ରୁପ୍ରାରୋଡ ହାଇସ୍କୁଲର ପୂର୍ବତନ ସଂସ୍କୃତ ଶିକ୍ଷକ ନିତ୍ୟାନନ୍ଦ ମହାନ୍ତିଙ୍କ ଦେହାନ୍ତ 

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅନ୍ତର୍ଗତ ରୁପ୍ରାରୋଡ ବସ୍ତିର ଅବସରପ୍ରାପ୍ତ ଶିକ୍ଷକ ନିତ୍ୟାନନ୍ଦ ମହାନ୍ତିଙ୍କ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୩ ବର୍ଷ ବୟସ ହେଉଥିଲା। ରୁପ୍ରାରୋଡ ଗାୟତ୍ରୀ ମନ୍ଦିର ପାଇଁ ଭୂମି ଦାନ କରିଥିବା ବିଶିଷ୍ଟ ବ୍ୟକ୍ତି ହେଉଛନ୍ତି ନିତ୍ୟାନନ୍ଦ ମହାନ୍ତି। ଗାୟତ୍ରୀ ପରିବାରର ଜଣେ ସକ୍ରୀୟ ସଦସ୍ୟ ଥିବା ସ୍ବର୍ଗତ ମହାନ୍ତି ପୂର୍ବରୁ ରୁପ୍ରାରୋଡ ହାଇସ୍କୁଲରେ ସଂସ୍କୃତ ଶିକ୍ଷକ ଭାବେ କାର୍ଯ୍ୟକରି ଅନେକ ସୂଯୋଗ୍ୟ ଛାତ୍ର ସୃଷ୍ଟି କରି ଯାଇଛନ୍ତି। ଜଣେ ନମ୍ର, ଭଦ୍ର ଓ ପରୋପକାରୀ ମଣିଷ ସ୍ବର୍ଗତ ମହାନ୍ତି ସମସ୍ତଙ୍କର ପ୍ରୀୟପାତ୍ର ଥିଲେ। ସଂସ୍କୃତ ଭାଷା ସାହିତ୍ୟର ଧୁରୀଣ ପଣ୍ଡିତ ଥିବା ସହ ସେ ଜଣେ ଧର୍ମପରାୟଣ ବ୍ୟକ୍ତି ଭାବେ ସୁପରିଚିତ ଥିଲେ। ରବିବାର ସନ୍ଧ୍ୟାରେ ସେ ନର୍ଲା ବ୍ଲକ ରୁପ୍ରାରୋଡ ସ୍ଥିତ ତାଙ୍କ ବାସଭବନରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ। ସୋମବାର ସ୍ଥାନୀୟ ସାନ୍ଦୁଳ ନଦୀ ତଟରେ ଗାୟତ୍ରୀ ସଂସ୍କାର ଅନୁସାରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ଅନ୍ତିମ ଯାତ୍ରାରେ ରୁପ୍ରାରୋଡ ବସ୍ତି ବାସିନ୍ଦାଙ୍କ ସମେତ ଗାୟତ୍ରୀ ପରିବାରର ଶତାଧିକ ସଦସ୍ୟ ଉପସ୍ଥିତ ଥିଲେ। ପୁତ୍ର ନିରଜ ମହାନ୍ତି ମୁଖାଗ୍ନୀ ଦେଇଥିଲେ। ସ୍ବର୍ଗତ ମହାନ୍ତିଙ୍କ ପରଲୋକରେ ନର୍ଲା ବିଧାୟିକା ମନୋରମା ମହାନ୍ତି, ନର୍ଲା ବ୍ଲକ ଅଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତି, ରୁପ୍ରାରୋଡ ଗାୟତ୍ରୀ ପରିବାର, ରୁପ୍ରାରୋଡ ହାଇସ୍କୁଲର ପୂରାତନ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟତ୍ରୀଙ୍କ ସମେତ ବିଭିନ୍ନ ମହଲରୁ ଶୋକ ପ୍ରକାଶ ପାଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.