ଉତ୍କଳୀୟ ସଂସ୍କୃତିରେ ଗହ୍ମା ପୂର୍ଣ୍ଣିମା 

କଳା, ସଂସ୍କୃତି, ଐତିହ୍ୟ, ପରମ୍ପରା ସମ୍ପନ୍ନ ରାଜ୍ୟ ଓଡ଼ିଶାରେ ବାର ମାସରେ ତେର ପର୍ବ ପାଳନ କରାଯାଉଥିବା ବେଳେ ଗହ୍ମା ପୂର୍ଣ୍ଣିମା ଓ ରକ୍ଷା ବନ୍ଧନ ଅନ୍ୟତମ। ସାରା ଭାରତବର୍ଷରେ ଶ୍ରାବଣ ପୂର୍ଣ୍ଣିମା ଦିନ ରକ୍ଷା ବନ୍ଧନ ପର୍ବ ପାଳିତ ହୋଇଥାଏ। ତେବେ ଏହା ଉତ୍କଳୀୟ ସଂସ୍କୃତିର ଏକ ମହାନ ପର୍ବ ଭାବେ ଖ୍ୟାତ। ଗହ୍ମା ପୂର୍ଣ୍ଣିମାକୁ ପ୍ରଭୁ ବଳଭଦ୍ରଙ୍କ ଜନ୍ମ ତିଥି ଭାବେ ଗ୍ରହଣ କରାଯାଏ। ହଳ ମୂଷଳ ଧାରଣ କରିଥିବା ମହାପ୍ରଭୁ ବଳଭଦ୍ରଙ୍କୁ ସମ୍ମାନ ଜଣାଇ ଏହି ଦିନ ଗୋମାତାଙ୍କୁ ପୂଜା କରାଯାଏ। ସେମାନଙ୍କୁ ଗାଧୋଇ ଦିଆଯାଇ ତାଙ୍କ ଶିଙ୍ଗରେ ସୂତା (ରାକ୍ଷୀ) ବାନ୍ଧିବା ଏବଂ ପିଠା ଖାଇବାକୁ ଦେବାର ପରମ୍ପରା ରହିଛି। ଓଡ଼ିଶାର ସବୁଆଡ଼େ ଅତି ଆନନ୍ଦ ଉଲ୍ଲାସରେ ଏହି ପର୍ବ ପାଳିତ ହେଉଥିବା ବେଳେ କୃଷକ ପରିବାରମାନଙ୍କରେ ପାରଂପରିକ ରିତିନିତି ଓ କୂଳାଚାର ଭିତ୍ତିରେ ଏହା ସଂପନ୍ନ ହୋଇଥାଏ। ଓଡ଼ିଶାର କେତେକ ଅଞ୍ଚଳରେ ଏହି ଦିନ ଗହ୍ମା ଡିଆଁ ମଧ୍ୟ ଅନୁଷ୍ଠିତ ହୋଇଥାଏ। ଗୋମାତାଙ୍କ ପୂଜା ସାରି ଚାଷୀମାନେ ନିଜ ନିଜ ଜମିବାଡ଼ିରେ ମଧ୍ୟ ଫୁଲ, ଦୀପ ଏବଂ ପିଠା ଦାନକରି ଭଲ ଫସଲ ଅମଳ ପାଇଁ ପ୍ରାର୍ଥନା କରିଥାନ୍ତି। ଏହି ସମୟରେ ଚାଷବାସ ଶେଷ ପର୍ଯ୍ୟାୟରେ ପହଞ୍ଚି ଥିବାରୁ ଚାଷୀ ପରିବାର ଓ ପାଖ ପଡେ଼ାଶୀଙ୍କ ସହ ଖୁସି ମନାଇଥାଏ। ଶ୍ରୀମନ୍ଦିରରେ ମହାପ୍ରଭୁ ବଳରାମଙ୍କ ପବିତ୍ର ଜନ୍ମୋତ୍ସବ ସ୍ବତନ୍ତ୍ର ବିଧି ବିଧାନର ସହ ଅନୁଷ୍ଠିତ ହୋଇଥାଏ। ରାକ୍ଷୀ ପୂର୍ଣ୍ଣିମା ମଧ୍ୟ ଶ୍ରୀମନ୍ଦିରରେ ପାଳନ କରାଯାଇଥାଏ। ଦେବୀ ସୁଭଦ୍ରା ତାଙ୍କ ବଡ଼ଭାଇ ବଳଭଦ୍ର ଓ ଜଗନ୍ନାଥଙ୍କ ହାତରେ ରାକ୍ଷୀ ବାନ୍ଧିଥାନ୍ତି।
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.