ଆଦିମ ମନୁଷ୍ୟ ସମାଜ ରୋଗ ବଇରାଗର ସ୍ରଷ୍ଟା ଭାବେ କେତେକ ଉପ ଦେବାଦେବୀମାନଙ୍କୁ ଗ୍ରହଣ କରୁଥିଲା ଓ ମନୁଷ୍ୟ ତଥା ଗୃହପାଳିତ ପଶୁପକ୍ଷୀମାନଙ୍କୁ ସୁରକ୍ଷା ଦେବା ପାଇଁ ଅଭିଚାର ତନ୍ତ୍ରଧାରାରେ ଉପାସିତ ଦେବାଦେବୀମାନଙ୍କ ଶରଣ ନେଉଥିଲା। ‘ଅଭିଚାର’ ହେଉଛି ଆଦିମ ଭାରତର ପ୍ରାଚୀନତମ ତନ୍ତ୍ର ଧାରା।
ଅଭିଚାର ତନ୍ତ୍ର ଧାରାର ଏକ କ୍ଷୀଣ ସ୍ରୋତ ଆଜିବି କଳାହାଣ୍ଡିରେ ବଞ୍ଚି ରହିଛି ଯାହା ମହାପାର୍ବଣ ନୂଆଖାଇର କିଛି ଦିନ ପୂର୍ବରୁ ଆୟୋଜିତ ହେଉଥିବା ରୁଗୀ ଯୁଗୀ ବା ବୋହୋଲେନ ଏବଂ ପନା ପାଏନ ଢଳା ରିତି ମାଧ୍ୟମରେ ସ୍ପଷ୍ଟ ପ୍ରତିଫଳନ ହୁଏ। କୃଷକ ଏହି ଅନୁଷ୍ଠାନ ମାଧ୍ୟମରେ ଦେବାଦେବୀମାନଙ୍କ ପାଖରେ କୃତଜ୍ଞ ରହିଥାଏ।
ନୂଆଖାଇ ସହ ଏହି ପରମ୍ପରାର ଅଭିନ୍ନ ସମ୍ପର୍କ ଥିବାରୁ ଗ୍ରାମବାସୀମାନେ ଏହାକୁ ଅତ୍ୟନ୍ତ ନିଷ୍ଠାର ସହ ପାଳନ କରିଥାନ୍ତି। ଗ୍ରାମରୁ ରୋଗ ବଇରାଗ ଦୂର କରି ସମସ୍ତେ ସୁସ୍ଥ ସବଳ ହୋଇ ନବାନ୍ନ ଭକ୍ଷଣ କରିବାର ମାନସିକତା ନେଇ ଆଦିମ ଆଦିବାସୀ ସମାଜ ରୁଗୀବଲା ଓ ପନା ପାଏନ ଢଳା ବିଧାନ ଆରମ୍ଭ କରିଥିଲା।
ରୁଗୀବଲା ଦିନ ଗ୍ରାମର ସମସ୍ତ ପରିବାର ଖପରରେ ଜଳନ୍ତା ଅଙ୍ଗାର ରଖି ତା’ ଉପରେ ଝୁଣା ପକାଇ ଘରୁ ଗ୍ରାମର ମଧ୍ୟସ୍ଥଳକୁ ଆଣିଥାନ୍ତି। ଏଥିସହ କିଛି ଫୁଲାଲିଆ (ଖଇ) ଓ ଭାତିଆ (ଚାଉଳ, ଡାଲି, ପନିପରିବା, ପଇସା) ଆଦି ଆଣିଥାନ୍ତି।
ଗ୍ରାମର ସମସ୍ତ ପରିବାର ଏସବୁ ଦ୍ରବ୍ୟ ଆଣି ଏକାଠି ଠୁଳ କରିବା ପରେ ଜାନୀ, ଝାଙ୍କର ଅଭିଚାର ତନ୍ତ୍ର ମତରେ ପୂଜାପାଠ କରିଥାନ୍ତି। ଏହାପରେ ଗଣା ରୁଗୀବଲା ସାମଗ୍ରୀ ଧରି ଖଇ ବିଞ୍ଝି ବିଞ୍ଝି ଗ୍ରାମରୁ ଦୁଷ୍ଟ ଶକ୍ତି ବାହାରି ଯିବାକୁ ନିର୍ଦ୍ଦେଶ କରିଥାନ୍ତି।
ସେମାନେ ଗ୍ରାମ ଶେଷମୁଣ୍ଡରେ ରୁଗୀବଲା ସାମଗ୍ରୀସବୁ ରଖି ଗ୍ରାମ ଦେବାଦେବୀ ଯଥା- ଡୁକ୍ରୀବୁଡ଼ି, ଗଙ୍ଗାଦି, ଦୂଲା, ବସ୍ତରେନ୍, ମାଏଲି, ବୁଡ଼ାରଜା, ଜେନାବୁଡ଼ା, ଗବ୍ଡ଼ା, ଭୀମା, ଭୈରବ, ଡଙ୍ଗରବୁଡ଼ା, ବାରମୁନୀ, ଦୁଆରସୁନୀ, କୋକଡେନ୍, ପାହାଡ଼େନ୍ ଆଦି ଅନେକ ଦେବାଦେବୀଙ୍କ ପାଖରେ ଗ୍ରାମରୁ ରୋଗ ବଇରାଗ ହଟାଇବା ପାଇଁ ପ୍ରାର୍ଥନା କରନ୍ତି ଓ ରୁଗୀଯୁଗୀ ବଲାର ଅନ୍ତିମ ପର୍ଯ୍ୟାୟରେ ସମସ୍ତ ଦେବାଦେବୀମାନଙ୍କୁ ମଦ୍ୟ ଅର୍ପଣ ଓ କୁକୁଡ଼ା ବଳି ଦେଇ ପନା ପାଏନ୍ ଢାଳିଥାନ୍ତି।
ଏହି ପରମ୍ପରା ମାଧ୍ୟମରେ ଆଦିମ ଆଦିବାସୀ ସମାଜ ପିତୃପୁରୁଷ ତତ୍ତ୍ୱ ଓ ଧରଣୀତତ୍ତ୍ୱରୁ ବିବର୍ତ୍ତିତ ଦେବାଦେବୀମାନଙ୍କୁ ଶାନ୍ତି କରିବାର ମାନସିିକତା ନେଇ ପରୋକ୍ଷରେ ପିତୃପୁରୁଷ, ଧର୍ନୀଦେବୀ ଓ ଅଦୃଶ୍ୟ ଶକ୍ତିଙ୍କଠାରେ ସମର୍ପଣ ଭାବ ଦେଖାଇଥାନ୍ତି।
ସୁନୀଲ କୁମାର ଧଙ୍ଗଡାମାଝୀ
ସଂପାଦକ, ଓଡ଼ିଆ ବାର୍ତ୍ତା