ବିନ୍ଦୁ ମହାନନ୍ଦଙ୍କୁ ସର୍ବଶ୍ରେଷ୍ଠ ବ୍ଲକ ଅଧ୍ୟକ୍ଷ ପୁରସ୍କାର 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ସୁଶାନ୍ତ କୁମାର ଦଳେଇ): ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦଙ୍କୁ ସର୍ବଶ୍ରେଷ୍ଠ ବ୍ଲକ ଅଧ୍ୟକ୍ଷ ଭାବେ ପୁରସ୍କୃତ କରାଯାଇଛି। ଭୁବନେଶ୍ୱର ସ୍ଥିତ ଉତ୍କଳ ମଣ୍ଡପ ଠାରେ ଆୟୋଜିତ ‘ଆମ ଗାଁ ରଜ’ କାର୍ଯ୍ୟକ୍ରମରେ ଏହି ପୁରସ୍କାର ଦିଆଯାଇଛି। ପୂର୍ବତନ କେନ୍ଦ୍ର ମନ୍ତ୍ରୀ ବିଶେଶ୍ୱର ଟୁଡୁ, ଯାଜପୁର ସାଂସଦ, ବରିଷ୍ଠ ସାମ୍ବାଦିକ ତଥା ସମ୍ବାଦ କନକ ନ୍ୟୁଜ ଫାଉଣ୍ଡର ସୌମ୍ୟ ରଞ୍ଜନ ପଟ୍ଟନାୟକ, ଧର୍ମଶାଳା ବିଧାୟକ ହିମାଂଶୁ ସାହୁ, ସାନଖେମୁଣ୍ଡି ବିଧାୟକ ରମେଶ ଜେନା, ରାଜ୍ୟ ବିଜେପି ଉପସଭାପତି ଗୋଲକ ମହାପାତ୍ର, ପୂର୍ବତନ ବିଧାୟକ ସୁର ରାଉତ ରାୟ, ଫୋକସ ପ୍ଲସ ଫାଉଣ୍ଡର ସୁଧାଂଶୁ ରାଉତ ପ୍ରମୁଖଙ୍କ ଉପସ୍ଥିତିରେ ଶ୍ରୀ ମହାନନ୍ଦ ଏହି ପୁରସ୍କାର ଗ୍ରହଣ କରିଛନ୍ତି। ତେବେ ବ୍ଲକ ଅଧ୍ୟକ୍ଷ ଶ୍ରୀ ମହାନନ୍ଦ ସଦାସର୍ବଦା ନିଷ୍ଠା ଓ ସେବା ମନ ବୃତ୍ତି ନେଇ ସାଧାରଣ ଜନତାଙ୍କ ଆସ୍ଥା ଭାଜନ ହେବାରେ ଚର୍ଚ୍ଚା ପରିସରକୁ ଆସିଛନ୍ତି। ସେ ସରକାରୀ ଯୋଜନା ହେଉ ଅବା ଲୋକଙ୍କ ବିଭିନ୍ନ ଅଭିଯୋଗ ଉପରେ ଗୁରୁତ୍ୱ ଦେଇ ତତ୍କାଳ ସେବା ଯୋଗାଇ ଦେବାରେ ରାଜ୍ୟର ପ୍ରଥମ ବ୍ଲକ ଅଧ୍ୟକ୍ଷ ଭାବେ ପରିଗଣିତ ହୋଇପାରିଛନ୍ତି। ନିଜ କୌଶଳ ଦକ୍ଷତା ଭାବେ ଘର ମୁହଁରେ ସେବା କାର୍ଯ୍ୟକ୍ରମ କରି ଏକ ଉଦାହରଣ ପାଲଟିଛନ୍ତି। ଦିନକୁ ଦିନ ସାଧାରଣ ଜନତାଙ୍କ ବିଶ୍ୱାସ ଓ ଆସ୍ଥା  ତାଙ୍କ ପ୍ରତି ବୃଦ୍ଧି ପାଇଛି। ନିଜ ବାସ ଗୃହ ଓ କାର୍ଯ୍ୟାଳୟ ଠାରେ ଅଭିଯୋଗ ପ୍ରକୋଷ୍ଠରେ ଶହ ଶହ ଲୋକଙ୍କ ସମାଗମ ନଜିର ଏକ ସ୍ପଷ୍ଟ ପ୍ରତିପାଦିତ କରେ। ସେ ପୁରସ୍କୃତ ହୋଇଥିବା ଖବର ଅଞ୍ଚଳରେ ପ୍ରଘଟ ହେବା ପରେ ସାଧାରଣ ଜନତାଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ମହଲରେ ଖୁସିର ଲହରୀ ଖେଳି ଯାଇଛି। ଏହି ପୁରସ୍କାର ପ୍ରଦାନ କରିଥିବାରୁ ଆୟୋଜକମାନଙ୍କୁ ଶ୍ରୀ ମହାନନ୍ଦ ଧନ୍ୟବାଦ ଅର୍ପଣ କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.