ଏମଜିଏନଆରଇଜିଏକୁ ଅବହେଳା କରି ଆସୁଛନ୍ତି କେନ୍ଦ୍ର ସରକାର -ସମାଜବାଦୀ ପାର୍ଟି ଓଡିଶା

ଓଡିଆ ବାର୍ତ୍ତା/ ଭୁବନେଶ୍ୱର: ଦେଶର ଏକ ଗୁରୁତ୍ବପୂର୍ଣ୍ଣ ତଥା ଜନପ୍ରିୟ ଯୋଜନା ‘ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି ଯୋଜନା’ (ଏମଜିଏନଆରଇଜିଏ)କୁ କେନ୍ଦ୍ର ସରକାର ଅବହେଳା କରୁଥିବାନେଇ ଅଭିଯୋଗ କରିଛି ସମାଜବାଦୀ ପାର୍ଟି। ଦଳର ଓଡ଼ିଶା ପ୍ରଦେଶ ସଭାପତି ଶିବ ହାତୀ ଯାଦବ ଏନେଇ କେନ୍ଦ୍ର ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି । ସେ କହିଛନ୍ତି; ଡଃ ମନମୋହନ ସିଂହ ପ୍ରଧାନମନ୍ତ୍ରୀ ଥିବାବେଳେ କଂଗ୍ରେସ ନେତୃତ୍ବାଧୀନ ତାଙ୍କର ୟୁପିଏ ସରକାର ଗ୍ରାମାଞ୍ଚଳରେ ଗରିବ ଲୋକଙ୍କୁ ଶ୍ରମଭିଭିକ ନିଯୁକ୍ତି ଯୋଗାଇବାକୁ ଏହି  ଯୋଜନା ଆରମ୍ଭ କରିଥିଲା । ୨୦୧୪ରେ କେନ୍ଦ୍ରରେ ବିଜେପି କ୍ଷମତାକୁ ଆସିବା ପରେ  ଏହି କାର୍ଯ୍ୟକ୍ରମ ପ୍ରତି ନୂଆ ସରକାରଙ୍କର ଆଗ୍ରହ କମିଗଲା । ଗତ ୧୧ ବର୍ଷ ଧରି ମନରେଗା ଯୋଜନା ଚାଲୁ ରହିଥିଲେ ବି ନରେନ୍ଦ୍ର ମୋଦି ସରକାରଙ୍କର ଉକ୍ତ କାର୍ଯ୍ୟକ୍ରମ ପ୍ରତି ଆଗ୍ରହ ନାହିଁ ।

ଅସୁବିଧା ସମୟରେ ଗ୍ରାମାଞ୍ଚଳର ଗରିବ ଲୋକେ ଏହି ଯୋଜନାରେ କାମ କରି ନିଜର ଗୁଜୁରାଣ ମେଣ୍ଟାଇଥାନ୍ତି I  ଏବେ କେନ୍ଦ୍ର ଗ୍ରାମବିକାଶ ମନ୍ତ୍ରଣାଳୟ ପାଞ୍ଚ ବର୍ଷ ଲାଗି ୨୦୨୯ -୩୦ ଆର୍ଥିକ ବର୍ଷ ଯାଏଁ ଉକ୍ତ ସ୍କମ୍‌ରେ ବ୍ୟୟ ବରାଦକୁ ପୂର୍ବ ପାଞ୍ଚବର୍ଷ ତୁଳନାରେ ୧୨ ପ୍ରତିଶତ ବୃଦ୍ଧି କରିବା ଲାଗି ଦାବି କରୁଥିବା ବେଳେ ମୋଦୀ ସରକାର ଏହାକୁ ଅଣଦେଖା କରୁଛନ୍ତି I

