ସର୍ଗିଗୁଡାରେ ସମ୍ପନ୍ନ ହେଲା ରୁଗିବଟା କାର୍ଯ୍ୟକ୍ରମ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ପଶ୍ଚିମ ଓଡିଶାର ମୁଖ୍ୟ ଗଣପର୍ବ “ନୂଆଖାଇ” । ବର୍ଷର ପ୍ରଥମ ମୁଖ୍ୟ ଫସଲ ନୂଆ ଭାବରେ ଫଳିଥିବା ଧାନ ଯାହାକୁ କି ଲକ୍ଷ୍ମୀ ବୋଲି ବିଦିତ କରାଯାଉଛି । ତାକୁ ସମ୍ମାନର ସହିତ ପୂଜା କରି, ଗ୍ରାମଦେବୀଙ୍କ ନିକଟରେ ସମର୍ପଣ କରି ପରିବାର ଏକାଠି ହୋଇ ଭକ୍ଷଣ କରିବା ପରମ୍ପରାକୁ ହିଁ “ନୂଆଖାଇ” କୁହାଯାଏ ।

ଏହା ଭାଦ୍ରବ ଶୁକ୍ଲପକ୍ଷ ପଞ୍ଚମୀ ତିଥି ଗଣେଶପୂଜା ପଅର ଦିନ ଅନୁଷ୍ଠିତ ହୋଇଥାଏ। ପଶ୍ଚିମ ଓଡିଶାର ଏହାଏକ ଅନନ୍ୟ ପରମ୍ପରା । ଏହି “ନବାନ୍ନ” ପୂର୍ବରୁ ଆହୁରି ଅନେକ ବିଧି ଓ ପରମ୍ପରା ରହିଛି । ଗ୍ରାମଦେବୀ ଧରଣୀ ଦେବୀଙ୍କ ନିକଟରେ ଏଥିପାଇଁ ପୂର୍ବରୁ କେତେକ ବିଧି ବିଧାନରେ ପୂଜା ଆରମ୍ଭ କରାଯାଇଥାଏ ।

ଗାଁର ଗାଁଉଟିଆ, ଜାନୀ, ଝାକର, ଗଣା ଓ ଗାଁ ଲୋକଙ୍କ ଉପସ୍ଥିତିରେ ଗ୍ରାମର ଧରଣୀ ଦେବୀଙ୍କ ଠାରେ ପୂଜା କରିଥାନ୍ତି । ଦେବୀଙ୍କ ନିକଟରେ ଖେଡସୁଆ ହୋଇଥାଏ । ଏହି ପରମ୍ପରା ମାନଙ୍କ ମଧ୍ୟରେ “ରୁଗିବଟା” ପରମ୍ପରା ଅନନ୍ୟ ।  ନୂଆଖାଇ ପୂର୍ବ ଦିନ ଏହି “ରୁଗିବଟା” ଅନୁଷ୍ଠିତ ହୋଇଥାଏ ।

ନୂଆଖାଇ ପାଇଁ ଲୋକେ ନୂଆ ବସ୍ତ୍ର କରିବା ସହିତ ମାଟିଘରକୁ ଲିପା ପୋଛା କରି, ଅଳନ୍ଧୁ, ଅଳିଆ, ବାସନ, ଖଟ ପଲଙ୍କ, ଘର ଚାରିପାଖ ଘାସ ବୁଦା ପ୍ରଭୃତି ସଫା କରିଥାନ୍ତି ।ଏହାବାଦ୍ ନୂଆଖାଇ ପୂର୍ବ ଦିନ ପାଳିତ ହୋଇଥାଏ ପାରମ୍ପାରିକ “ରୁଗିବଟା”ର ଏହି ରିତିନୀତି । ଏହାର ଅର୍ଥ ଗ୍ରାମରେ ଯେତେ ରୋଗ, ଦୁଃଖ କଷ୍ଟ ରହିଥିବ ତାକୁ ପୂଜା ମାଧ୍ୟମରେ ବିଦାକରିବାର ପର୍ବ ହିଁ “ରୁଗିବଟା”।

