ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ସାମାଜିକ ଗଣମାଧ୍ୟମରେ ଠକମାନେ ବିଭିନ୍ନ କମ୍ପାନୀରେ ଚାକିରୀ କରାଇଦେବା ଆଶା ଦେଖାଇ ବିଜ୍ଞାପନ ଜାଲ ବିଛାଇ ଆସୁଛନ୍ତି। ତେବେ ଚାକିରୀ ଆଶାୟୀ ଅନେକ ଯୁବପିଢୀ ଏହି ଠକମାନଙ୍କ ଠାରୁ ବର୍ତ୍ତିପାରି ପାରୁନାହାନ୍ତି। ବିଭିନ୍ନ ସମୟରେ ଠକାମୀର ଶିକାର ଓ ଅପହରଣ ଭଳି ଖବର ମଧ୍ୟ ସାମ୍ନାକୁ ଆସୁଛି। ଠିକ୍ ଏପରି ଏକ ଘଟଣା କୋକସରା ଥାନା ଅଞ୍ଚଳର ଜଣେ ଯୁବତୀଙ୍କ ସହ ଘଟିଛି। ସାମାଜିକ ଗଣମାଧ୍ୟମରେ ଯୁବତୀ ଜଣକ ବିଜ୍ଞାପନ ଦେଖି ଯୋଗାଯୋଗ କରିଥିଲେ, ଏବଂ ପରବର୍ତ୍ତୀ ସମୟରେ ଚାକିରୀ ପାଇଁ ରାଜସ୍ଥାନ ସହରକୁ ଯାଇ ନିର୍ଯାତନା ଶିକାର ହୋଇଛନ୍ତି। ନିର୍ଯାତିତା ଯୁବତୀ ଜଣକ କୋକସରା ଥାନା ଲଡୁଗାଁ ଅଞ୍ଚଳର ବୋଲି ଜଣାପଡିଛି। ସୂଚନା ଅନୁସାରେ, ଝିଅ ଗତ ୫ଦିନ ତଳେ ନିଖୋଜ ହୋଇଥିବା ଓ ପରବର୍ତ୍ତୀ ସମୟରେ ରାଜସ୍ଥାନରେ ଚାକିରୀ ପାଇଁ ଆସିଥିବା ଏବଂ ତାଙ୍କୁ ଆଶା ଦେଖାଇ ଆଣିଥିବା ଯୁବକ ଦ୍ବାରା ନିର୍ଯାତନାର ଶିକାର ହୋଇଥିବା ସନ୍ଧାନ ମିଳିଥିବା ପରେ ଝିଅର ମାଆ ଗତ ୧୫ ତାରିଖରେ କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲଙ୍କୁ ଜଣାଇଥିଲେ। ଏନେଇ ବ୍ଳକ ଉପାଧ୍ୟକ୍ଷ ତୁରନ୍ତ ଜିଲ୍ଲା ପ୍ରଶାସନକୁ ଜଣାଇଥିଲେ। ଏହାପରେ ଜିଲ୍ଲା ପୋଲିସ ପ୍ରଶାସନର ସହଯୋଗ କରି ସେଠାକାର ଲୋକଙ୍କ ପୋଲିସ ଷ୍ଟେସନ ସହ ଯୋଗାଯୋଗ କରିଥିଲେ। ଏହା ପରେ ବ୍ଳକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ ଅନ୍ୟ ଜଣେ ସାଥି ଯୁବକ ରବିନାରାୟଣ ଦାସଙ୍କ ସହ ରାଜସ୍ଥାନ ଯାଇ ସେଠାକାର ଉଦୟପୁର ଥାନା ଅନ୍ତର୍ଗତ ପ୍ରତାପ ନଗର ପୋଲିସ ଫାଣ୍ଡିରୁ ଝିଅକୁ ସୁରକ୍ଷିତ ଭାବେ ପାଇ ଫ୍ଳାଇଟ୍ ଯୋଗେ ନିଜ ଗାଁକୁ ଆଣୁଥିବା ସୂଚନା ମିଳିଛି। ଏହି ଖବର ପରେ ଝିଅ ପରିବାର ସମେତ ଅଞ୍ଚଳବାସୀ ବ୍ଳକ ଉପାଧ୍ୟକ୍ଷଙ୍କ ମହାନିୟତାକୁ ପ୍ରଶଂସା କରିବା ସହ ସାଧୁବାଦ ଜଣାଇଛନ୍ତି।