ଉନ୍ମୋଚିତ ହେଲା ଡାକ୍ତର ଚୌଧୁରୀ ସତ୍ୟବ୍ରତ ନନ୍ଦଙ୍କ ପୁସ୍ତକ ‘କହିଥିଲି ଦିନେ’

“ଡାକ୍ତର ନନ୍ଦ ହେଉଛନ୍ତି ଜଣେ ଈର୍ଷଣୀୟ ବ୍ୟକ୍ତିତ୍ଵ”, କହିଲେ ଅତିଥି

ଓଡିଆ ବାର୍ତ୍ତା/ ବାଲେଶ୍ଵର (କୃଷ୍ଣ କୁମାର ମହାନ୍ତି): ‘ଓଡ଼ିଆ ଭାଷା ବିକାଶ ଆନ୍ଦୋଳନ'(OBBA) ଆନୁକୂଲ୍ୟରେ ଡାକ୍ତର ଚୌଧୁରୀ ସତ୍ୟବ୍ରତ ନନ୍ଦଙ୍କ ପୁସ୍ତକ ‘କହିଥିଲି ଦିନେ’ ସ୍ଥାନୀୟ ଲକି ଇଣ୍ଟରନ୍ୟାସନାଲ ପ୍ରେକ୍ଷାଳୟରେ ଉନ୍ମୋଚିତ ହୋଇଯାଇଛି।

ଡାକ୍ତର ନନ୍ଦଙ୍କ ଶୁଭ ଜନ୍ମଦିନ ଅବସରରେ ଅନୁଷ୍ଠାନର ସାଧାରଣ ସଂପାଦକ ଡକ୍ଟର ଲକ୍ଷ୍ମୀକାନ୍ତ ତ୍ରିପାଠୀଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ପୁସ୍ତକ ଲୋକାର୍ପଣ ଉତ୍ସବରେ ଭୁବନେଶ୍ୱରସ୍ଥିତ ଇଣ୍ଟରନ୍ୟାସନାଲ ମେନେଜମେଣ୍ଟ ଇନ୍‌ଷ୍ଟିଚ୍ୟୁଟ୍‌ର ଡିନ୍ ପ୍ରଫେସର ସୁପ୍ରୀତି ମିଶ୍ର ଉଦ୍‌ଘାଟକ ଭାବେ ଯୋଗ ଦେଇ କହିଲେ ଯେ ଡାକ୍ତର ନନ୍ଦ ହେଉଛନ୍ତି ଜଣେ ଅନନ୍ୟ ବକ୍ତା। ବିଭିନ୍ନ ବିଷୟରେ ତାଙ୍କର ତାତ୍ତ୍ୱିକ ଆଲୋଚନା ଶ୍ରୋତାମାନଙ୍କୁ ମନ୍ତ୍ରମୁଗ୍ଧ କରିଥାଏ। ବକ୍ତବ୍ଯ ଛଳରେ ସମାଜକୁ ସେ ଯାହା ଉପଦେଶ ଦେଇଥାଆନ୍ତି ତାହା ସେ ନିଜ ଜୀବନରେ ମଧ୍ୟ ପ୍ରୟୋଗ କରି ସମସ୍ତଙ୍କ ପାଇଁ ଉଦାହରଣ ପାଲଟିଛନ୍ତି।

ମୁଖ୍ୟଅତିଥି ଭାବେ ଯୋଗ ଦେଇ ଫକୀରମୋହନ ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ଡାକ୍ତର ନନ୍ଦଙ୍କୁ ଜଣେ ଈର୍ଷଣୀୟ ବ୍ୟକ୍ତିତ୍ୱ ଭାବରେ ବର୍ଣ୍ଣନା କରିଥିଲେ। ଜଣେ ଦକ୍ଷ ଚିକିତ୍ସକ, ସୁସାହିତ୍ୟିକ, ଜନପ୍ରିୟ ବକ୍ତା, ସମାଜସେବୀ ତଥା ଜଣେ ନିରଂହକାର ଦରଦୀ ମଣିଷ ଭାବରେ ଡାକ୍ତର ନନ୍ଦ ଆଜି ସମାଜରେ ବହୁ ଲୋକଙ୍କର ଆଦର୍ଶ ପାଲଟିଛନ୍ତି। ଜନ୍ମଦିନ ଅବସରରେ ସେ ତାଙ୍କ ଦୀର୍ଘ ଜୀବନ କାମନା କରିଥିଲେ।

ଫକୀରମୋହନ ସାହିତ୍ୟ ପରିଷଦର ପ୍ରାକ୍ତନ ସଭାପତି ତଥା ବରିଷ୍ଠ ଗବେଷକ ଡକ୍ଟର ଶିରୀଶ ଚନ୍ଦ୍ର ଜେନା ମୁଖ୍ୟବକ୍ତା ଭାବରେ ଯୋଗଦାନ କରି ପୁସ୍ତକଟି ସଂପର୍କରେ ସବିଶେଷ ଆଲୋଚନା କରିଥିଲେ। ସମ୍ମାନିତ ଅତିଥି କବି ଦୀପକ ବୋଷ ଡାକ୍ତର ନନ୍ଦଙ୍କ ପ୍ରତ୍ୟେକଟି ବକ୍ତବ୍ୟ କିପରି ଶ୍ରୋତାମାନଙ୍କର ମନରେ ପ୍ରଭାବ ପକାଇଥାଏ ସେ ସଂପର୍କରେ ଆଲୋଚନା କରିଥିଲେ।

ସଭା ପ୍ରାରମ୍ଭରେ ଦୀପକ ବୋଷଙ୍କ ରଚିତ ଏକ ଭଜନକୁ ଗୁରୁ ସତ୍ୟରଂଜନ ମହାନ୍ତି ପରିବେଷଣ କରିଥିଲେ। ଗାଳ୍ପିକ ନିବାରଣ ଜେନା ଅତିଥିମାନଙ୍କୁ ମଞ୍ଚ ଆବାହନ କରିବା ସହିତ ଅତିଥି ପରିଚୟ ପ୍ରଦାନ କରିଥିଲେ। ପ୍ରଫେସର ରଶ୍ମିରେଖା ପତି ଶେଷକଥା ରଖିଥିଲେ। ଇଂ. ସାରଦାପ୍ରସନ୍ନ ନନ୍ଦ, ଡାକ୍ତର ସୋମା ନନ୍ଦ ଓ ଇଂ. ସୁଧୀର କୁମାର ଦାଶ ସଭାକାର୍ଯ୍ୟ ପରିଚାଳନାରେ ସହାୟତା କରିଥିଲେ। ଉତ୍ସବରେ ସହରର ବହୁ ସାହିତ୍ୟିକ ଓ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.