ବସ୍ତା ଠାରେ ଲୋକାର୍ପିତ ହେଲା ଅଟଳ ବସଷ୍ଟାଣ୍ଡ

ଓଡିଆ ବାର୍ତ୍ତା/ ବାଲେଶ୍ଵର (କୃଷ୍ଣ କୁମାର ମହାନ୍ତି): ବାଲେଶ୍ଵର ଜିଲ୍ଲା ବସ୍ତା ବ୍ଲକ ଠାରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ କର କମଳରେ ଆଭାସି ଜରିଆରେ ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟକ୍ରମର ଲୋକାର୍ପଣ ଓ ଶିଳାନ୍ୟାସ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।

ଏହି ପରିପ୍ରେକ୍ଷୀରେ ବସ୍ତା ଠାରେ ଏକ ନୂତନ ବସଷ୍ଟାଣ୍ଡ ଲୋକାର୍ପଣ ପାଇଁ ଆୟୋଜିତ ସାଧାରଣ ସଭା ଓ ଉଦ୍ଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବାଲେଶ୍ଵରର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ବାଲେଶ୍ଵର ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ସୁଧାକର ନାୟକ, ଆର.ଟି.ଓ. ରଶ୍ମୀ ରଞ୍ଜନ ଦଳବେହେରା, ବି.ଜେ.ପି. ଜିଲ୍ଲା ସଭାପତି, ସ୍ଥାନୀୟ ବି.ଡି.ଓ., ତହସିଲଦାର, ସମାଜସେବୀ ରବୀନ୍ଦ୍ର ଅଣ୍ଡିଆ, ବସ୍ତା ବ୍ଲକ ଅନ୍ତର୍ଗତ ବିଭିନ୍ନ ଅଞ୍ଚଳର ବୁଦ୍ଧିଜୀବୀ, ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ, ଆର.ଟି.ଓ. କର୍ମକର୍ତ୍ତା, ଓଏସଆରଟିସି କର୍ମକର୍ତ୍ତା ଯୋଗ ଦେଇଥିଲେ।

ଏହି କାର୍ଯ୍ୟକ୍ରମରେ ବାଲେଶ୍ଵର ଜିଲା ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ନାୟକ ବରେଣ୍ୟ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିବା ସହ ଉତ୍ସବର ଆଭିମୁଖ୍ୟ ସମ୍ପର୍କରେ ସମ୍ୟକ୍ ବକ୍ତବ୍ୟ ରଖିଥିଲେ। ଏହି ଉତ୍ସବର ମୁଖ୍ୟ ଅତିଥି ବାଲେଶ୍ଵର ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଓଡ଼ିଶାର ପ୍ରଗତି ଓ ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟି, ଓଡ଼ିଶାର ବିଭିନ୍ନ କ୍ଷେତ୍ରରେ ବିକାଶ ଓ ଉନ୍ନତି ପାଇଁ ଲୋକଙ୍କର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସରକାର ଦ୍ରୁତ ଗତିରେ ଅଗ୍ରଗତି ପଥେ ଆଗେଇବା ଉପରେ ନିଜର ବକ୍ତବ୍ୟ ରଖିଥିଲେ।

ଆଜିର ଏହି ଲୋକାର୍ପଣ ଓ ଶିଳାନ୍ୟାସ ଉତ୍ସବର ମୁଖ୍ୟ ଅତିଥି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇ ଥିବାବେଳେ ବାଣିଜ୍ୟ ଓ ପରିବହନ ବିଭାଗ ପ୍ରମୁଖ ସଚିବ ଶ୍ରୀମତୀ ଉଷା ପାଢ଼ୀ, ମଞ୍ଚାସୀନ ବରେଣ୍ୟ ଅତିଥି ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା, ବିଧାୟକ ଦିଗପହଣ୍ଡି ସିଦ୍ଧାନ୍ତ ମହାପାତ୍ର, ଡି.ଜି.ୱାଇ.ଏସ. ଖୁରାନିଆ, ବାଣିଜ୍ୟ ଓ ପରିବହନ ଆୟୁକ୍ତ ଅମିତାଭ ଠାକୁର, ସି.ଏମ.ଡି(ଓଏସଆରଟିସି) ଦିପ୍ତେଶ ପଟ୍ଟନାୟକ, ପଦ୍ମଶ୍ରୀ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କୁ ସ୍ଵାଗତ ଏବଂ ପରିଚୟ ପ୍ରଦାନ କରିବା ସହ ଉତ୍ସବ ସମ୍ପର୍କରେ ସଂକ୍ଷିପ୍ତ ବିବରଣୀ ପ୍ରଦାନ କରିଥିଲେ।

