ଶ୍ରୀ ଜଗଦାନନ୍ଦଜୀ
ସଂସ୍କୃତି ଗବେଷକ, ଜୟପୁର
ମଣିଷର କର୍ମକ୍ଳାନ୍ତ ଜୀବନକୁ ସରସ ଓ ସୁନ୍ଦର କରିବାର ପ୍ରଚେଷ୍ଟାରୁ ହିଁ ଜନ୍ମ ନେଇଛି ବିଭିନ୍ନ ପର୍ବପର୍ବାଣି । ଏତଦ୍ ବ୍ୟତୀତ ଧର୍ମୀୟ ଭାବନାର ପରିପ୍ରକାଶ ତଥା ସୁଖ ଓ ଶାନ୍ତି ପ୍ରାପ୍ତି ନିମନ୍ତେ ଆମେ ନାନାଦି ପର୍ବପର୍ବାଣି ପାଳନ କରିଥାଉ। ଭଗବାନଙ୍କ ଉପସ୍ଥିତିକୁ ମଜବୁତ୍ କରିବା ଓ ବ୍ୟକ୍ତିବିଶେଷଙ୍କୁ ସମାଜରେ ବାନ୍ଧି ରଖିବାର ମାଧ୍ୟମ ହେଉଛି ପର୍ବପର୍ବାଣି ।
ଯେତେବେଳେ ପର୍ବପର୍ବାଣି କୃଷିଭିତ୍ତିକ ହୋଇଥାଏ, ସେତେବେଳେ ଏହା ଆହୁରି ଉପଭୋଗ୍ୟ ହୋଇଥାଏ । ପଶ୍ଚିମ ଓଡ଼ିଶାର ଏମିତି ଏକ କୃଷିଭିତ୍ତିକ ଗଣପର୍ବ ହେଉଛି ନୂଆଖାଇ । ଓଡ଼ିଶାର ଦଶଟି ଜିଲ୍ଲା – ବରଗଡ଼, ବଲାଙ୍ଗୀର, ବୌଦ୍ଧ, ଦେବଗଡ଼, ଝାରସୁଗୁଡ଼ା, କଳାହାଣ୍ଡି, ନୂଆପଡ଼ା, ସମ୍ବଲପୁର, ସୁନ୍ଦରଗଡ଼ ଓ ସୋନପୁର ଇତ୍ୟାଦିକୁ ନେଇ ଗଠିତ ପଶ୍ଚିମ ଓଡ଼ିଶା ।
ପଶ୍ଚିମ ଓଡ଼ିଶାରେ ବସବାସ କରୁଥିବା ଲୋକମାନେ ସାଧାରଣତଃ କୃଷି ଉପରେ ନିର୍ଭର କରିଥାନ୍ତି ଏବଂ ଧାନ ହେଉଛି ଏ ଅଞ୍ଚଳର ମୁଖ୍ୟ ଉତ୍ପାଦକ ଶସ୍ୟ; ଯାହାକୁ ସମଗ୍ର ବିଶ୍ଵର ଜୀବନ ଧାରଣର ମୁଖ୍ୟ କେନ୍ଦ୍ର ବୋଲି ବିବେଚନା କରାଯାଏ । ନୂଆଖାଇ ହେଉଛି ନୂତନ ଅମଳ ଧାନରୁ ପ୍ରସ୍ତୁତ ଅନ୍ନ ଦେବାଦେବୀଙ୍କୁ ଅର୍ପଣପୂର୍ବକ ତାଙ୍କର ପ୍ରସାଦ ନିଜେ ସେବନ କରିବାର ବିଧି ଓ ପରମ୍ପରା ।
ନୂଆ ଧାନ ଭାଦ୍ରବ ମାସ ବେଳକୁ ହୋଇଯାଇଥାଏ । ଯେଉଁଟିକୁ ମାଳଧାନ ହିସାବରେ ନାମକରଣ କରାଯାଇଥାଏ । ମାଳଧାନର ପ୍ରଥମ ଶସ୍ୟକୁ ଭଗବାନଙ୍କୁ ଅର୍ପଣ କରିବା ଉଚିତ୍ ବୋଲି ଚାଷୀମାନେ ଭାବିଥାନ୍ତି । ଏହାର କାରଣ ହେଉଛି ଭାଦ୍ରବ ମାସରେ ବର୍ଷର ପ୍ରଥମ ଶସ୍ୟ ଧାନ ସମ୍ପୂର୍ଣ୍ଣ ପାଚିଯିବାକୁ ବସିଥାଏ । ଧାନ ପାଚିଗଲେ ଏହା ପଶୁପକ୍ଷୀ ଖାଇ ଦେଲେ ତାହା ଅଇଁଠା ବା ଉଚ୍ଚିଷ୍ଟ ହୋଇଯିବ । ଉଚ୍ଚିଷ୍ଟ ଅନ୍ନକୁ ଭଗବାନଙ୍କୁ ଅର୍ପଣ କରିବା ଅନ୍ୟାୟ ହେବ ।
ତେଣୁ ଚାଷୀମାନେ ବର୍ଷର ପ୍ରଥମ ଶସ୍ୟ ଧାନକୁ ଭାଦ୍ରବ ମାସରେ ଭଗବାନଙ୍କୁ ଅର୍ପଣ କରି ଏହାକୁ ପ୍ରସାଦ ରୂପେ ଗ୍ରହଣ କରିଥାନ୍ତି । ଏହା ଏକ କୃଷଭିତ୍ତିକ ପର୍ବ ହୋଇଥିବାରୁ ଜନସାଧାରଣଙ୍କ ସଂସ୍କୃତି ଓ ସାମାଜିକ ଜୀବନ ଉପରେ ଏହାର ଅନେକ ପ୍ରଭାବ ରହିଥାଏ ।

