ମରଣଯନ୍ତା ପାଲଟିଛି ବିଶ୍ଵନାଥପୁର-ମୂଷାନାଳ ରାସ୍ତା: କାମ ସାରି ଭୁଲିଗଲେ ଠିକାଦାର, ଗ୍ରାମ୍ୟ ଉନ୍ନୟନ ବିଭାଗ ସାଜିଛି ନିଦାବିଷ୍ଣୁ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ମୁଖ୍ୟାଳୟ ବିଶ୍ୱନାଥପୁରଠାରୁ ମୂଷାନାଳକୁ ସଂଯୋଗ କରୁଥିବା ରାସ୍ତା ସଂପୂର୍ଣ୍ଣ ଭାବେ ଉଜୁଡିଯାଇଛି। ଚାରିଚକିଆ କି ଭାରୀଯାନ ତ ଦୂରର କଥା ବାଇକ ଆରୋହୀ ବି ଏହି ରାସ୍ତାରେ ଯାତାୟତ କରିବା ମୁସ୍କିଲ ହୋଇପଡିଛି। ବିଶ୍ୱନାଥପୁରଠାରୁ ଡୁମେରମୁଣ୍ଡା, କନ୍ଧଟୋପି, ହାତୀଶାଳ, ଖଜୁରୀଗୁଡ଼ା, ଲୁମାଗାଁ, ବଚକା ଛକ, ଡଙ୍ଗାଜୋର ଛକ, ରାଜେନ୍ଦ୍ରପୁର ଛକ, ବନ୍ଧପାରୀ, ମୂଷାନାଳ ପର୍ଯ୍ୟନ୍ତ ୧୬ କିମି ବିଶିଷ୍ଟ ରାସ୍ତାର ବିଭିନ୍ନ ସ୍ଥାନରେ ଶହଶହ ଖାଲଖମା ପୁରି ରହିଛି। କିଛି ଦିନ ହେଲା ଲଗାଣ ବର୍ଷା ହେବା ଫଳରେ ଏହି ରାସ୍ତାର ଅବସ୍ଥା ଆହୁରି ଶୋଚନୀୟ ହୋଇପଡିଛି। ଏହି ରାସ୍ତାର ଡୁମେରମୁଣ୍ଡା-କନ୍ଧଟୋପି ନିକଟରେ ଥିବା ମଟରନାଳ ଉପରେ ତିଆରି ହୋଇଥିବା ପୋଲ ଦୁଇପଟୁ ଦବିଯାଇଥିବାବେଳେ ରାସ୍ତା ସାରା କାଦୁଅମୟ ହୋଇପଡିଛି। ଫଳରେ ଏହି ପୋଲ ଦେଇ ଭାରୀଯାନ ତ ଦୂରର କଥା ବାଇକଟିଏ ବି ଯିବା ମୁସ୍କିଲ ହୋଇପଡିଛି। ଏପରିକି ପୋଲ ନିର୍ମାଣ ପରେ ପୋଲର ଉଭୟପଟେ ଏପ୍ରୋଚ ରାସ୍ତା ନିର୍ମାଣ କରାଯିବାର ପ୍ରାବଧାନ ରହିଥିଲେ ହେଁ ଠିକାଦାର ଏପ୍ରୋଚ ରାସ୍ତା ନିର୍ମାଣ ନକରିବାରୁ ଲୋକେ ଏବେ ଦୁର୍ଦ୍ଦଶା ଭୋଗୁଛନ୍ତି। ସେହିପରି ଏହି ରାସ୍ତାର ହାତୀଶାଳ ଘାଟି ହଠାତ ବୁଲାଣି ଓ ଉଚ୍ଚତା ଥିବାରୁ ଏହି ଘାଟିରେ ନିତିପ୍ରତି ଦୁର୍ଘଟଣା ଘଟି ଧନଜୀବନ ହାନୀ ହେବା ଏକ ସାଧାରଣ ଘଟଣା ପାଲଟିଲାଣି। ତେବେ ହାତୀଶାଳ ଘାଟିରେ ଘାଟ କଟିଂ ସହିତ ଉଚ୍ଚତା ହ୍ରାସ କରିବା, ବୁଲାଣିକୁ ସିଧା କରିବା ଅତ୍ୟନ୍ତ ଆବଶ୍ୟକ ଥିବାବେଳେ ଗ୍ରାମ୍ୟ ଉନ୍ନୟନ ବିଭାଗ ସବୁ ଜାଣି ସୁଦ୍ଧା ଲୋକଙ୍କୁ ବିପଦ ମୁହଁକୁ ଠେଲିଦେଇ ସତେ ଯେମିତି ମଜା ଦେଖୁଛି। ଏପରିକି ବିଶ୍ୱନାଥପୁରଠାରୁ ମୂଷାନାଳ ରାସ୍ତା କଳାହାଣ୍ଡି ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗ ଭବାନୀପାଟଣା ଡିଭିଜନ ଅନ୍ତର୍ଗତ ହୋଇଥିବାବେଳେ ଲାଞ୍ଜିଗଡ ବ୍ଲକର ଦୁର୍ଗମ ତଥା ଆଭ୍ୟନ୍ତରୀଣ ଅଞ୍ଚଳକୁ ଯୋଡ଼ୁଥିବା ଓ ଘାଟି ଅଞ୍ଚଳର ଲାଇଫ ଲାଇନ କୁହାଯାଉଥିବା ଏହି ରାସ୍ତାର ସମସ୍ୟା ପ୍ରତି ବିଭାଗ ଯେମିତି ଆଖି ବୁଜିଦେଇଛି। ରାସ୍ତା ନିର୍ମାଣ ପରେ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ମରାମତି ଓ ତଦାରଖ ଦାୟିତ୍ୱ ସମ୍ପୃକ୍ତ ଠିକାଦାରଙ୍କ ହୋଇଥିବାବେଳେ ଠିକାଦାରମାନେ ବିଲ ପାଇସାରିଲା ପରେ ରାସ୍ତାକୁ ଭୁଲି ଯାଉଛନ୍ତି ଏବଂ ସମାନ ଢଙ୍ଗରେ ବିଭାଗ ମଧ୍ୟ ନିଦାବିଷ୍ଣୁ ସାଜିଛି। ଯାହାଫଳରେ ବିଶ୍ୱନାଥପୁର-ମୂଷାନାଳ ରାସ୍ତା ସଂପୂର୍ଣ୍ଣ ଉଜୁଡିଯାଇଥିବାବେଳେ ବିଭାଗୀୟ ଅଧିକାରୀମାନେ ଦେଖି ନଦେଖିଲା ପରି ଜାଣି ନଜାଣିଲା ପରି ନିରବ ରହିଛନ୍ତି। ରାସ୍ତାର ଏହି ସମସ୍ୟାକୁ ନେଇ ଧିରେ ଧିରେ ଜନ ଅସନ୍ତୋଷ ବୃଦ୍ଧି ପାଉଥିବାବେଳେ ଏହା ଆନ୍ଦୋଳନର ରୂପ ନେଇପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି। ଏଣୁ ସମୟ ଥାଉଁଣୁ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗ ଏ ଦିଗରେ ତ୍ୱରିତ ପଦକ୍ଷେପ ନେବାକୁ ଦାବି ହେଉଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.