ଓଡିଆ ବାର୍ତ୍ତା/ ଭୁବନେଶ୍ୱର: ସମାଜବାଦୀ ପାର୍ଟିର ଓଡ଼ିଶା ପ୍ରଦେଶ ସଭାପତି ଶିବ ହାତୀ ଯାଦବ କହିଛନ୍ତି ଯେ, ‘ଦାରିଦ୍ର୍ୟ ଦୂରୀକରଣ ବିନା ବିକଶିତ ରାଷ୍ଟ୍ର ଏକ ସ୍ବପ୍ନ’ । ଦାରିଦ୍ର୍ୟ ଦୂରୀକରଣ ବିନା ଦେଶ ବିକଶିତ ରାଷ୍ଟ୍ର ହୋଇପାରିବ ନାହିଁ । ଭାରତର ମୁଣ୍ଡପିଛା ଆୟ ଅତ୍ୟନ୍ତ ସ୍ଵଳ୍ପ । ଭାରତୀୟଙ୍କ ମୁଣ୍ଡପିଛା ବାର୍ଷିକ ଆୟ ୨୮୮୦ ଡଲାର ବା ୨.୪ଲକ୍ଷ ଟଙ୍କା । ବାସ୍ତବତା ହେଲା ପ୍ରତ୍ୟେକ ବ୍ୟକ୍ତିକୁ ଏହି ଆୟର ସୁଯୋଗ ମିଳେ ନାହିଁ ଏବଂ ଏହା ଏକ ହାରାହାରି ହିସାବ । ତେଣୁ ଭାରତରେ ଗରିବଙ୍କ ସଂଖ୍ୟା ଅଧିକ । ଲୋକସଂଖ୍ୟାରେ ବିଶ୍ଵର ଏକ ନମ୍ବର ଦେଶ ଭାରତରେ ଦାରିଦ୍ର୍ୟ, ଅସହାୟତା ଓ ବେକାରୀ ନୂଆ କଥା ନୁହେଁ । ତେଣୁ ଲୋକଙ୍କୁ ବିଭିନ୍ନ କଲ୍ୟାଣକାରୀ ଯୋଜନା ମାଧ୍ୟମରେ ନାନାଦି ସୁବିଧା ସୁଯୋଗ ସରକାର ଯୋଗାଉଛନ୍ତି । ଏଥିରେ ସ୍ୱାସ୍ଥ୍ୟ, ଶିକ୍ଷା, ଭତ୍ତା ପ୍ରଦାନ, ସାମାଜିକ ନିରାପତ୍ତା, ଖାଦ୍ୟ ଓ ଅନ୍ୟାନ୍ୟ ବିଷୟ ଅନ୍ତର୍ଭୁକ୍ତ ।
ସମାଜ ମଙ୍ଗଳ ଓ ସାମାଜିକ ସୁରକ୍ଷା ପ୍ରତ୍ୟେକ ସରକାରର ଏକ ମୌଳିକ ଦାୟିତ୍ଵ । ଗଣତାନ୍ତ୍ରିକ ରାଷ୍ଟ୍ରର ଏଥିପାଇଁ ସରକାରଙ୍କ ଉପରେ ଅଧୂକ ଚାପ ପଡ଼ିଥାଏ । ଜାତିସଙ୍ଘର ବିଭିନ୍ନ ସଂସ୍ଥା ଓ ଭିନ୍ନଭିନ୍ନ ଆନ୍ତର୍ଜାତିକ ସଂଗଠନ ବିକାଶଶୀଳ ତଥା ଗରିବ ରାଷ୍ଟ୍ରମାନଙ୍କର ସାମାଜିକ ଏବଂ ଆର୍ଥିକ ସ୍ଥିତିକୁ ନିୟମିତ ଭାବେ ପର୍ଯ୍ୟବେକ୍ଷଣ କରି ଆବଶ୍ୟକ ସ୍ଥଳେ ମାର୍ଗଦର୍ଶନ ଓ ସହାୟତା ଦେଇଥାନ୍ତି ।
