଖରାପ ହୋଇ ପଡ଼ିଥିବା ବେଳେ ଦୁଇଟି ପୁରାତନ କୂଅରୁ ଗୋଳିଆ ପାଣି ଏବଂ ଗୋଟିଏ ନଳ କୁପରୁ ୧୦ ରୁ ୧୨ ବାଲ୍ଟି ପାଣି ବାହାରିଵା ପରେ ସେଇ ନଳ କୁପଟି କାର୍ଯ୍ୟକ୍ଷମ ନ ହୋଉଥିବା ନଜିର ରହିଛି | ଏହି ବାବଦରେ ଗ୍ରାମବାସୀ ତୁମୁଡିବନ୍ଧ ବ୍ଳକ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗର କନିଷ୍ଟ ଯନ୍ତ୍ରୀ ସ୍ନେହଲତା ପ୍ରଧାନଙ୍କୁ ଏକାଧିକ ଥର ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳୁନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ | ଏହି ବିଷୟ ନେଇ ଆମେ ଯନ୍ତ୍ରୀ ସ୍ନେହଲତା ପ୍ରଧାନଙ୍କ ପ୍ରତିକ୍ରିୟା ଲୋଡ଼ିବା ବେଳେ ସେ କ୍ୟାମେରା ଆଗରେ କୌଣସି କଥା କହିବାକୁ ମନା କରିବା ସହ ଏହାର ଉତ୍ତର ଉପରିସ୍ଥ ଅଧିକାରୀ ଦେବେ କହି ଚାଲି ଯାଇଥିଲେ | ଏଭଳି ଗରିବ ଲୋକଙ୍କ ପାଣି ସମସ୍ୟା ଦୂର କରିବା ବଦଳରେ ନିରୀହ ୨୦ ପରିବାରକୁ ଅଣଦେଖା କରିବା ଏବଂ ଗଣମାଧ୍ୟମକୁ ପ୍ରତିକ୍ରିୟା ନ ଦେବା ଏକ ପ୍ରକାର ଦୁଖଃର ବିଷୟ ବୋଲି ଆଲୋଚନାହେଉଛି l ତେବେ ଯନ୍ତ୍ରୀ କେବେ କେଉଁଦିନ ଏହି ନିରୀହ କଦମ ପଦର ଗ୍ରାମବାସୀଙ୍କ ଗୁହାରୀ ଶୁଣିବେ ଏବଂ ସୌର ଚଳିତ ବିଶୁଦ୍ଧ ପାନୀୟ ଜଳ ସଜାଡି ଗ୍ରାମବାସୀଙ୍କୁ ଯୋଗାଇଦେବେ ତାହା ଦେଖିବାକୁ ବାକି ରହିଲା l

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.