କ୍ରାନ୍ତି ଠାରୁ ମୁକ୍ତି: ସ୍ୱାଧୀନତା ପୂର୍ବସନ୍ଧ୍ୟାରେ ଅଗଷ୍ଟର ଆତ୍ମାକୁ ସ୍ମରଣ କଲା ଫକୀରମୋହନ ବିଶ୍ୱବିଦ୍ୟାଳୟ

ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ସ୍ୱାଧୀନତା ଦିବସ ପୂର୍ବ ସନ୍ଧ୍ୟାରେ, ଫକୀରମୋହନ ବିଶ୍ୱବିଦ୍ୟାଳୟରେ ‘କ୍ରାନ୍ତି ଠାରୁ ମୁକ୍ତି: ଅଗଷ୍ଟର ଆତ୍ମାକୁ ସ୍ମରଣ’ ଶୀର୍ଷକରେ ଏକ ପ୍ରେରଣାଦାୟୀ ସେମିନାର ଆୟୋଜିତ ହୋଇଅଛି। ଏହି ସେମିନାରଟି ଭାରତର ସ୍ୱାଧୀନତା ସଂଗ୍ରାମକୁ ଗଢି ତୋଳିଥିବା ସାହସ, ବଳିଦାନ ଓ ଦୃଷ୍ଟିକୋଣକୁ ସ୍ମରଣ କରିବା ସହିତ ଅତୀତରେ ଅଗଷ୍ଟ ମାସରେ ଘଟିଥିବା ଆନ୍ଦୋଳନମାନଙ୍କ ଐତିହ୍ୟକୁ ଆଧୁନିକ ଓ ପ୍ରଗତିଶୀଳ ଜାତିର ଆକାଂକ୍ଷା ସହିତ ଏକ ସେତୁବନ୍ଧ ଗଠନ କରିବାରେ କେନ୍ଦ୍ରିତ ହୋଇଥିଲା।

ସେମିନାରର ଉଦଘାଟନ କରି, କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ନିଜ ଉଦବୋଧନ ପ୍ରଦାନ କରିଥିଲେ। ବିଶେଷକରି ୧୯୪୨ର ଅଗଷ୍ଟ କ୍ରାନ୍ତି (ଭାରତ ଛାଡ଼ୋ ଆନ୍ଦୋଳନ) ଭଳି ଗଣଆନ୍ଦୋଳନମାନଙ୍କ ପରିବର୍ତ୍ତନଶୀଳ ପ୍ରଭାବ ବିଷୟରେ ଆଲୋଚନା କରିବା ସହ ଆଜିର ଯୁବ ସମାଜକୁ ସେହି ସହନଶୀଳତା, ଏକତା ଓ ଦେଶଭକ୍ତିକୁ ଅନୁସରଣ କରି ଆଧୁନିକ ସମସ୍ୟାମାନଙ୍କ ସମାଧାନରେ ନିୟୋଜିତ ହେବାକୁ ଆହ୍ୱାନ କରିଥିଲେ ଓ ବିଭିନ୍ନ ପ୍ରକାର ତଥ୍ୟ ସଂଗ୍ରହ କରିବା ପାଇଁ ମନୋମୁକ୍ତତା ସହିତ ଜ୍ଞାନ ଅର୍ଜନ କରିବାର ପରାମର୍ଶ ଦେଇଥିଲେ ।

ମୁଖ୍ୟ ବକ୍ତା ଭାବେ ଡା. ସୋମା ଚାନ୍ଦ (ପୂର୍ବତନ ବିଭାଗାଧ୍ୟକ୍ଷ, ଇତିହାସ ବିଭାଗ, ଉତ୍କଳ ବିଶ୍ୱବିଦ୍ୟାଳୟ) ଯୋଗଦେଇ, “କ୍ରାନ୍ତି” (ବିପ୍ଳବୀୟ ଉତ୍ଥାନ) ଠାରୁ “ମୁକ୍ତି” (ସ୍ୱାଧୀନତା) ପର୍ଯ୍ୟନ୍ତ ଭାରତ ଓ ଓଡ଼ିଶାର ଯାତ୍ରାକୁ ଉଲ୍ଲେଖ କରି, ସ୍ୱାଧୀନତା ସଂଗ୍ରାମର ଆଦର୍ଶଗୁଡ଼ିକ କିପରି ଗଣତାନ୍ତ୍ରିକ ମୂଲ୍ୟବୋଧ, ନାଗରିକ କର୍ତ୍ତବ୍ୟବୋଧ ଓ ଦେଶର ଉନ୍ନତି ଦୃଷ୍ଟିକୋଣକୁ ଆଜି ପର୍ଯ୍ୟନ୍ତ ପ୍ରଭାବିତ କରୁଛି, ସେଥିରେ ଆଲୋକ ପାତ କଲେ। ଏଥିସହ ସେ, ବର୍ଷର ପ୍ରତ୍ୟେକ ମାସର ମାନବିକ ଓ ସାମାଜିକ ମହତ୍ତ୍ୱକୁ ମଧ୍ୟ ଉଲ୍ଲେଖ କରିଥିଲେ।

