ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲାରେ ଦୀର୍ଘ ୨୦ ବର୍ଷ ଧରି ଚାଲି ଆସୁଛି ରଥଯାତ୍ରା । ରଥଯାତ୍ରାରେ ଚତୁର୍ଦ୍ଧା ମୁର୍ତ୍ତି ମାଉସୀ ମନ୍ଦିରରେ ରହି ଚାରିଦିନ ହେଲା ପୂଜା ପାଉଛନ୍ତି । ଗତ ତା.୨୭/୬ ରେ ନର୍ଲାରେ ରଥଯାତ୍ରା ଅନୁଷ୍ଠିତ ହୋଇ ଶିଶୁ ମନ୍ଦିର ଛକରୁ ନର୍ଲା ମାର୍କେଟ କମ୍ପେ୍ଲକ୍ସ ଯାଏଁ ରଥ ଟଣଯାଇ ସେଠାରେ ରହଣି କରିଥିଲେ ତିନି ଠାକୁର । ପ୍ରସିଦ୍ଧ ସଂକୀର୍ତ୍ତନ ଗୁରୁ ବିଜୟ ପଣ୍ଡା ତିନି ଠାକୁରଙ୍କ ବାଟ ରହଣୀର ଦାଇତ୍ୱ ତୁଲାଇ ରଥ ଉପରେ ରହିଥିବା ଠାକୁର ମାନଙ୍କୁ ଭୋଗରାଗ ଅର୍ପଣ କରିବା ସହ ରଥ ନିକଟସ୍ଥ ବିଶ୍ରାମ ଗୃହରେ ରାତ୍ର ୧୦ ଯାଏଁ ଭଜନ କୀର୍ତ୍ତନର ବ୍ୟବସ୍ଥା କରିଥିଲେ । ପରଦିନ ପୁଣି ଶ୍ରୀ ଜୀଉ ମାନଙ୍କ ରଥଯାତ୍ରା ସଂଧ୍ୟା ୫ ଘଣ୍ଟା ସମୟରେ ଅନୁଷ୍ଠିତ ହୋଇଥିଲା । ରଥଯାଇ ନବୋଦୟ ରାସ୍ତା ଛକ ମେନ୍ରୋଡ ପାଖରେ ରହିଯିବା ପରେ ଭକ୍ତ ମଧୁସୁଦନ ପାଢୀ, ପଦ୍ମଲୋଚନ ପଣ୍ଡା, ପୂର୍ଣ୍ଣ ପଣ୍ଡା, ସଞ୍ଜୟ ପଣ୍ଡା, ମନ୍ମୟ ଚାନ୍ଦ, ନାରାୟଣ ପଣ୍ଡା, ସୁଦାମ ପଣ୍ଡା, ସୁରେନ୍ଦ୍ର ଚାନ୍ଦ୍, ମହେଶ ଚାନ୍ଦ, ସୁଶାନ୍ତ ଚାନ୍ଦ୍, ପ୍ରଶାନ୍ତ ପଣ୍ଡା, ଅଜୟ ନନ୍ଦ, ପ୍ରଭୋବ ଚାନ୍ଦ ପ୍ରମୁଖ ପଣ୍ଡା ଶ୍ରୀ ଜୀଉ ମାନଙ୍କୁ ପହଣ୍ଡି କରି ଦୁର୍ଗା ମଣ୍ଡପ ସମ୍ମୁଖସ୍ଥ ମାଉସୀ ମନ୍ଦିରକୁ ନେଇଥିଲେ । ପୂର୍ବରୁ ଠାକୁର ମାନଙ୍କ ଆସିବା ପଥକୁ ଅପେକ୍ଷା କରି ରହି ମାଉସୀ ମଉସା ଦାଇତ୍ୱ ନିର୍ବାହନ କରୁଥିବା ନର୍ଲାର ସୁକାନ୍ତ ଚାନ୍ଦ ଓ ସ୍ମୃତିଶ୍ରଦ୍ଧା ଚାନ୍ଦ ଦମ୍ପତି ଠାକୁର ମାନଙ୍କୁ ପାଛୋଟି ନେଇଥିଲେ ମନ୍ଦିର ଭିତରକୁ ସେଠାରେ ଠାକୁର ମାନଙ୍କ ପଦ ପ୍ରକ୍ଷାଳନ ପରେ ଛେନାପୋଡ, ନଡିଆ ଗଜା, ମିଠା, ପୋଡପିଠା, ରସାବଳୀ ପ୍ରଭୃତି ଷୋଡଶ ଉପଚାର ଦେଇ ପୂଜା କରିଥିଲେ । ମାଉସୀ ଘର ପରିବାର ତରଫରୁ ସଞ୍ଜୀବ ଚାନ୍ଦ, ଅଭୟ ଚାନ୍ଦ, ଅଜିତ ଚାନ୍ଦ, କିଶୋର ଚାନ୍ଦ, ମୃତ୍ୟୁଞ୍ଜୟ ଚାନ୍ଦ ଓ ଅନେକ ମହିଳା ଭକ୍ତ ଉପସ୍ଥିତ ରହି ଠାକୁର ମାନଙ୍କୁ ସ୍ୱାଗତ କରିଥିଲେ । ନର୍ଲାର ବରିଷ୍ଠ ନାଗରିକ ଚନ୍ଦ୍ରଶେଖର ପୁଝାରୀ ଓ ଚୁଳମଣି ଗଉଡିଆ ଛେରା ପହରା କାର୍ଯ୍ୟ ସମ୍ପାଦନ କରିଥିବା ବେଳେ ଭକ୍ତ ପ୍ରଶାନ୍ତ ପଣ୍ଡା ଓ ଅଜୟ ନନ୍ଦ ସୁଦର୍ଶନ ଓ ଗରୁଡ ଭଗବାନଙ୍କୁ ମନ୍ଦିର ଯାଏଁ ନେଇଥିଲେ । ସଂଧ୍ୟା ୭ ଘଣ୍ଟା ସମୟରେ ସାଂଧ୍ୟ ଆଳତୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ରାତି ୮ ଯାଏଁ ମାଉସୀ ମନ୍ଦିରରେ ଶ୍ରୀ ଜୀଉ ମାନଙ୍କ ପୂଜା ପାଠ ଚାଲିଥିଲା । ରାତିରେ ଭଜନ ସଂଧ୍ୟା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଠାକୁର ମାନେ ୯ ଦିନ ଯାଏଁ ମାଉସୀ ମନ୍ଦିରରେ ପୂଜା ପାଇବା ପରେ ବାହୁଡା ଯାତ୍ରାକରି ବାହୁଡିବେ ବୋଲି ମୁଖ୍ୟ ଆୟୋଜକ ତଥା ରଥଯାତ୍ରା କମିଟିର ସଭାପତି ଚିରଞ୍ଜିବୀ ଗୌଡିଆ ପ୍ରକାଶ କରିଛନ୍ତି ।