ଏହା ବିଶେଷତଃ ଆଦିବାସୀଙ୍କ ପରମ୍ପରା ଓ ପୂଜା । ନର୍ଲା ବ୍ଲକର ଅନେକ ଗ୍ରାମରେ ଅନୁଷ୍ଠିତ ହୋଇଛି “ରୁଗିବଟା” ପର୍ବ । ଏହି କ୍ରମରେ ବୁଧବାର ସର୍ଗିଗୁଡା ଗ୍ରାମର ଜାନୀ ଅପିନ୍ଦ୍ର ମାଝୀ, ପୂଜା ସହଯୋଗୀ ଚିତ୍ର ମାଝୀ, ତମାଖୁର ମାଝୀ, ସୁବାଷ ମାଝୀ, ଟଙ୍କ ମାଝୀ, ଦେଵ ମାଝୀ ପ୍ରମୁଖ ସକାଳୁ ଆସି ଗାଁରେ ଘୋଷଣା କଲେ “ରୁଗିବଟା” ପାଇଁ “ଅକତା ପତ୍ର” କାଢିବାକୁ । ଗାଁର ର ପ୍ରତ୍ୟେକ ଘରୁ ଦୁବ, ଚାଉଳ, ଧୂପ, ଦୀପ କାଢି ଗାଁ ମଝିରେ ରଖାଗଲା । ଏହାପରେ ଝୁଣା ଧୁପ, ଦୀପ, ସହ କୁକୁଡା ଓ ଦକ୍ଷିଣା ନେଇ ଯାଇଥିଲେ ଗ୍ରାମ ଶେଷ ମୁଣ୍ଡକୁ “ରୁଗିବଟା” ପାଇଁ ।

ସେଠାରେ ପୂଜାବିଧି କରି ଗ୍ରାମର ରୋଗ, ଦୁଃଖକୁ “ରୁଗିବଟା” ମାଧ୍ୟମରେ ବିଦା କରାଯାଇ ଗାଁ କୁ ନିରୋଗ ରଖିବା ପାଇଁ ପ୍ରାର୍ଥନା କରିଥିଲେ ଜାନୀ, ଝାଙ୍କର। ଗ୍ରାମର ବରିଷ୍ଠ ବ୍ୟକ୍ତି ତ୍ରିଲୋଚନ ନାଏକ, ରଞ୍ଜନ ବିଶ୍ଵାଳ,କୃଷ୍ଣ ଚନ୍ଦ୍ର ପୋଢ଼, ଅନୀଲ ମିଶ୍ର ପ୍ରମୁଖ ଉପସ୍ଥିତ ରହି ପୂଜା ପରିଚାଳନାରେ ସହଯୋଗ କରିଥିଲେ।ଗୁରୁବାର ପଞ୍ଚମୀ ତିଥିରେ ଗ୍ରାମର ଧରଣୀ ଦେବୀଙ୍କୁ ବଳିଭୋଗ ପ୍ରଦାନ କରାଯାଇ ବର୍ଷର ପ୍ରଥମ ଫସଲ ନୂଆଧାନ ଅର୍ପଣ ପରେ ନୂଆଖାଇ ଅନୁଷ୍ଠିତ ହେବ ।

ସର୍ଗିଗୁଡା ଗ୍ରାମର “ରୁଗିବଟା” ପର୍ବ ବୁଧବାର ସମ୍ପନ୍ନ ହୋଇଯାଇଛି। ଏହି “ରୁଗିବଟା” ନିତି ଏକ ସ୍ୱଚ୍ଛତାର ପରମ୍ପରା କହିଲେ ଅତ୍ୟୁକ୍ତି ହେବ ନାହିଁ । କାହିଁ କେଉଁ ଆଦିମ କାଳରୁ ଏହି ସ୍ୱଚ୍ଛତା ଓ ନିରାମୟର ପରମ୍ପରା “ରୁଗିବଟା” ଅନୁଷ୍ଠିତ ହୋଇ ଆସୁଛି । ଏହି “ରୁଗିବଟା” ପୂଜା ମାଧ୍ୟମରେ ରୋଗକୁ ବାଟେଇ (ବିଦାକରି) ଦିଆଯାଇଥାଏ । ଫଳରେ ଗ୍ରାମଦେବୀ “ଧର୍‌ନୀ” ଗ୍ରାମକୁ ନିରୋଗ ଓ ସ୍ୱଚ୍ଛ ରଖିଥାନ୍ତି ବୋଲି ବିଶ୍ୱାସ ରହିଆସିଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.