ଲୋକକଥା ଅନୁସାରେ ତତ୍କାଳୀନ ପାଟଣା ରାଜ୍ୟର ପ୍ରଥମ ଚୌହାନ ରାଜା ରମାଇଦେବଙ୍କ ରାଜତ୍ଵ କାଳରେ ରାଜ୍ୟର ଏକ ପର୍ବ ହିସାବରେ ନୂଆଖାଇ ଆରମ୍ଭ ହୋଇଥିଲା । ଯାହା ବର୍ତ୍ତମାନ ଓଡ଼ିଶାର ବଲାଙ୍ଗୀର ଜିଲ୍ଲା ଭାବରେ ଜଣାଶୁଣା । ରାଜା ରାଜ୍ୟର ଅର୍ଥନୈତିକ ବିକାଶ ପାଇଁ କୃଷିର ପ୍ରାସଙ୍ଗିକତାକୁ ହୃଦୟଙ୍ଗମ କରି ଜନସାଧାରଣଙ୍କୁ ସନ୍ତୁଷ୍ଟ କରିବା ପାଇଁ ନୂଆଖାଇ ପର୍ବକୁ ଗ୍ରହଣ କରି ନେଇଥିଲେ ।

ପୂର୍ବରୁ ଏହି ପର୍ବର କୌଣସି ଏକ ନିର୍ଦ୍ଦିଷ୍ଟ ତାରିଖ ନ ଥିଲା । ୧୯୯୧ ମସିହାରେ ଓଡ଼ିଶାର ତତ୍କାଳୀନ ମୁଖ୍ୟମନ୍ତ୍ରୀ ତଥା ଓଡ଼ିଶାର ବରପୁତ୍ର ସ୍ବର୍ଗତ ବିଜୁ ପଟ୍ଟନାୟକ ଏକ ଐତିହାସିକ ଆଦେଶ ପ୍ରଦାନପୂର୍ବକ ପ୍ରତ୍ୟେକ ବର୍ଷ ଗଣେଶ ପୂଜା ପରଦିନ ଅର୍ଥାତ୍ ଭାଦ୍ରବ ମାସ ଶୁକ୍ଳପକ୍ଷ ପଞ୍ଚମୀ ତିଥିକୁ ନୂଆଖାଇ ପର୍ବ ପାଳନ ନିମନ୍ତେ ସରକାରୀ ଛୁଟି ଭାବେ ଘୋଷଣା କଲେ । କେତେକ ଅଞ୍ଚଳରେ ଏହା ଦଶମୀ ତିଥିରେ ପାଳନ କରାଯାଏ ।

