ଲାଞ୍ଜିଗଡ଼ ଆଶ୍ରମ ପଡ଼ା ପ୍ରାଥମିକ ବିଦ୍ୟାଳୟରେ ଆସ ସ୍କୁଲ ଯିବା କାର୍ଯ୍ୟକ୍ରମ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ଲାଞ୍ଜିଗଡ଼ ଆଶ୍ରମ ପଡ଼ା ସରକାରୀ ପ୍ରାଥମିକ ବିଦ୍ୟାଳୟ ଠାରେ ‘ଆସ ସ୍କୁଲ ଯିବା’ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟ ପ୍ରଧାନ ଶିକ୍ଷୟତ୍ରୀ କାମିନୀ ରାୟଙ୍କ ତତ୍ବାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସହ ଶିକ୍ଷୟିତ୍ରୀ ହେମାମାଳିନୀ ସାହୁ, ଦୁର୍ଯ୍ୟୋଧନ ନାଏକ, ସ୍କୁଲ ପରିଚାଳନା ସଭାପତି ସୁଦର୍ଶନ ମୁଣ୍ଡା ଅଙ୍ଗନବାଡ଼ି କର୍ମୀ ସବିତା ମୁଣ୍ଡା, ଆଶା କର୍ମୀ ଓ ସ୍ବୟଂ ସହାୟକ ଗୋଷ୍ଠୀର ମହିଳାମାନେ ଉପସ୍ଥିତ ଥିଲେ। ରାଜ୍ୟରେ ଡ୍ରପ୍‌ଆଉଟ୍‌ ରୋକିବାକୁ ରାଜ୍ୟ ସରକାର ଅଭିନବ ପଦକ୍ଷେପ ଗ୍ରହଣ କରିଛନ୍ତି। ଘରକୁ ଘର ବୁଲି ଶିକ୍ଷକ ଶିକ୍ଷୟିତ୍ରୀ ପିଲାଙ୍କ ସର୍ଭେ ପରେ ଏବେ ସା‌ରା ରାଜ୍ୟରେ ‘ଆସ ସ୍କୁଲ ଯିବା’ ଅଭିଯାନ ‌କରାଯାଉଛି। ଯେଉଁଥିରେ ବିଦ୍ୟାଳୟ ବାହାରେ ଥିବା ପିଲାଙ୍କୁ ବିଦ୍ୟାଳୟକୁ ଫେରାଇ ଆଣିବା, ଆଦୌ ବିଦ୍ୟାଳୟ ଯାଇ ନ ଥିବା ପିଲାଙ୍କୁ ବୟସ ଅନୁଯାୟୀ ଶ୍ରେଣୀରେ ନାମଲେଖାଇବା, ଶିକ୍ଷାର ମୁଖ୍ୟସ୍ରୋତରେ ସାମିଲ ହୋଇଥିବା ପିଲାଙ୍କ ପାଠପଢ଼ାକୁ ଜାରି ରଖିବା ଓ ପୁନର୍ବାର ପାଠପଢ଼ା ନ ଛାଡ଼ିବାକୁ ଆବଶ୍ୟକ ପଦକ୍ଷେପ ଏବଂ ପିଲାଙ୍କ ମଧ୍ୟରେ ଶିକ୍ଷଣ ଫଳାଫଳର ସ୍ତରକୁ ଅଭିବୃଦ୍ଧି ଓ ଶିକ୍ଷଣ ବ୍ୟବଧାନକୁ ହ୍ରାସ କରିବାକୁ ପ୍ରାଥମିକତା ଦିଆଯିବ। ଗୃହ ସର୍ବେକ୍ଷଣ ତଥ୍ୟ ଅନୁଯାୟୀ ପ୍ରତି ବିଦ୍ୟାଳୟକୁ ପାଠ ଛାଡ଼ିଥିବା ଏବଂ ଆଦୌ ନାମ ଲେଖାଇ ନ ଥିବା ପିଲାଙ୍କ ତାଲିକା ଦିଆଯିବ। ତଥ୍ୟ ଆଧାରରେ ଶିକ୍ଷକ ଶିକ୍ଷୟିତ୍ରୀ ଘରକୁ ଘର ବୁଲି ଚିହ୍ନଟ ହୋଇଥିବା ପିଲା ଓ ସେମାନଙ୍କ ପିତାମାତାଙ୍କୁ ବିଦ୍ୟାଳୟରେ ନାମ ଲେଖାଇବାକୁ ପରାମର୍ଶ ଦେଇଥିଲେ। ଶେଷରେ ଏହାକୁ ନେଇ ଲାଞ୍ଜିଗଡ଼ ଠାରେ ଛାତ୍ରଛାତ୍ରୀଙ୍କୁ ନେଇ ଏକ ସଚେତନତା ପରିକ୍ରମା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.