ରେଖାପଦର ଗ୍ରାମ ପଞ୍ଚାୟତରେ ବିକାଶ ବାହାନ ଶୁଭାରମ୍ଭ

ଓଡ଼ିଆ ବାର୍ତ୍ତା/ କୋଲନରା (ପଦ୍ମନ ଭତ୍ରା): ରାୟଗଡା ଜ଼ିଲ୍ଲା କୋଲନରା ବ୍ଲକ୍ ଅନ୍ତର୍ଗତ ରେଖାପଦର ଗ୍ରାମ ପଞ୍ଚାୟତରେ ରାଜ୍ୟ ସରକାରଙ୍କ ଏକ ବର୍ଷ ଶାସନ ପୂର୍ତ୍ତି ଅବସରରେ ବିକାଶ ବାହନ ରଥ ଶୁଭାରମ୍ଭ ହୋଇଯାଇଛି l ପିଇଓ ମଦନମୋହନ ନାୟକ ଓ ସରପଞ୍ଚ ଗୋପାଳ ପିର୍ବାକାଙ୍କ ତତ୍ତ୍ଵାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ କୋଲନରା ବ୍ଲକ୍ ଜିପିଇଓ ପ୍ରଶାନ୍ତ ପାଢ଼ୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମିତି ସଭ୍ୟ ସରୋଜ ପଣ୍ଡୁ, ଅବସରପ୍ରାପ୍ତ ପିଇଓ କାମେଶ୍ୱର ସାହୁକାର ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ | ପଞ୍ଚାୟତ କାର୍ଯ୍ୟାଳୟରେ ବିକାଶ ବାହନ ପହଞ୍ଚିବା ପରେ ଭବ୍ୟ ସ୍ଵାଗତ କରାଯାଇ ରେଖାପଦର ଗ୍ରାମ ପରିକ୍ରମା କରାଯାଇଥିଲା | ପିଇଓ ମଦନ ମୋହନ ନାୟକ ପଞ୍ଚାୟତର ନିରୀହ ଗରିବଙ୍କ ସମସ୍ୟା କିଭଳି ଭାବେ ସମାଧାନ ହେବ ତାହା ବୁଝାଉଥିବା ଦେଖିବାକୁ ମିଳିଥିଲା l ଉକ୍ତ କାର୍ଯ୍ୟକ୍ରମରେ ସରକାର ମହିଳା ସଶକ୍ତିକରଣ ପାଇଁ ସୁଭଦ୍ରା ଯୋଜନା, ଗରିବ ଲୋକଙ୍କ ନିମନ୍ତେ ଅନ୍ତ୍ୟଦୟ ଗୃହ ଯୋଜନା, ଆୟୁଷ୍ମାନ ଯୋଜନା କାର୍ଡ, ନୂତନ ରାସନ୍ କାର୍ଡ ସହ ବିଭିନ୍ନ ଜନହିତକର ଯୋଜନା ସମ୍ପର୍କରେ ସ୍ଥାନୀୟ ଲୋକଙ୍କୁ ଅବଗତ କରାଯାଇଥିଲା | ପରେ ଏଲ୍ଇଡି ମାଧ୍ୟମରେ ରାଜ୍ୟ ସରକାରଙ୍କ ଏକ ବର୍ଷ ମଧ୍ୟରେ ପଦକ୍ଷେପ ନେଇଥିବା ବିଭିନ୍ନ ଜନହିତକର କାର୍ଯ୍ୟକୁ ଲୋକଙ୍କୁ ଅବଗତ କରାଯାଇଥିଲା | ଏହି ଅବସରରେ ସ୍ୱାସ୍ଥ୍ୟ ବିଭାଗ, ଶ୍ରମ ବିଭାଗ, ଶିଶୁ ବିକାଶ, ମତ୍ସ ବିଭାଗ, ଶିକ୍ଷା ବିଭାଗ, କୃଷି ବିଭାଗ, ଓଡ଼ିଶା ଜୀବିକା ମିଶନ ଓ ମିଶନ ଶକ୍ତି ତରଫରୁ ୬ ଗୋଟି ଷ୍ଟଲ୍ ପ୍ରଦର୍ଶନ ହୋଇଥିଲା | ଉକ୍ତ କାର୍ଯ୍ୟକ୍ରମରେ ୪ ଜଣ ହିତାଧିକାରୀଙ୍କୁ ରାସନ୍ କାର୍ଡ, ୩ ଜଣଙ୍କୁ ଆୟୁଷ୍ମାନ କାର୍ଡ, ୬ ଜଣଙ୍କୁ ମୃତ୍ତିକା ସଂରକ୍ଷଣ କାର୍ଡ ଓ ୪ ଜଣଙ୍କୁ ଅନ୍ତ୍ୟଦୟ ଗୃହ ଯୋଜନାରେ କାର୍ଯ୍ୟାଦେଶ ବଣ୍ଟନ କରାଯାଇଥିଲା | କାର୍ଯ୍ୟକ୍ରମକୁ ଶ୍ରୀ ନାଏକ ପରିଚାଳନା କରିଥିବା ବେଳେ ବ୍ଲକ୍ କର୍ଡିନେଟର ଅମିତ କୁମାର ଗାଣ୍ଟା, ମୋକୁନ୍ଦପୁର ମଣ୍ଡଳ ସଭାପତି ମନୋଜ କୁମାର ନାଲା, ଏଡିଓ ପ୍ରସାଦ ଗନ୍ତାୟତ, ଯୋଗାଣ ସହାୟକ ପ୍ରଶାନ୍ତ ଗାଣ୍ଟା ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.