ବିଦ୍ୟାଳୟ ପ୍ରତିଷ୍ଠା ଦିବସ ଓ ବନ ମହୋତ୍ସବ ପାଳନ ପାଇଁ ପ୍ରସ୍ତୁତି ବୈଠକ

ଓଡିଆ ବାର୍ତ୍ତା/ ବାଲେଶ୍ବର (କୃଷ୍ଣ କୁମାର ମହାନ୍ତି): ସଦର ବ୍ଲକ ଗେଙ୍ଗୁଟି ପଞ୍ଚାୟତର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଆଞ୍ଚଳିକ ଉଚ୍ଚ ବିଦ୍ୟାଳୟ, ସାଉଁର ପୁରାତନ ଛାତ୍ରଛାତ୍ରୀ ମାନଙ୍କୁ ନେଇ ନବଗଠିତ ଏବଂ ସରକାରୀ ସ୍ତରରେ ପଞ୍ଜିକୃତ ଛାତ୍ର/ଛାତ୍ରୀ ସଂସଦ ପୁରାତନ ବିଦ୍ୟାର୍ଥୀ ପରିଷଦ, ଆଞ୍ଚଳିକ ଉଚ୍ଚ ବିଦ୍ୟାଳୟ, ସାଉଁ ବିଦ୍ୟାଳୟର ବିଗତ ପଞ୍ଚଦଶନ୍ଧି ଇତିହାସରେ ପ୍ରଥମଥର ପାଇଁ ପ୍ରତିଷ୍ଠା ଦିବସ ଆସନ୍ତା ଜୁଲାଇ ୭ ତାରିଖ ସୋମବାର ଦିବା ଦୁଇ ଘଟିକାରେ ପାଳନ କରିବାକୁ ଯାଉଛି।

ଏହି ଅବସରରେ କାର୍ଯ୍ୟକ୍ରମକୁ ସଫଳକରିବା ପାଇଁ ଆଜି ପୂର୍ବାହ୍ନ ଦଶ ଘଟିକା ସମୟରେ ବିଦ୍ୟାଳୟ ପରିସରରେ ଏକ ପ୍ରସ୍ତୁତି ବୈଠକ ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଯାଇଛି। ସଂଗଠନର ସଭାପତି ଜଳଧର ସାମଲ,ସଂପାଦକ ସୁଧାକର ସେଠୀ, ଉପଦେଷ୍ଟା ବିରୁପାକ୍ଷ୍ୟ ମହାପାତ୍ର, କାର୍ଯ୍ୟକାରୀ ସଦସ୍ୟ ଅନୀଲ କୁମାର ଜେନା, ଭବେଶ କୁମାର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।

ଏହି ଅବସରରେ ପ୍ରତିଷ୍ଠା ଦିବସ ଓ ବନମହୋତ୍ସବ ପାଳନକୁ ଆଖିଆଗରେ ରଖି ଆସନ୍ତା ୨୮ ତାରିଖ ଶନିବାର ଦିନ ବିଦ୍ୟାଳୟ ଛାତ୍ରଛାତ୍ରୀମାନଙ୍କୁ ନେଇ ବକ୍ତୃତା ଓ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହେବ ବୋଲି ସଭାପତି ଶ୍ରୀ ସାମଲ ଜଣାଇଛନ୍ତି।

ପ୍ରତିଷ୍ଠା ଦିବସ ପାଳନ ଓ ବନମହୋତ୍ସବ ପକ୍ଷ ହେତୁ ସମସ୍ତ ଛାତ୍ରଛାତ୍ରୀଙ୍କୁ ବୃକ୍ଷ ଚାରା ପ୍ରଦାନ ଓ ବିଶେଷ ଅତିଥିମାନଙ୍କ ଉପସ୍ଥିତିରେ ବୃକ୍ଷରୋପଣ ପାଇଁ ସ୍ଥାନ ସମ୍ପାଦକ ଶ୍ରୀ ସେଠୀ ଏବଂ ବିଦ୍ୟାଳୟ କର୍ମକର୍ତ୍ତାଙ୍କ ଦ୍ଵାରା ଯୁଗ୍ମ ଭାବେ ଚିହ୍ନଟ କରାଯାଇଥିଲା।

ପ୍ରଧାନଶିକ୍ଷକ ଦ୍ରୋଣାଚାର୍ଯ୍ୟ ପଟ୍ଟାୟତ କାର୍ଯ୍ୟକ୍ରମର ସଫଳତା ପାଇଁ ସମସ୍ତ ସହଯୋଗ କରିବାର ପ୍ରତିଶ୍ରୁତି ଦେବା ସହ ଉକ୍ତ ପଦକ୍ଷେପକୁ ସ୍ଵାଗତ ଜଣାଇଥିଲେ। ଆଞ୍ଚଳିକ ସ୍ତରରେ ସବୁଜ ବଳୟ ବୃଦ୍ଧି ନିମନ୍ତେ ଉପରଲିଖିତ ଚାରା ବଣ୍ଟନ “ରୋପଣମ୍” କ୍ୟାମ୍ପେନିଂ ଅନ୍ତର୍ଗତ ଏକ ଅନ୍ୟତମ ପ୍ରୟାସ ଏବଂ ନିକଟ ଭବିଷ୍ୟତରେ ୫୦,୦୦୦ ବୃକ୍ଷରୋପଣ ପରିଷଦର ଲକ୍ଷ୍ୟବୋଲି ପ୍ରାକ୍ତନ ସରପଞ୍ଚ ତଥା ପରିଷଦର ଉପଦେଷ୍ଟା ଶ୍ରୀ ମହାପାତ୍ର କହିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.