ଭାଇ ଉଉଣୀଙ୍କ ପବିତ୍ର ବନ୍ଧନ ହେଉଛି ‘ରକ୍ଷା ବନ୍ଧନ’ ପର୍ବ। ଏହା ମନେପକେଇ ଦିଏ ଭାଇ-ଭଉଣୀଙ୍କ ସ୍ନେହ ଓ ପ୍ରେମର କାହାଣୀ। ଏନେଇ ଏହି ଉତ୍ସବ ସେମାନଙ୍କ ପାଇଁ ସ୍ୱତନ୍ତ୍ର ହୋଇଥାଏ। ଭଉଣୀ ଭାଇ ହାତରେ ରାକ୍ଷୀ ବାନ୍ଧି ନିଜ ଭାଇ ପ୍ରତି ଥିବା ପ୍ରେମକୁ ଦର୍ଶାଇଥିବାବେଳେ ଭାଇ ମଧ୍ୟ ସାରା ଜୀବନ ଭଉଣୀକୁ ସୁରକ୍ଷା ଦେବାକୁ ପ୍ରତିଜ୍ଞା କରିଥାଏ। ଏହି ବିଶେଷ ଅବସରରେ ଭାଇ ଓ ଭଉଣୀମାନେ ପରସ୍ପରକୁ ଉପହାର ଦେଇ ଖୁସି ମନେଇଥାନ୍ତି। ଭାଇ ହାତରେ ବନ୍ଧା ଯାଉଥିବା ସାଧାରଣ ସୂତାଟିଏ ଭଉଣୀ ପାଇଁ ସାରା ଜୀବନ ସାଜିଯାଏ ରକ୍ଷା କବଚ। ଏହି ସ୍ନେହ-ପ୍ରେମର ବନ୍ଧନରେ ବାନ୍ଧି ହୋଇ ଭାଇ ନିଜ ଭଉଣୀର ସୁରକ୍ଷା ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିବାକୁ ରାଜି ହୋଇଯାଏ। ତେବେ ଏହି ପ୍ରରମ୍ପରା ଆଜିକାଲିର ନୁହେଁ, ଏହା ଅତି ପ୍ରାଚ଼ୀନ। ପୁରାଣ ଓ ଇତିହାସରେ ରହିଛି ରକ୍ଷାବନ୍ଧନକୁ ନେଇ ଅନେକ ରୋଚକ କାହାଣୀ। ଅସୁର ସମ୍ରାଟ ବଳି ଭଗବାନ ବିଷ୍ଣୁଙ୍କର ଜଣେ ବଡ ଭକ୍ତ ଥିଲେ, ତାଙ୍କ ଉପରେ କୈାଣସି ବିପଦ ଆସୁ ଏହା ବିଷ୍ଣୁ ଚାହୁଁ ନଥିଲେ। ତେଣୁ ବଳି ଉପରେ ବିପଦ ଥିବା ଜାଣି ବିଷ୍ଣୁ ବୈକୁଣ୍ଠ ତ୍ୟାଗକରି ବଳିଙ୍କ ରାଜପ୍ରାସାଦରେ ଅବସ୍ଥାନ କଲେ। ତେଣେ ମହାଲକ୍ଷ୍ମୀ ଏହା ଚାହୁଁ ନଥିଲେ। ସେ ଚାହୁଁ ଥିଲେ ବିଷ୍ଣୁ ତାଙ୍କ ସହ ବୈକୁଣ୍ଠରେ ଅବସ୍ଥାନ କରନ୍ତୁ। ଏହାର ଏକ ଉପାୟ ଚିନ୍ତାକରି ଲକ୍ଷ୍ମୀ ବଳିକୁ ଭେଟିଲେ। ଶ୍ରାବଣ ପୂର୍ଣ୍ଣମୀରେ ସେ ବଳି ହାତରେ ରାକ୍ଷୀ ବାନ୍ଧି ଦେଇଥିଲେ। ଏହାପରେ ଜଣେ ଭାଇ ହିସାବରେ ଲକ୍ଷ୍ମୀଙ୍କ କଥା ବୁଝିବା ବଳିଙ୍କର କର୍ତ୍ତ୍ୟବ୍ୟ ଥିଲା। ଲକ୍ଷ୍ମୀ କ’ଣ ଚାହୁଛନ୍ତି ଜାଣିବାପରେ ସେ ବିଷ୍ଣୁଙ୍କୁ ବୈକୁଣ୍ଠରେ ରହିବାକୁ ଅନୁରୋଧ କରିଥିଲେ। ମହାଭାରତରେ ମଧ୍ୟ ଏପରି ଏକ ପୌରାଣିକ କାହାଣୀ ରହିଛି। କାହାଣୀଟି ଯଦୁପତି ଭଗବାନ କୃଷ୍ଣ ଓ ଦ୍ରୌପଦୀଙ୍କୁ ନେଇ। ଭଗବାନ ଶ୍ରୀକୃଷ୍ଣ ଅତ୍ୟାଚାରୀ ଶିଶୁପାଳକୁ ବଧ କରିବା ସମୟରେ ତାଙ୍କର ଅଙ୍ଗୁଳି କଟିଯାଇଥିଲା। ସେଥିରୁ ରକ୍ତ ବାହାରିବା ଦେଖି ଦ୍ରୌପଦୀ ନିଜ ପିନ୍ଧା ଶାଢ଼ୀ ଚିରି ସେଥିରେ ଗୁଡ଼ାଇ ଦେଇଥିଲେ, ଫଳରେ ରକ୍ତ ବନ୍ଦ ହେଇଯାଇଥିଲା। ଦ୍ରୌପଦୀଙ୍କ ମଧ୍ୟରେ ଶ୍ରୀକୃଷ୍ଣ ଭଉଣୀର ସ୍ନେହ ପାଇଥିଲେ। ଯେତେବେଳେ କୁରୁସଭାରେ ଦ୍ରୌପଦୀଙ୍କୁ କୌରବମାନେ ବିବସନା କରିବାକୁ ଉଦ୍ୟତ ହେଲେ ସେତେବେଳେ ଶ୍ରୀକୃଷ୍ଣ ଲକ୍ଷେ ବସ୍ତ୍ର ଦାନକରି ଦ୍ରୌପଦୀଙ୍କ ସମ୍ମାନ ରକ୍ଷା କରିଥିଲେ।