ଉତ୍ସବର ପ୍ରାୟ ଦୁଇ ସପ୍ତାହ ପୂର୍ବରୁ ଉତ୍ସବର ପ୍ରସ୍ତୁତି ସହିତ ନୂଆଖାଇ ପର୍ବ ଆରମ୍ଭ ହୋଇଥାଏ । ନୂଆଖାଇରେ ନଅଟି ରଙ୍ଗ ଥିବା ବୁଝାପଡ଼େ । ବେହେରାନ ଠାରୁ ନୂଆଖାଇ ପର୍ଯ୍ୟନ୍ତ ନଅଟି ରୀତିନୀତି ପାଳନ କରାଯାଇଥାଏ, ଯାହାକି ଜୁହାର ଭେଟରେ ସମାପ୍ତି ହୋଇଥାଏ । ଏହା କ୍ରମାଗତ ଭାବରେ –
୧ – ବେହେରାନ (ତାରିଖ ସ୍ଥିର କରିବାକୁ ଗୋଟିଏ ସଭାରେ ଘୋଷଣା)
୨- ଲଗ୍ନଦେଖା (ନବାନ୍ନ ଖାଇବା ପାଇଁ ପ୍ରକୃତ ତାରିଖ ସ୍ଥିର କରିବା)
୩- ଡକାହକା (ନିମନ୍ତ୍ରଣ)
୪- ସଫାସୁତୁରା ଓ ଲିପା ପୋଛା (ପରିଷ୍କାରତା)
୫- କିଣାବିକା (କ୍ରୟ)
୬- ନୂଆଧାନ ଖୋଜା ( ନୂଆ ଧାନ ସଂଗ୍ରହ କରିବା)
୭- ବାଲିପକା (ପ୍ରସାଦ/ ନୈବେଦ୍ୟକୁ ଦେବତାଙ୍କ ନିକଟକୁ ନେଇ ନୂଆଖାଇ ପାଇଁ ଶେଷ ସମାଧାନ)
୮- ନୂଆଖାଇ (ନୂତନ ଫସଲକୁ ପ୍ରସାଦ ଭାବରେ ଗ୍ରହଣ କରିବା)
୯- ଜୁହାର ଭେଟ (ସମ୍ମାନର ପ୍ରତୀକ)

ନୂଆଖାଇ ଯେ କେବଳ ପରମ୍ପରାର ପର୍ବ ନୁହେଁ, ଏହି ପର୍ବ ଭ୍ରାତୃଭାବ ଓ ଏକତାର ପର୍ବ, ମହାମିଳନର ପର୍ବ । କାରଣ ଯିଏ ଯେଉଁଠି, ଯେତେ ଦୂରରେ ଥାଆନ୍ତୁ ନା କାହିଁକି ଅନ୍ତତଃ ବର୍ଷକୁ ଥରେ ନୂଆଖାଇ ସମୟରେ ସମସ୍ତେ ଏକତ୍ରିତ ହୋଇଥାନ୍ତି । ସାରା ପୁରପଲ୍ଲୀ ହୋଇଉଠେ ଉତ୍ସବମୁଖର । ପଶ୍ଚିମ ଓଡ଼ିଶାର ପ୍ରତ୍ୟେକ ଜିଲ୍ଲାକୁ ଯାଉଥିବା ଟ୍ରେନ୍, ବସ୍ ଇତ୍ୟାଦିରେ ଅସମ୍ଭବ ଭିଡ଼ ହୋଇଥାଏ ।