କେନ୍ଦ୍ର ଗ୍ରାମଉନ୍ନୟନ ବିଭାଗ ମନରେଗା ଲାଗି ଯେତିକି ବ୍ୟୟବରାଦ କରିଛି ତା’ ଏହି ସମୟରେ ଜିନିଷପତ୍ରର ଦରଦାମ ବୃଦ୍ଧି ପାଇଁ ଯଥେଷ୍ଟ  ନୁହେଁ । ଗତ ୨୦୨୪-୨୫ ଆର୍ଥିକ ବର୍ଷରେ ଦେଶରେ ଏହି କାର୍ଯ୍ୟକ୍ରମରେ ୫୭.୯ ନିୟୁତ ପରିବାର ଦିନ ମଜୁରିଆ କାମ କରିଥିବା ତଥ୍ୟ କହୁଛି I  ତା’ ପୂର୍ବରୁ ୨୦୨୦-୨୧ ଆର୍ଥିକ ବର୍ଷରେ ଯେତେବେଳେ କରୋନା ମହାମାରୀ ଯୋଗୁ ଗ୍ରାମାଞ୍ଚଳରେ ଆର୍ଥିକ ଅବସ୍ଥା ଶୋଚନୀୟ ହୋଇଗଲା ସେ ବର୍ଷ ଲୋକେ ମନରେଗାରେ କାମ କରି ବଞ୍ଚି ଯାଇଥିଲେ I ୨୦୨୦-୨୧ରେ ଏହି ସ୍କିମ୍‌ରେ ୧.୧ ଲକ୍ଷ କୋଟି ଟଙ୍କା ବରାଦ ହୋଇଥିବା ବେଳେ ୨୦୨୪-୨୫ରେ ସଂଶୋସ୍ତ ଅଟକଳ ୮୫ ହଜାର ୬୮୧ କୋଟି ଟଙ୍କାକୁ କମିଛି। ଚଳିତ ଆର୍ଥିକ ବର୍ଷରେ ଏହା ବଢ଼ିବାର ଆଶା ନାହିଁ |  ମନରେଗା ଭଳି ଏକ ଲୋକାଭିମୁଖୀ ଜନକଲ୍ୟାଣକାରି ଯୋଜନାରେ  ବ୍ୟୟବରାଦ କମାଇ ଅଭାବି ଲୋକଙ୍କୁ  ନିଜର ଜୀବନ ଜୀବିକାରୁ ବଞ୍ଚିତ କରାଯିବା ଅନୁଚିତ।

ମନରେଗା ସ୍କିମ୍ ସଂପର୍କରେ ସଂପୃକ୍ତ ସଂସଦୀୟ କମିଟି  ଏହାର ମଜୁରୀ ଏବେ ଥିବା ଟ. ୨୪୧-୪୦୦ରୁ ଅନ୍ୟୁନ ଦୈନିକ ୪୦୦ ଟଙ୍କାକୁ ବଢ଼ାଯାଉ ଏବଂ ଏବେ ବର୍ଷକୁ ୧୦୦ ଦିନ କାମ ଦିଆଯିବାର ରହିଥ‌ିବା ଗ୍ୟାରେଣ୍ଟିକୁ ୧୫୦ ଦିନ‌କୁ ବୃଦ୍ଧି କରାଯାଉ ବୋଲି ଦାବି କରିଥିଲେ ମଧ୍ୟ କେନ୍ଦ୍ର ସରକାର ଏଥିପ୍ରତି ଆଗ୍ରହ ପ୍ରକାଶ ନକରିବା ଦୁର୍ଭାଗ୍ୟପୁର୍ଣ । ଏହି ସ୍କିମ୍‌ଟି ୨୦୦୮-୦୯ରେ ଆରମ୍ଭ ହୋଇଥିଲା । ଏହି ସମୟ ମଧ୍ୟରେ ମୁଦ୍ରାସ୍ତାତିକୁ ହିସାବକୁ ନେଲେ ସଂସଦୀୟ କମିଟିର ସୁପାରିସ ସେପରି କିଛି ବଡ଼ ନୁହେଁ ଏଣୁ ତା’ ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ହେବା ଉଚିତ ।

ନିକଟରେ ରାଜ୍ୟମାନଙ୍କୁ କୁହାଯାଇଛି ଯେ ସ୍କିମ୍‌ରେ ଯେଉଁ ଜବକାର୍ଡ଼ କାଟିଦିଆଯାଉଛି ତାକୁ ଗ୍ରାମପଞ୍ଚାୟତ ଅଧିକ ଯାଞ୍ଚ୍ କରୁ । ତା’ ସ୍ବାଗତଯୋଗ୍ୟ । ମନରେଗା ଏକ ଅପେକ୍ଷାକୃତ ସଫଳ କଲ୍ୟାଣମୂଳକ ଯୋଜନା । କାରଣ ଏଥିରେ ଗ୍ରାମାଞ୍ଚଳର ଗରିବ ଲୋକଙ୍କୁ ଫଳପ୍ରଦ ସହାୟତା ମିଳୁଛି। ଏହି ଯୋଜନାକୁ ଆଗାମୀ କେଇଦଶନ୍ଧି ଧରି ଦେଶର ଆୟ ସ୍ଥିତିରେ ଯଥେଷ୍ଟ ଉନ୍ନତି ନହେବା ଯାଏଁ  ବ୍ୟୟ ବରାଦରେ ପ୍ରାଥମିକତା ଦେଲେ ଗ୍ରାମାଞ୍ଚର ଶ୍ରମଜୀବୀ ଲୋକଙ୍କ ଜୀବନ ଜୀବିକା ସୁରକ୍ଷିତ ହୋଇପାରିବ I

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.