ଡକ୍ଟର ଶିଖାଶ୍ରୀ ରାୟ, ପ୍ରାରମ୍ଭିକ ଉପସ୍ଥାପନରେ, ଓଡ଼ିଶା ଓ ବାଲେଶ୍ୱରର ଅନେକ ଅପରିଚିତ ବ୍ୟକ୍ତିତ୍ବ କିନ୍ତୁ ସ୍ୱାଧୀନତା ସଂଗ୍ରାମରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ରଖିଥିବା ସାଧାରଣ ବୀରମାନଙ୍କ ଉପରେ ଆଲୋକପାତ କରିଥିଲେ। ଡକ୍ଟର ପବିତ୍ର ମୋହନ ନାୟକ, ନିଜ ଭାଷଣରେ ଅଗଷ୍ଟ ଆନ୍ଦୋଳନର ଆତ୍ମାକୁ “ଆଜାଦୀ କା ଅମୃତ ମହୋତ୍ସବ” ସହିତ ଯୋଡ଼ିବା ସହ ଏହାର ଜାତି ଗଠନରେ ଭୂମିକା ତଥା ମହତ୍ତ୍ୱକୁ ବ୍ୟାଖ୍ୟା କରିଥିଲେ।ଛାତ୍ରଛାତ୍ରୀଙ୍କ ସହ ଏକ ସକ୍ରିୟ ଆଲୋଚନା ସଭା ସହିତ କାର୍ଯ୍ୟକ୍ରମର ସମାପନ ହେଲା, ଯେଉଁଠାରେ ସମାଜିକ ଓ ନାଗରିକ ସମସ୍ୟାମାନଙ୍କୁ ସମାଧାନ କରିବା ପାଇଁ ବଳିଦାନ, ଏକତା ଓ ଦୃଢତାର ପୂର୍ବତନ ଆଦର୍ଶଗୁଡ଼ିକୁ କିପରି ପ୍ରୟୋଗ କରାଯାଇପାରେ, ସେଥିରେ ମତବିନିମୟ ହୋଇଥିଲା।

ଇତିହାସ ଓ ପୁରାତତ୍ତ୍ୱ ବିଭାଗ, ସମାଜିକ ବିଜ୍ଞାନ ବିଭାଗ ଓ ଏନଏସଏସର ସହଯୋଗରେ ଆୟୋଜିତ, ଏହି କାର୍ଯ୍ୟକ୍ରମରେ ବିଶ୍ୱବିଦ୍ୟାଳୟର ଅଧ୍ୟାପକ, କର୍ମଚାରୀ ଓ ବହୁ ସଂଖ୍ୟକ ଛାତ୍ରଛାତ୍ରୀଙ୍କ ଉପସ୍ଥିତ ରହିଥିଲେ। କାର୍ଯ୍ୟକ୍ରମକୁ ସହକାରୀ ପ୍ରଫେସର ଅଭୟ କୁମାର ନାୟକ ପରିଚାଳନା କରିଥିଲେ ଓ ପ୍ରଫେସର ଅମୂଲ୍ୟ କୁମାର ଆଚାର୍ଯ୍ୟ ଧନ୍ୟବାଦ ଜ୍ଞାପନ କରିଥିଲେ । ଏହା ସହିତ, “ହର ଘର ତିରଙ୍ଗା” ଅଭିଯାନକୁ ସଫଳ ଓ ଉତ୍ସବମୁଖର କରିବା ପାଇଁ, ଭାରତୀୟ ଜାତୀୟ ପତାକା ତ୍ରିରଙ୍ଗାକୁ ହାତରେ ନେଇ ବହୁ ଛାତ୍ରଛାତ୍ରୀ, ଅଧ୍ୟାପକ-ଅଧ୍ୟାପିକା ଓ ଅଣଶିକ୍ଷକ କର୍ମଚାରୀଙ୍କ ଅଂଶଗ୍ରହଣରେ ଏକ ଭବ୍ୟ ଫ୍ଲାଗ ମାର୍ଚ୍ଚ ଆୟୋଜନ କରାଯାଇଥିଲା ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.