ପର୍ବ ପାଳନ ଆଗରୁ ଘରଦ୍ବାର, ଅଗଣା ଏବଂ ଘରର ସମସ୍ତ ଆସବାବପତ୍ରକୁ ପରିଷ୍କାର କରାଯାଇଥାଏ । ଏହା ପରେ ନୂଆଖାଇ ଦିନ ଗ୍ରାମର ଅଧିଷ୍ଠାତ୍ରୀ ଦେବାଦେବୀମାନଙ୍କୁ ପୂର୍ବରୁ ନିର୍ଦ୍ଧାରିତ ଶୁଭ ମୁହୂର୍ତ୍ତରେ ନୂଆ ଭାବରେ ଅମଳ କରାଯାଇଥିବା ଅନ୍ନ(ଧାନ)ରୁ ଚୁଡ଼ା ପ୍ରସ୍ତୁତ କରି ନବାନ୍ନ ଭୋଗ ଅର୍ପଣ ପରେ ଘର ବା ପରିବାରର ମୁଖ୍ୟ ନିଜ ଘରେ ନିଜର ଇଷ୍ଟ ଦେବାଦେବୀ ଓ ପୂର୍ବଜଙ୍କୁ ନବାନ୍ନ ଅର୍ପଣ କରି ବିଧିପୂର୍ବକ ପୂଜାର୍ଚ୍ଚନା କରିଥାନ୍ତି ।

ଏହାକୁ ବହୁତ ନିଷ୍ଠାର ସହ କରାଯାଇଥାଏ । ଏହା ପରେ ଘରର ସମସ୍ତ ସଦସ୍ୟସଦସ୍ୟା ଜ୍ୟୋତିଷମାନଙ୍କ ଦ୍ଵାରା ପୂର୍ବରୁ ନିର୍ଦ୍ଧାରିତ କରାଯାଇଥିବା ସମୟରେ ସମସ୍ତେ ଏକାଠି ବସି ଭକ୍ଷଣ କରିଥାନ୍ତି । ଘରର ମୁରବୀ ଉକ୍ତ ନବାନ୍ନ ସମସ୍ତଙ୍କୁ ବଣ୍ଟନ କରିଥାନ୍ତି । ନବାନ୍ନ ଗ୍ରହଣ ପରେ ଆରମ୍ଭ ହୁଏ ନୂଆଖାଇ ଜୁହାର ଭେଟ କାର୍ଯ୍ୟକ୍ରମର ପର୍ବ ।

କନିଷ୍ଠମାନେ ନିଜର ବୟସ୍କମାନଙ୍କୁ ଭୂମିଷ୍ଠ ପ୍ରଣାମ କରିବା ସହ ଆଶୀର୍ବାଦ ଗ୍ରହଣ କରିଥାନ୍ତି । ଗୁରୁଜନମାନେ କନିଷ୍ଠମାନଙ୍କ ମଙ୍ଗଳ କାମନା କରି ଆଶୀର୍ବାଦ ପ୍ରଦାନ କରିଥାନ୍ତି । ତତ୍ ପଶ୍ଚାତ୍ ଘରେ ତିଆରି ହୋଇଥିବା ମହ ମହ ବାସନାରେ ମହକୁଥିବା ଆରିସା ପିଠା ସହ ମଧ୍ୟାହ୍ନରେ ଏକତ୍ରିତ ଭାବରେ ମଧ୍ୟାହ୍ନ ଭୋଜନ ଗ୍ରହଣ କରିଥାନ୍ତି ।

ଅପରାହ୍ନରେ ସମସ୍ତେ ମନ୍ଦିର ଯାଇ ଦେବାଦେବୀଙ୍କ ଦର୍ଶନ କରିବା ସହ ସାଇପଡ଼ିଶାରେ ଥିବା ଗୁରୁଜନମାନଙ୍କୁ ପ୍ରଣିପାତ କରିଥାନ୍ତି । ସମବୟସ୍କ ବ୍ୟକ୍ତିମାନେ ଜୁହାରର ଆଦାନ ପ୍ରଦାନ ପୂର୍ବକ ଏକ ଆନନ୍ଦ ଓ ଉଲ୍ଲସିତ ମୁହୂର୍ତ୍ତକୁ ଉପଭୋଗ କରିଥାନ୍ତି । ଗାଁ ଦାଣ୍ଡରେ ଆବାଳ ବୃଦ୍ଧ ବନିତା ଦଳ ଦଳ ହୋଇ ନୂଆଖାଇ ଜୁହାର ଭେଟଘାଟ କରିଥାନ୍ତି । ପୂର୍ବ ରାଗରୋଷ ଥିଲେ ମଧ୍ୟ ତାକୁ ଭୁଲି ନମସ୍କାର ବା ଜୁହାର କରିବାର ପରମ୍ପରା ରହିଛି ।