ଏଥିରେ ମନ୍ତ୍ରୀ ଶ୍ରୀଯୁକ୍ତ ଜେନା ନିଜ ଅଧୀନରେ ଥିବା ବିଭାଗର ସମସ୍ତ ଉନ୍ନୟନ ମୂଳକ କାର୍ଯ୍ୟ, ଅଗ୍ରଗତି ସମ୍ପର୍କରେ ବିଶଦ ଭାବେ ତଥ୍ୟ ଉପସ୍ଥାପନ କରିଥିଲେ। ଆଜିର ଏହି ଲୋକାର୍ପଣ ଓ ଶିଳାନ୍ୟାସ କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଭାସୀ ମାଧ୍ୟମରେ ନିଜ କର କମଳରେ ଉଦ୍ଘାଟନ କରିଥିଲେ। ଏହି ଅବସରରେ ରାଜ୍ୟବାସୀଙ୍କୁ ବାଣିଜ୍ୟ ଓ ପରିବହନ କ୍ଷେତ୍ରରେ ଏକ ବୈପ୍ଳବିକ ପରିବର୍ତ୍ତନ ହୋଇପାରିଛି ଏବଂ ଗମନାଗମନରେ ବହୁବିଧ ସୁବିଧା ପୁରୀ ଠାରୁ ବିଭିନ୍ନ ପର୍ଯ୍ୟଟନ ସ୍ଥଳୀ ପାଇଁ ୮ଗୋଟି ଜଗନ୍ନାଥ ଏକ୍ସପ୍ରେସ ବସ୍ ସେବା ଗୁଡିକୁ ଲୋକାର୍ପଣ, ପାରାଦୀପ ଏବଂ ଚାନ୍ଦବାଲି ଠାରେ କ୍ରିୟୁ ଟ୍ରେନିଂ ସେଣ୍ଟର୍, ଓଡ଼ିଶା ମେରୀ ଟାଇମ୍ ଏକାଡେମୀ, ଶିକ୍ଷାର୍ଥୀଙ୍କ ସହିତ ବାର୍ତ୍ତାଳାପ,ଗାଡ଼ି ଚାଳନା ଲାଇସେନ୍ସ ପ୍ରକ୍ରିୟା ସହିତ ସଡକରେ ଘଟୁଥିବା ଦୁର୍ଘଟଣା ରୋକିବା ପାଇଁ ବ୍ୟାପକ ଜନ ସଚେନତା ପାଇଁ ବ୍ରାଣ୍ଡ୍ ଆମ୍ବାସୋଡର୍ ଭାବେ ସିନେ ଅଭିନେତା ତଥା ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ର ,ପଦ୍ମଶ୍ରୀ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କୁ ନେଇ “ଶୁନ ଦୁର୍ଘଟଣା ଦିବସ”ପାଳିବା, ସଡ଼କ ସୁରକ୍ଷା ନୀତିନିୟମକୁ ମାନି ଚାଲିବା ଉପରେ ଗୁରୁତ୍ବ ଦେଇଥିଲେ। ପରେ ପରେ ଜୀବନ ରକ୍ଷାକାରୀ ୧ ଘଣ୍ଟା ମଧ୍ୟରେ ଗୋଲ୍ଡେନ ଟାଇମ୍ ରେ ଅନ୍ୟର ଜୀବନ ବଞ୍ଚାଇ ପାରିଥିବାରୁ ମୁଖ୍ୟମନ୍ତ୍ରୀ ସମ୍ବର୍ଦ୍ଧିତ କରିଥିଲେ। ଶେଷରେ ବାଣିଜ୍ୟ ଓ ପରିବହନ ଆୟୁକ୍ତ ଠାକୁର ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ। ଏହି ଆଭାସି ଲୋକାର୍ପଣ ଓ ଶିଳାନ୍ୟାସ ଉତ୍ସବ ଅବସରରେ ବସ୍ତା ନୂତନ ବସଷ୍ଟାଣ୍ଡ୍ ଆୟୋଜିତ ସଭାରେ ବି.ଡି.ଓ. ସମସ୍ତଙ୍କୁ ଧନ୍ୟବାଦ୍ ଦେଇଥିଲେ। ପୂର୍ବତନ ପ୍ରଧନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ନାମ ନାମିତ ଏହି ଅଟଳ ବସଷ୍ଟାଣ୍ଡ ପାଇଁ ୩ କୋଟି ଟଙ୍କା ବ୍ୟୟରେ ନିର୍ମିତ କୋଠାକୁ ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଉଦଘାଟନ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.