ଜୁନ୍ ୨୫ରେ କଳାହାଣ୍ଡି ଯୁବ-ଛାତ୍ର ବିଜେଡି ପକ୍ଷରୁ ଆନ୍ଦୋଳନ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ରାଜ୍ୟରେ ଛାତ୍ରୀମାନଙ୍କୁ ଅସଦାଚରଣ, ଦୁଷ୍କର୍ମ, ହତ୍ୟା ଭଳି ଘଟଣା ବୃଦ୍ଧି ଓ ରାଜ୍ୟ ସରକାରଙ୍କ ଅପାରଗତା ଯୋଗୁଁ ଆଜି ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇପଡିଥିବା ଅଭିଯୋଗ କରି ବିଜୁ ଯୁବ ଓ ଛାତ୍ର ଜନତା ଦଳ ରାଜ୍ୟବ୍ୟାପୀ ଆନ୍ଦୋଳନର ନିଷ୍ପତ୍ତି ନେଇଛି । ଏହି ଅନୁକ୍ରମେ, କଳାହାଣ୍ଡି ଜିଲ୍ଲା ଯୁବ ଓ ଛାତ୍ର ଜନତା ଦଳ ପକ୍ଷରୁ ଭବାନୀପାଟଣା ମାଁ ମାଣିକେଶ୍ଵରୀ ବିଶ୍ବବିଦ୍ୟାଳୟ ଛକ ଠାରେ ବିକ୍ଷୋଭ ପ୍ରଦର୍ଶନ କରାଯିବ ବୋଲି ନିଷ୍ପତି ନିଆଯାଇଛି। ସୂଚନାଯୋଗ୍ୟ ଯେ, ଗୋପାଳପୁର ଭଳି ଏକ ପର୍ଯ୍ୟଟନସ୍ଥଳୀ ଠାରେ ବ୍ରହ୍ମପୁରରେ ପାଠ ପଢୁଥିବା ଜଣେ ଛାତ୍ରୀଙ୍କ ପୁରୁଷ ବନ୍ଧୁଙ୍କୁ ଗଛରେ ବାନ୍ଧି ଦେଇ ତାଙ୍କ ସମ୍ମୁଖରେ ଛାତ୍ରୀ ଜଣଙ୍କୁ ଗଣଦୁଷ୍କର୍ମ କରାଯାଇଥିଲା । ସେହିପରି ମୁଖ୍ୟମନ୍ତ୍ରୀଙ୍କ ନିଜ ଜିଲ୍ଲା କେନ୍ଦୁଝରରେ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ ଓ ହତ୍ୟା ଭଳି ଏକ ଦୁଃଖିଦ ଘଟଣା ଘଟିଥିଲା । ରାଜ୍ୟରେ ପ୍ରତିଦିନ ପ୍ରାୟ ୧୫ ଜଣ ଯୁବତୀ ଦୁଷ୍କର୍ମର ଶୀକାର ହେଉଛନ୍ତି । ରାଜ୍ୟରେ ଦିନକୁ ଦିନ ଏହିଭଳି ଘଟଣା ବୃଦ୍ଧି ପାଉଥିବାରୁ, ଯୁବତୀ ମାନେ ନିଜକୁ ଅସୁରକ୍ଷିତ ମନେ କରୁଛନ୍ତି । ଦୁଃଖ ଓ ପରିତାପର ବିଷୟ, ଏଭଳି ସମ୍ବେଦନଶୀଳ ପ୍ରସଙ୍ଗରେ ରାଜ୍ୟ ସରକାର ନୀରବଦ୍ରଷ୍ଟା ସାଜିଛନ୍ତି ଓ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନିୟନ୍ତ୍ରଣରେ ରଖିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି ବୋଲି ଯୁବ -ଛାତ୍ର ବିଜେଡି ଅଭିଯୋଗ କରିଛି । ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ସହ ରାଜ୍ୟର ୧୧ ଜିଲ୍ଲାରେ ହଇଜା ଓ ଡାଇରିଆରେ ଲୋକେ ଆତଙ୍କିତ ଥିବାବେଳେ ରାଜ୍ୟ ସରକାର ଏକ ବର୍ଷ ପୂର୍ତ୍ତିର ଉତ୍ସବ ପାଳନ କରିବା ଦୁର୍ଭାଗ୍ୟଜନକ । ଏଣୁ ଆଗାମୀ ଜୁନ ୨୫ ତାରିଖରେ‌ ସରକାରଙ୍କୁ ଚେତେଇ ଦେବାପାଇଁ ଭବାନୀପାଟଣା କଲେଜ ଛକ ଠାରେ ବିକ୍ଷୋଭ ଓ କୁଶପୁତ୍ତଳିକା ଦାହ କରାଯିବ ବୋଲି ରାଜ୍ୟ ଛାତ୍ର ବିଜେଡି କାର୍ଯକାରୀ ସଭାପତି ଅବିନାଶ ଠାକୁର, ଯୁବ ବିଜେଡି ସଭାପତି ଆଦିତ୍ୟ ନନ୍ଦ, ରାଜ୍ୟ ଯୁବ ବରିଷ୍ଠ ଉପ ସଭାପତି ମଣ୍ଟୁ ନାଏକ, ଜୋନ ସଭାପତି ମନିନ୍ଦ୍ର ମହାନ୍ତି, ରାଜ୍ୟ ସହ ସମ୍ପାଦିକ ରବି ପଟ୍ଟନାୟକ, ଜିଲ୍ଲା ଛାତ୍ର ବିଜେଡି ସଭାପତି ଅଜିତ କୁମାର ସାହୁ, ଯୁବନେତା ସେନାପତି ନାଏକ, ପ୍ରଶାନ୍ତ ନାଏକ, ଦିନେଶ ବଗର୍ତ୍ତି, କ୍ଷୀରସିନ୍ଧୁ ନାଏକ, ରାଜୀବ ଲୋଚନ ଶତପଥି, ଶିବା ସାହୁ, ନିଳାମ୍ବର ସାହୁ, ଅମିତ ଯାଦବ ପ୍ରମୁଖ ଜଣାଇଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.