ବାଲିଗୁଡାର ପୂର୍ବତନ ବିଧାୟକ କରେନ୍ଦ୍ର ମାଝୀଙ୍କ ଦେହାନ୍ତ: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଶୋକ ପ୍ରକାଶ

ଓଡ଼ିଆ ବାର୍ତ୍ତା/ ବାଲିଗୁଡ଼ା (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ କରେନ୍ଦ୍ର ମାଝୀ (୫୩)ଙ୍କର ରବିବାର ରାତିରେ ଭୁବନେଶ୍ବର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ପରଲୋକ ଘଟିଛି । କିଡ୍‌ନିଜନିତ ରୋଗରେ ପୀଡ଼ିତ ହୋଇ ସେ ଗତକିଛି ଦିନ ହେଲା ଚିକିତ୍ସାଧୀନ ଥିଲେ। କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ବ୍ଲକ୍ ବେଲଘର ଥାନା ଗୁମା ଗ୍ରାମରେ ଜନ୍ମିତ କରେନ୍ଦ୍ର ବାଲିଗୁଡ଼ାରୁ ବିଜେପିରୁ ୨୦୦୪ ଓ ୨୦୦୯ ରେ ଦୁଇ ଥର ବିଧାୟକ ଭାବେ ଭାବେ ନିର୍ବାଚିତ ହୋଇଥିଲେ । ଆଦିମ ଜନଜାତି କୁଟିଆ କନ୍ଧ ସମ୍ପ୍ରଦାୟର ସେ ଥିଲେ ପ୍ରଥମ ଗ୍ରାଜୁଏଟ୍। ଏହାଛଡ଼ା ୭ଟି ଆଦିମ ଜନଜାତି ଭାଷାରେ ଗବେଷଣା କରି ସେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ | ଓଡ଼ିଆ ଲିପିରେ କୁଇଭାଷାରେ ‘ପିଲାଙ୍କ ରାମାୟଣ’, ‘ଡ. ଆମ୍ବେଦକରଙ୍କ ଜୀବନୀ ଓ ଇତିହାସ’ ଓ ‘କୁଇ ଭାଷା ଅଭିଧାନ’ ଭଳି ୩ଟି ପୁସ୍ତକ ସେ ରଚନା କରିଛନ୍ତି। ଜଣେ ଦକ୍ଷ ସଂଗଠକ ଭାବେ ତାଙ୍କର ପରିଚୟ ରହିଥିଲା । କରେନ୍ଦ୍ରଙ୍କ ଏହି ଅକାଳ ବିୟୋଗ ଖବର ଶୁଣିବା କ୍ଷଣି ରାଜ୍ୟର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ରାତିରେ ହିଁ ପହଞ୍ଚି ପରିବାରକୁ ସମବେଦନା ଜଣାଇବା ସହ ଅମର ଆତ୍ମାର ସଦଗତି କାମନା କରିଥଲେ। ମୁଖ୍ୟମନ୍ତ୍ରୀ ଙ୍କ ସହ ରାଜ୍ୟ ସଭାପତି ମନମୋହନ ସାମଲ, ସଙ୍ଗଠନ ସମ୍ପାଦକ ମାନସ ମହାନ୍ତି, ମନ୍ତ୍ରୀ ବିଭୂତି ଭୂଷଣ ଜେନା, ଜଗତସିଂପୁର ସାଂସଦ ବିଭୂ ତରାଇ, ବରିଷ୍ଠ ବିଜେପି ନେତା ସୁଦୀପ୍ତ ରାୟ, ଜୟନ୍ତୀ ପଢ଼ିଆରୀ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ପହଞ୍ଚି ପରିବାର ବର୍ଗ କୁ ସମବେଦନା ଜଣାଇଛନ୍ତି। କରେନ୍ଦ୍ରଙ୍କ ବିୟୋଗ ଉଭୟ ରାଜନୀତି ଓ ବିଜେପି ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ମତପ୍ରକାଶ କରି ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.