ବନ୍ୟା ସ୍ରୋତରେ ଭାସିଯାଇ ଜଣଙ୍କର ମୃତ୍ୟୁ

ପରିବାରକୁ ତୁରନ୍ତ ସରକାରୀ ସହାୟତା ଯୋଗାଇଦେବାକୁ ଦାବି କଲେ ବସ୍ତା ବିଧାୟିକା ସୁବାସିନୀ ଜେନା

ଓଡ଼ିଆ ବାର୍ତ୍ତା/ ବାଲେଶ୍ଵର (କୃଷ୍ଣ କୁମାର ମହାନ୍ତି): ବନ୍ୟାରେ ଜିରୋ କାଜୁଆଲିଟିକୁ ନେଇ ସରକାର ଡିଣ୍ଡିମ ପିଟୁଥିବା ବେଳେ ବସ୍ତା ଅଞ୍ଚଳରେ ଯାଇଛି ଏକ ଜୀବନ। ବନ୍ୟାର ସ୍ରୋତରେ ଭାସିଯାଇ ପ୍ରାଣ ହରାଇଛନ୍ତି ବସ୍ତା ବ୍ଲକ ଇଡିଦା ପଞ୍ଚାୟତ କାଳନ୍ଦା ଗ୍ରାମର ୫୦ ବର୍ଷୀୟ ଶତ୍ରୁଘ୍ନ ବିନ୍ଧାଣି। ଗତ ତିନି ଚାରିଦିନ ଧରି ଜଳକା ନଦୀର ବନ୍ୟାରେ ବସ୍ତା ବ୍ଲକର ବିଭିନ୍ନ ପଞ୍ଚାୟତ ବିପର୍ଯ୍ୟସ୍ତ ଅବସ୍ଥାରେ ଥିବା ବେଳେ ସୋମବାର ବାସୁଚକୁରାଇ ଠାରେ ରାସ୍ତା ଉପରେ ଚାରି ଫୁଟ ଉଚ୍ଚର ପାଣି ପ୍ରବାହିତ ହେଉଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ ରାସ୍ତାକୁ ବନ୍ଦ କରାଯାଇନଥିଲା। ଫଳସ୍ୱରୂପ ସୋମବାର ସନ୍ଧ୍ୟା ସମୟରେ ବାସୁଚାକୁରାଇ ହାଟକୁ ଅତ୍ୟାବଶ୍ୟକୀୟ ସାମଗ୍ରୀ କିଣିବାକୁ ଇଡିଦା ପଞ୍ଚାୟତ କାଳନ୍ଦା ଗ୍ରାମର ଶତ୍ରୁଘ୍ନ ବିନ୍ଧାଣି ଆସିଥିଲେ ଏବଂ ହାଟରୁ ଫେରିବା ସମୟରେ ବନ୍ୟା ପାଣିରେ ଭାସି ଯାଇଥିଲ। ତେବେ ରାତି ସାରା ତାଙ୍କର ପରିବାର ପକ୍ଷରୁ ଖୋଜା ଖୋଜି କରୁଥିବା ବେଳେ ମଙ୍ଗଳବାର ସକାଳ ସମୟରେ ଗଣମାଧ୍ୟମ ପ୍ରତିନିଧିଙ୍କ ସହଯୋଗ କ୍ରମେ ଘଟଣା ସ୍ଥଳରେ ଏନ.ଡି.ଆର.ଏଫ, ଅଗ୍ନିଶମ ଏବଂ ପୋଲିସ ପହଞ୍ଚି ୨୦ଫୁଟ ଗଭୀର ନଦୀ ଭିତରୁ ଶବକୁ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ବସ୍ତା ମେଡ଼ିକାଲକୁ ପଠାଇଥିଲେ। ଘଟଣାର ଖବର ପାଇ ବସ୍ତା ବିଧାୟିକା ସୁବାସିନୀ ଜେନା ଡାକ୍ତରଖାନାରେ ପହଞ୍ଚି ଗଭୀର ଶୋକ ପ୍ରକାଶ କରିବା ସହ ଶୀଘ୍ର ଶବ ବ୍ୟବଚ୍ଛେଦ ପାଇଁ ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ। ଏଥିସହ ଉକ୍ତ ପରିବାରକୁ ତୁରନ୍ତ ସରକାରୀ ସହାୟତା ଯୋଗଦେବା ପାଇଁ ପ୍ରଶାସନ ନିକଟରେ ଦାବୀ କରିଥିଲେ। ତେବେ ଘଟଣାକୁ ନେଇ ବସ୍ତା ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.