ଭାରତ ବିଶ୍ୱର ସବୁଠୁ ଦ୍ରୁତ ବିକାଶଶୀଳ ରାଷ୍ଟ୍ର । ଏହାର ଅର୍ଥନୀତି ମୋଟ ଜାତୀୟ ଆୟ (ଜିଡିପି ହିସାବରେ ଏବେ ବିଶ୍ଵରେ ଚତୁର୍ଥ । ଏହାର ଜିଡିପିର ଆକାର ଏବେ ୪.୧୯ ଟ୍ରିଲିୟନ ଡଲାର । ଏହା ଛଡ଼ା ୨୦୨୫ରେ ଭାରତର ଜିଡିପି ଅଭିବୃଦ୍ଧି ହାର ୬.୩ ଶତାଂଶ ରହିବ ବୋଲି ଆକଳନ କରାଯାଇଛି । ଏହି ଅଭିବୃଦ୍ଧି ଧାରାକୁ ବଢ଼ାଇ ଭାରତ ଏ ବର୍ଷ ଶେଷ ସୁଦ୍ଧା ପାଞ୍ଚ ଟ୍ରିଲିୟନ ଡଲାର ବିଶିଷ୍ଟ ଅର୍ଥନୀତିରେ ପରିଣତ ହେବ ବୋଲି ସରକାର କହୁଥିଲା ବେଳେ ଦେଶରେ ଦରିଦ୍ରତା ବଢ଼ି ବଢ଼ି ଚାଲିଛି ।
ଆନ୍ତର୍ଜାତିକ ଶ୍ରମ ସଂଗଠନ (ଆଇଏଲଓ) ର ଏକ ତଥ୍ୟ ଅନୁ ଅନୁସାରେ ଭାରତର ୬୪ ଶତାଂଶ ଅର୍ଥାତ୍ ୯୪ କୋଟି ଲୋକ କୌଣସି ନା କୌଣସି ସାମାଜିକ କଲ୍ୟାଣ ସୁରକ୍ଷା ଯୋଜନାର ଅନ୍ତର୍ଭୁକ୍ତ । ୨୦୧୫ରେ ଦେଶର ମାତ୍ର ୧୯ ଶତାଂଶ ଲୋକ ଏହି ସୁବିଧା ପାଉଥିବାବେଳେ ଏବେ ତାହା ତିନି ଭାଗରୁ ଅଧିକ ହୋଇଛି । ଏଭଳି ସାମାଜିକ ସୁରକ୍ଷା ଯୋଗାଣରେ ଭାରତର ସ୍ଥାନ ଏବେ ବିଶ୍ୱରେ ଚୀନ୍ ପରେ ଦ୍ଵିତୀୟ । ଭାରତରେ ୮୦ କୋଟିରୁ ଉର୍ଦ୍ଧ୍ବ ଲୋକଙ୍କୁ ମାଗଣା ଖାଦ୍ୟ ସହ ଗରିବ ଓ ଅସହାୟ ବୟସ୍କଙ୍କୁ ବିଭିନ୍ନ ସରକାରୀ ସହାୟତା ମିଳୁଛି । ଏହା ଦ୍ୱାରା ବ୍ୟକ୍ତିର ଶ୍ରମ ଶକ୍ତିର ଅପଚୟ ହେଉଛି ।
ରାଜକୋଷର ଅର୍ଥ ଲୁଟ ହେଉଛି, ଦୁର୍ନୀତି ବଢୁଛି । ଏହାକୁ ନେଇ ଅତୀତରେ ସୁପ୍ରିମ କୋର୍ଟ ମଧ୍ୟ କ୍ଷୋଭ ପ୍ରକାଶ କରିଛନ୍ତି । ଏହା ଛଡ଼ା ଗତ ଆଠବର୍ଷ ମଧ୍ୟରେ ବେକାରୀ ୬.୬ ଶତାଂଶରୁ ଏବେ ୯.୨% ରେ ପହଂଚି ଗଲାଣି । ଦାରିଦ୍ର୍ୟ ହାର ମଧ୍ଯ କମ ହୋଇନି ଯାହା ଆମର ବିକଶିତ ରାଷ୍ଟ୍ର ଲକ୍ଷ ପୂରଣ କରିବାରେ ଏକ ବଡ଼ ବାଧକ । ସରକାର ଚାହିଁଲେ ଓ ରାଜନୀତିକ ଇଚ୍ଛାଶକ୍ତି ରହିଲେ ଲୋକକଲ୍ୟାଣକାରୀ ଓ ସାମାଜିକ ସୁରକ୍ଷା କାର୍ଯ୍ୟକ୍ରମ ସଫଳ ହୁଏ । କିନ୍ତୁ ସାମ୍ପ୍ରତିକ ସ୍ଥିତିରେ ପ୍ରଚଳିତ ମାଗଣା ଯୋଜନା ଯୋଗୁ ଏହା ଲକ୍ଷ ଭ୍ରଷ୍ଟ ହୋଇଛି ବୋଲି ସମାଜବାଦୀ ପାର୍ଟି ଓଡ଼ିଶା ପ୍ରଦେଶ ସଭାପତି ଶିବ ହାତୀ ଯାଦବ କହିଛନ୍ତି ।