ଏହି ଅବସ୍ଥାରେ ସମସ୍ତ ପ୍ରକାରର ଭେଦଭାବ, ତିକ୍ତତା, ମନାନ୍ତର ଓ ମତାନ୍ତରକୁ ଭୁଲି ସମସ୍ତେ ଏକ ହୋଇ ଯାଆନ୍ତି । ନୂଆଖାଇ ପର୍ବ ପରିବାରକୁ ଏକତ୍ରୀକରଣ କରିବା ସଙ୍ଗେ ସଙ୍ଗେ ଗୋଟିଏ ଛାତ ତଳେ ବାନ୍ଧିରଖିବା ପାଇଁ ପ୍ରୟାସ କରିଥାଏ । ଏହା ସମସ୍ତଙ୍କୁ ନୂତନ ସାମାଜିକ ବନ୍ଧନରେ ବାନ୍ଧିଦିଏ । ଏହା ଯେ କେବଳ ପରମ୍ପରାର ପର୍ବ ନୁହେଁ ବରଂ ଏହି ପର୍ବ ଭ୍ରାତୃଭାବ ଓ ଏକତାର ପର୍ବ, ମହାମିଳନର ପର୍ବ । ଏକତା, ସ୍ନେହ ଓ ସୌହାର୍ଦ୍ଦ୍ୟର ପର୍ବ । ସାଂପ୍ରତିକ ସମାଜରେ ଯେଉଁଠି ସ୍ନେହ, ସୌହାର୍ଦ୍ଦ୍ୟ, ପ୍ରେମ ଓ ମମତା ପରି ଶବ୍ଦ ଧୀରେ ଧୀରେ ଅର୍ଥହୀନ ହୋଇଯାଉଥିବା ବେଳେ ନୂଆଖାଇ ପରି ଏକ ଗଣପର୍ବ ନିଶ୍ଚିତ ରୂପେ ଏକ ଆଶାର ଦ୍ୟୋତକ । ଏଥିରେ ସନ୍ଦେହର ଅବକାଶ ନାହିଁ ।

ପଶ୍ଚିମ ଓଡ଼ିଶାର ସାମାଜିକ ପରମ୍ପରା ଓ ସଂସ୍କୃତିର ବାର୍ତ୍ତା ବହନ କରି ଧାର୍ମିକ ବିଶ୍ୱାସର ପ୍ରତୀକ ନୂଆଖାଇ ବିପୁଳ ଉନ୍ମାଦନା ଓ ହର୍ଷ ଉଲ୍ଲାସର ଉତ୍ସବ; ଯାହାକୁ ପାଳନ କରିବା ପାଇଁ ପଶ୍ଚିମ ଓଡ଼ିଶାର ଆବାଳ ବୃଦ୍ଧ ବନିତା ବର୍ଷ ସାରା ଅନାଇ ବସିଥାନ୍ତି । ଧନୀଗରିବ ନିର୍ବିଶେଷରେ ଏହି ପର୍ବ ପାଳନ କରିବାର ଉତ୍ସାହ ଦେଖିବାକୁ ମିଳିଥାଏ । ନୂଆଖାଇ ହେଉଛି ଭାଇଚାରା ଓ ସଂହତିର ଗଣପର୍ବ । ଏକାଧାରରେ କହିବାକୁ ଗଲେ ଏହି ପର୍ବ ସମଗ୍ର ବିଶ୍ୱକୁ ଏକତାରେ ବାନ୍ଧି ରଖିବାର ବାର୍ତ୍ତା ଦେବା ସହ ” ବସୁଧୈବ କୁଟୁମ୍ବକମ୍ ” ନୀତିକୁ ପ୍ରତିପାଦିତ କରିଥାଏ ।






